ବାଇକରେ ମୁଖା ପିନ୍ଧି ଆସି ୬ ଲକ୍ଷ ଝାମ୍ପି ନେଲେ ଦୁର୍ବୃତ୍ତ

ମାଲକାନଗିରି : ଦୀର୍ଘ ଦିନର ନୀରବତା ପରେ ମାଲକାନଗିରି ଜିଲାରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରୀୟ ହେବାରେ ଲାଗିଥିବା ଦେଖିବାକୁ ମିଳିଛି । ଆଜି ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ହାଡୱେର ଦୋକାନରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କୁ ମାଡ ମାରି ୬ ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ସଦର ମହକୁମାସ୍ଥିତ ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ନିକଟ ଗୋପାଳକ୍ରିଷ୍ଣା ହାଡୱେର ଦୋକାନରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ରବି ପ୍ରଧାନ ୬ ଲକ୍ଷ ଟଙ୍କା ଧରି ସ୍ଥାନୀୟ ବ୍ୟାଙ୍କରେ ଡିପୋଜିଟ୍‍ କରିବାକୁ ନେଉଥିଲେ । ସେହି ସମୟରେ ଏକ ମଟରସାଇକଲରେ ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଅଟକାଇଥିଲେ। ସାଇକଲ ଚେନରେ ନିସ୍ତୁକ ମାଡ ମାରି ରବିଙ୍କ ବାଇକ ଡିକିରେ ଥିବା ଟଙ୍କା ବ୍ୟାଗ୍‍କୁ ଛଡାଇ ନେଇଯାଇଥିବା ଜଣାପଡିଛି । ଏ ନେଇ ମାଲକାନଗିରି ଥାନାରେ ଅଭିଯୋଗ ହେବା ପରେ ଆଇଆଇସି ରାମପ୍ରସାଦ ନାଗ ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ଅଭିଯୁକ୍ତଙ୍କ କୌଣସି ସନ୍ଧାନ ମିଳି ନ ଥିବା ଜଣାପଡିଛି। ପିଡବ୍ଲ୍ୟୁଡି କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ପୁଲିସ ତଦନ୍ତ କରୁଥିବା ଜଣାପଡିଛି ।

Comments are closed.