ଲୁଗା ଦୋକାନରୁ ସଟର ତାଡି ଲୁଟିନେଲେ ଦୁର୍ବୃତ   

ବାଙ୍କୀ/ଡମପଡ଼ା : କଟକ ଜିଲ୍ଲା ବାଙ୍କୀ ଥାନା କିଆପଲ୍ଲା ତାରେଣୀ ଛକରେ ଏକ ଲୁଗାଦୋକାନରୁ ସଟର ତାଡି ଲକ୍ଷାଧିକ ଟଙ୍କାର ଲୁଗାପଟା ଚୋରି ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ କିଆପଲ୍ଲା ତାରେଣୀ ଛକଠାରେ ଥିବା ମହାବୀର କ୍ଲଥ୍ ଷ୍ଟୋରର ସଟର ତାଡି ଚୋରି କରି ନେଇଛନ୍ତି ଦୁର୍ବୃତମାନେ । ଆଜି ସକାଳୁ ଦୋକାନ ମାଲିକ ସନ୍ତୋଷ ଦୋକାନ ଖୋଲିବାକୁ ଆସିଥିବା ବେଳେ ଦୋକାନରୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସଂଗେସଂଗେ ବାଙ୍କୀ ପୁଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ବାଙ୍କୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ଥାନାରେ ମଧ୍ୟ ଏସଂକ୍ରାନ୍ତରେ ବ୍ୟବସାୟୀମାନେ ଅଭିଯୋଗ କରୁଛନ୍ତି । କିନ୍ତୁ ପୁଲିସ ତଦନ୍ତ ଆରମ୍ଭ କରିଦେଇ ଚୁପ୍ ହୋଇ ବସିଯାଉଥିବା ବ୍ୟବସାୟୀ ସଂଘ ତରଫରୁ ଅଭିଯୋଗ ହେଉଛି । ବିଗତ ଦିନରେ ଶ୍ରୀଧର ସାହୁ, ଦିଲ୍ଲୀପ୍ ନାୟକ, ବୈରାଗୀ ଚରଣ ପଣ୍ଡାଙ୍କ ସମେତ କିଛି ଦୋକାନରୁ ସ୍କାଏଲେଟ୍ ଭାଙ୍ଗି ଚୋରୀ ହୋଇଥିବା ବେଳେ ବ୍ରହ୍ମପୁରା ସ୍କୁଲ ଛକଠାରେ ଥିବା ନୃସିଂହ ପରିଡାଙ୍କ ଦୋକାନରୁ ନଗଦ ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସମାଗ୍ରୀ ଚୋରି ହୋଇଥିବା ପୁଲିସ୍ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୁର୍ବୃତ୍ତମାନଙ୍କୁ ଧରିବାରେ ପୁଲିସ୍ ହାତ ଖାଲି ପଡିଥିବା ଦେଖାଯାଇଛି । ଉକ୍ତ ଅଞ୍ଚଳରେ ପୁଲିସ ତରଫରୁ ରାତ୍ର ସମୟରେ ପ୍ୟଟ୍ରୋଲିଂ କରାଯାଉନଥିବା ବେଳେ ବାଙ୍କୀରେ ଧଳା ଜହର କାରବାର ବଢ଼ୁଥିବା ହେତୁ ଏପରି ଚୋରି ବିଭିନ୍ନ ସମୟରେ ଘଟୁଥିବା ଅଞ୍ଚଳବାସୀମାନେ ଅଭିଯୋଗ କରିଛନ୍ତି।

Comments are closed.