ଜାତୀୟ ରାଜପଥରେ ଲୁଟେରା ଆତଙ୍କ ; ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‍

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଲୁଟେରା ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍‍ ଲୁଟି ନେଇ ଦୁଇଜଣ ଲୁଟେରା ଫେରାର୍‍ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ସେମାନେ ଏକ ବାଇକ୍‍କୁ ଛାଡି ଚାଲି ଯାଇଛନ୍ତି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ପ୍ରଦୀପ୍ତ କୁମାର ସିଂ ନିଜ ଆକ୍ଟିଭା ସ୍କୁଟର ପଛରେ ପତ୍ନୀଙ୍କୁ ବସାଇ ପୁରୀରୁ ଭୁବନେଶ୍ୱର ଫେରୁଥିବା ବେଳେ ଲୁଟ୍‍ର ଶିକାର ହୋଇଥିଲେ। ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଗ୍ରାମ୍ୟ ଛକ ନିକଟରେ ହଠାତ୍‍ ପଛରୁ ଏକ ବାଇକ୍‍ରେ ଦୁଇଜଣ ଲୁଟେରା ଆସି ଆକ୍ଟିଭା ପଛରେ ବସିଥିବା ପ୍ରଦୀପ୍ତଙ୍କ ପତ୍ନୀ ଗୀତାଞ୍ଜଳୀଙ୍କୁ ଏକ ଜାବୁଡା ମାରିବା ସହ ତାଙ୍କ ବେକରୁ ୨୫ଗ୍ରାମ ଓଜନର ସୁନାଚେନ୍‍କୁ ଲୁଟି ନେଇଥିଲେ। ଗୀତାଞ୍ଜଳୀ ଭାରସାମ୍ୟ ହରାଇ ରାସ୍ତା ଉପରେ ପଡି ବେହୋସ ହୋଇଯାଇଥିବା ବେଳେ ପ୍ରଦୀପ୍ତଙ୍କ ଆକ୍ଟିଭା ସହ ଲୁଟେରାଙ୍କ ବାଇକ୍‍ ଧକ୍କା ଲାଗିବା କାରଣରୁ ଉଭୟ ଗାଡି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା। ପରେ ଲୁଟେରା ଦ୍ୱୟ ସେଠାରେ ନିଜର ବାଇକ୍‍କୁ ଛାଡି ଦେଇ ପଛରେ ଅନ୍ୟ ଏକ ବାଇକ୍‍ରେ ଆସୁଥିବା ଅନ୍ୟ ଦୁଇଜଣଙ୍କ ସହ ସେଠାରୁ ଫେରାର୍‍ ହୋଇଯାଇଥିଲେ। ରାସ୍ତା ଉପରେ ପଡିଯିବାରୁ ଗୀତାଞ୍ଜଳୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଖବର ପାଇ ପିପିଲି ଆଇଆଇସି ଶରତ କୁମାର ସାହୁ, ଏସ୍‍ଆଇ ସନ୍ଦୀପ କୁମାର ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗୀତାଞ୍ଜଳୀଙ୍କୁ ଉଦ୍ଧାର କରି ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି। ଏନେଇ ପ୍ରଦୀପ୍ତ ପୁଲିସରେ ଲିଖିତ ଅଭିଯୋଗ କରିଥିବା ବେଳେ ଘଟଣା ସ୍ଥଳରେ ଲୁଟେରାଦ୍ୱୟ ଛାଡି ଯାଇଥିବା ନମ୍ବର ବିହୀନ ବାଇକ୍‍କୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।  ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ଓ ବିଶେଷ କରି ପିପିଲି ବାଇପାସ ରାସ୍ତାରେ ବାରମ୍ବାର ଏଭଳି ଲୁଟ୍‍ ଘଟଣା ଘଟୁଥିବା ଯୋଗୁଁ ସାଧାରଣ ଲୋକେ ରାସ୍ତାରେ ଏକୁଟିଆ ଯିବାକୁ ଏବେ ନିରାପଦ ମଣୁନାହାନ୍ତି। ବିଶେଷ କରି ଦ୍ୱିପହର ସମୟରେ ଓ ସଂନ୍ଧ୍ୟା ପରଠାରୁ ଉକ୍ତ ରାସ୍ତାରେ ବାରମ୍ବାର ଲୁଟ୍‍ ଘଟଣା ଘଟୁଥିବା ଯୋଗୁଁ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା ଅଧିକ କଡାକଡି କରାଯିବାକୁ ସାଧାରଣରେ ଦାବି ହୋଇଛି।

Comments are closed.