ଲୋକସଭା ୧୨୯%, ରାଜ୍ୟସଭା ୯୯.୮% ସଫଳ

ନୂଆଦିଲ୍ଲୀ: ସଂସଦର ବଜେଟ୍‌ ଅଧିବେଶନ ଗୁରୁବାର ଶେଷ ହୋଇଛି। ଲୋକସଭା ଓ ରାଜ୍ୟସଭାକୁ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଦୁଇଟି ପର୍ଯ୍ୟାୟରେ ହୋଇଥିବା ବଜେଟ୍‌ ଅଧିବେଶନ ଗତ ଜାନୁଆରୀ ୩୧ରେ ଆରମ୍ଭ ହୋଇଥିଲା। ପ୍ରଥମ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଅଧିବେଶନକୁ ସମ୍ବୋଧନ କରିଥିଲେ। ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଥିଲେ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୧ରେ ଶେଷ ହୋଇଥିଲା। ମାର୍ଚ୍ଚ ୧୪ରେ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୭ରେ ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନକୁ ଧାର୍ଯ୍ୟ ସମୟର ଦିନକ ପୂର୍ବରୁ ମୁଲତବୀ ଘୋଷଣା କରାଯାଇଛି। ବଜେଟ୍ ପ୍ରକ୍ରିୟା ଶେଷ ସହିତ ଦିଲ୍ଲୀ ମହାନଗର ନିଗମ (ସଂଶୋଧନ) ବିଧେୟକ ଓ ଫୌଜଦାର ପ୍ରୋସିଜିଓର (ଆଇଡେଣ୍ଟିଫିକେସନ) ବିଧେୟକ ଉଭୟ ଗୃହରେ ଗୃହୀତ ହେବା ପରେ ସଂସଦକୁ ମୁଲତବୀ ଘୋଷଣା କରାଯାଇଛି।

ବାଚସ୍ପତି ଓମ୍ ବିର୍ଲା କହିଛନ୍ତି ଯେ ସପ୍ତଦଶ ଲୋକସଭାର ଏହି ଅଷ୍ଟମ ଅଧିବେଶନ ୧୨୯ ପ୍ରତିଶତ ସଫଳ ହୋଇଛି। ଏହି ବଜେଟ୍‌ ଅଧିବେଶନରେ ଲୋକସଭାରେ ୨୭ଦିନ ଚାଲିଥିଲା। ସେହିପରି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଛନ୍ତି ଯେ ବଜେଟ୍‌ ଅଧିବେଶନ ସମୟରେ ଗୃହ୯୯.୮ % ସଫଳ ହୋଇଛି। ସଦସ୍ୟଙ୍କ ବିଶୃଙ୍ଖଳା ଓ ହେହଲ୍ଲା ଯୋଗୁଁ ଗୃହକାର୍ଯ୍ୟ ପ୍ରାୟ ୯ଘଣ୍ଟା ୩୦ ମିନିଟ୍ ନଷ୍ଟ ହୋଇଥିଲା। ମାତ୍ର ଗୃହକୁ ଅଧିକ ୯ଘଣ୍ଟା ୧୬ ମିନିଟ୍‌ ଚାଲୁ କରାଯାଇ ନଷ୍ଟ ସମୟକୁ ଭରଣା କରାଯାଇଥିଲା। ଗୃହ ଯଦି ଆଉ ୧୦ମିନିଟ୍ ଚାଲି ପାରିଥାନ୍ତା ତେବେ ଏହା ଶତ ପ୍ରତିଶତ ସଫଳ ହୋଇଥାନ୍ତା। ଏହି ଅଧିବେଶନରେ ରାଜ୍ୟସଭା ୨୯ଦିନ ଚାଲିବାର ଥିବାବେଳେ ୨୭ଦିନ ଚାଲିଛି। ତେବେ ଗୃହକାର୍ଯ୍ୟ ଧାର୍ଯ୍ୟ ୧୨୭ ଘଣ୍ଟା ୫୪ ମିନିଟ୍ ଚାଲିବାକୁ ଥିବାବେଳେ ଏହା ୧୨୭ଘଣ୍ଟା ୪୪ମିନିଟ୍ ଚାଲିଛି। ଏହି ଅଧିବେଶନରେ ଲୋକସଭାରେ ୧୨ଟି ବିଧେୟକ ଗୃହୀତ ହୋଇଥିବାବେଳେ ରାଜ୍ୟରେ ୧୧ଟି ବିଧେୟକ ଗୃହୀତ ହୋଇଛି।

Comments are closed.