ଲୋକସଭା ଅଚଳ କିନ୍ତୁ ୪୪ ମିନିଟ୍‌ରେ ୫ ବିଧେୟକ ସଚଳ

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଏୱେର ଗୁଇନ୍ଦା କାର୍ଯ୍ୟକୁ ନେଇ ସଂସଦର ମୌସୁମି ଅଧିବେଶନ ଅଚଳ ରହିଛି। ଜୁଲାଇ ୧୯ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ବହୁତ କମ୍ ସମୟ ପାଇଁ ଗୃହକାର୍ଯ୍ୟ ହୋଇଛି। ପେଗାସସ୍‌ ବିବାଦ ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅଚଳ ରଖିଛନ୍ତି। ଲୋକସଭାର ଅଧିବେଶନ ଯେତେ​‌ ସମୟ ଚାଲିଛି ସେଥିରୁ ମାତ୍ର ୧୪% ସମୟ ସଫଳ ରହିଛି। ଲୋକସଭାରେ ୪୪ ମିନିଟ୍ ମଧ୍ୟରେ ୫ଟି ବିଧେୟକ ଗୃହୀତ ହୋଇଛି।

ପୂର୍ବରୁ ଲୋକସଭାରେ ଗୋଟିଏ ବିଧେୟକ ଗୃହୀତ ହେବାକୁ ଅଢେଇ ଘଣ୍ଟା ଲାଗୁ ଥିଲା। ସେହିପରି ରାଜ୍ୟସଭାରେ ୭୨ ମିନିଟ୍‌ରେ ୩ଟି ବିଧେୟକ ଗୃହୀତ ହୋଇଛି। ଜୁଲାଇ ୨୮ରେ ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପସି କୋଡ (ସଂଶୋଧନ) ବିଧେୟକ ୨୦୨୧ ଲୋକସଭାରେ ମାତ୍ର ୫ ମିନିଟ୍‌ରେ ଗୃହୀତ ହୋଇଥିଲା। ସେହିପରି ଜୁଲାଇ ୨୬ରେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଖାଦ୍ୟ, ପ୍ରଯୁକ୍ତିବିଦ୍ୟା, ଉଦ୍ୟମିତା ଓ ପରିଚାଳନା ଜାତୀୟ ପ୍ରତିଷ୍ଠାନ ବିଧେୟକ, ୨୦୨୧ ମାତ୍ର ୬ ମିନିଟ୍ ମଧ୍ୟରେ ଗୃହୀତ ହୋଇଥିଲା। ଏହା ସହିତ ଫାକ୍ଟରିଂ ବିନିୟମ (ସଂଶୋଧନ) ବିଧେୟକ ଓ ୨୦୨୦ ଓ ବିମାନ ବନ୍ଦର ଆର୍ଥିକ ବିନିୟମ  କର୍ତ୍ତୃପକ୍ଷ ଭାରତ (ସଂଶୋଧନ) ବିଧେୟକ ୨୦୨୧ ଯଥାକ୍ରମେ ୧୩ ମିନିଟ୍ ଓ ୧୪ ମିନିଟ୍‌ରେ ଗୃହୀତ ହୋଇଥିଲା। ୨୯ ତାରିଖରେ ଆନ୍ତଃଦେଶୀୟ ଜାହାଜ ଚଳାଚଳ ବିଧେୟକ ୨୦୨୧ ଗୃହରେ ମାତ୍ର ୬ ମିନିଟ୍‌ରେ ଗୃହୀତ ହୋଇଥିଲା। ବିଧେୟକ ଗୃହୀତ ହେବା ପୂର୍ବରୁ ଏହା ଉପରେ ଆଲୋଚନା କରାଯାଇ ନଥିଲା। ଅନ୍ୟପଟେ ରାଜ୍ୟସଭାରେ ଫାକ୍ଟରିଂ ରେଗୁଲେସନ ବିଧେୟକ, ସାମୁଦ୍ରିକ ସହାୟତା ଓ ଦିଗନିର୍ଣ୍ଣୟ ବିଧେୟକ ଏବଂ କିଶୋର ନ୍ୟାୟ (ଶିଶୁ ଯତ୍ନ ଓ ସୁରକ୍ଷା) ସଂଶୋଧନ ବିଧେୟକ ଯଥାକ୍ରମେ ୧୪ ମିନିଟ୍‌, ୪୦ ମିନିଟ୍‌ ଓ ୧୮ ମିନିଟ୍‌ରେ ଗୃହୀତ ହୋଇଥିଲା। ଗତ ବଜେଟ୍‌ ଅଧିବେଶନ ସମୟରେ କୌଣସି ବିଧେୟକ ଗୃହୀତ ହେବା ପୂର୍ବରୁ ରାଜ୍ୟସଭାରେ ଅତିକମ୍‌ରେ ୨ ଘଣ୍ଟାର ଆଲୋଚନା ହେଉଥିଲା।

Comments are closed.