ଲୋକସଭା ଆସନ ୧୦୦୦କୁ ବଢ଼ିବ !

ଆସନ ବୃଦ୍ଧି ପାଇଁ ନୂଆ ସଂସଦ ଭବନ ନିର୍ମାଣ ଚାଲିଛି: ମନୀଷ ତିୱାରୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଲୋକସଭାର ସଦସ୍ୟ ସଂଖ୍ୟା ବୃଦ୍ଧି କରିବା ଯୋଜନାରେ ଅଛନ୍ତି। ଏହାକୁ ୫୪୩ରୁ ୧୦୦୦କୁ ବୃଦ୍ଧି କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୨୦୧୯ରେ ଲୋକସଭା ଆସନ ସଂଖ୍ୟା ୧୦୦୦କୁ ବୃଦ୍ଧି ସହ ରାଜ୍ୟସଭା ଓ ବିଧାନସଭାଗୁଡ଼ିକର ଆସନ ସଂଖ୍ୟା ବୃଦ୍ଧି ସପକ୍ଷରେ ମତ ଦେଇଥିଲେ। ଏହାକୁ ଧ୍ୟାନରେ ରଖି ନୂଆ ସଂସଦ ଭବନ (ସେଣ୍ଟ୍ରାଲ ଭିସ୍ତା) ନିର୍ମାଣ କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ମନୀଷ ତିୱାରୀ। ସମ୍ପ୍ରତି ୫୪୩ ମଧ୍ୟରୁ ରାଜ୍ୟଗୁଡ଼ିକ ପାଇଁ ୫୩୦ ଆସନ ରହିଥିବାବେଳେ ଅବଶିଷ୍ଟ ଆସନରେ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିତ୍ବ ରହୁଛି। ମନୀଷ ଦାବି କରିଛନ୍ତି ଯେ ବିଜେପିର କିଛି ସାଂସଦ ବନ୍ଧୁଙ୍କ ସୂତ୍ରରୁ ସେ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପାଇଁ ସରକାର ବିଚାର କରୁଥିବା ଏବଂ ସେଥିପାଇଁ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରୁଥିବା ଜାଣିବାକୁ ପାଇଛନ୍ତି। ସରକାର ମନଇଚ୍ଛା ସଂଖ୍ୟା ବୃଦ୍ଧି ନ କରି ଏଥିପାଇଁ ବିଭିନ୍ନ ମହଲର ପରାମର୍ଶ ନେବା ଉଚିତ ବୋଲି ସେ ମତ ଦେଇଛନ୍ତି।
ସେ ପୁନଶ୍ଚ କହିଛନ୍ତି ଯେ ଦେଶ ପାଇଁ ଆଇନ ପ୍ରଣୟନ କରିବା ହେଉଛି ସାଂସଦମାନଙ୍କ କାର୍ଯ୍ୟ। ଏଥିପାଇଁ ସେମାନଙ୍କୁ ସମ୍ବିଧାନର ଦଶମ ଅନୁଚ୍ଛେଦରେ ଅଧିକାର ଦିଆଯାଇଛି; ଅତଏବ ସଂସଦରେ ବିତର୍କ ନ ହୋଇ ଲୋକସଭାର ଆସନ ବୃଦ୍ଧି ପ୍ରସ୍ତାବ କାର୍ଯ୍ୟକାରୀ କରାଯିବା ଅନୁଚିତ। ଏହାର କୁପ୍ରଭାବ ପଡ଼ିବ ବୋଲି ସେ ଚେତାଇ ଦେଇଛନ୍ତି। ଲୋକସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ଆସନ ସଂରକ୍ଷଣ ପ୍ରସ୍ତାବ କିଛି ସ୍ପଷ୍ଟ ହୋଇ ନାହିଁ। ଏଥିପାଇଁ ଦୀର୍ଘ କାଳ ଧରି ଦାବି ହୋଇଆସୁଛି। ଲୋକସଭାର ଆସନ ସଂଖ୍ୟା ବୃଦ୍ଧି ହେଲେ ମହିଳାଙ୍କ ପାଇଁ କେତେ ସଂରକ୍ଷିତ ରହିବ ତାହା ମଧ୍ୟ ଆଲୋଚନାର ବିଷୟବସ୍ତୁ। ତିୱାରୀଙ୍କୁ ସମର୍ଥନ କରିଛନ୍ତି ତାଙ୍କ ଦଳର ସାଂସଦ କାର୍ତ୍ତି ଚିଦମ୍ବରମ୍‌। ଆସନ ସଂଖ୍ୟା କେଉଁ ଆଧାରରେ ବୃଦ୍ଧି କରାଯିବ ତାହା ସ୍ପଷ୍ଟ ହେବା ଉଚିତ। ଯଦି ଜନ ସଂଖ୍ୟା ବୃଦ୍ଧି ଆଧାରରେ ଏହା କରାଯାଉଥାଏ; ତେବେ ଏହାଦ୍ବାରା ଦାକ୍ଷିଣାତ୍ୟ ପ୍ରଦେଶଗୁଡ଼ିକ କ୍ଷତିଗ୍ରସ୍ତ ହେବ। ଏହା ଆଦୌ ଗ୍ରହଣୀୟ ହେବ ନାହିଁ। ଏହି ପ୍ରସଙ୍ଗ ଉପରେ ସର୍ବସାଧାରଣରେ ବିତର୍କ ହେବା ଉଚିତ।
ଉଲ୍ଲେଖଯୋଗ୍ୟ ଯେ ୧୯୭୭ରେ ଦେଶର ଜନସଂଖ୍ୟା ଥିଲା ୫୫କୋଟି। ଏବେ ୧୪୦ କୋଟି ଛୁଇଁବାକୁ ବସିଲାଣି; ତେଣୁ ଲୋକସଭା, ରାଜ୍ୟସଭା ଓ ବିଧାନସଭାଗୁଡ଼ିକରେ‌ ଜନପ୍ରତିନିଧିତ୍ବ ବୃଦ୍ଧି ପାଇବା ଉଚିତ ବୋଲି ୨୦୧୯ରେ ପ୍ରଣବ ମୁଖାର୍ଜୀ ମତ ଦେଇଥିଲେ। ତାଙ୍କ ପୂର୍ବରୁ ପୂର୍ବତନ କଂଗ୍ରେସ ନେତା ଜିତିନ୍‌ ପ୍ରସାଦ ମଧ୍ୟ ଲୋକସଭା ଆସନ ବୃଦ୍ଧି ସମ୍ପର୍କରେ ମତ ରଖିଥିଲେ।

Comments are closed.