ପିପିଇ କିଣା ଦୁର୍ନୀତି ଅଭିଯୋଗ: ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ନାହିଁ ହେମନ୍ତ

ଭୁବନେଶ୍ଵର: ରାଜ୍ୟରେ ଚର୍ଚିତ ପିପିଇ ଓ ମାସ୍କ କିଣା ଦୁର୍ନୀତି ଅଭିଯୋଗର ତଦନ୍ତ ନିମନ୍ତେ ଲୋକାୟୁକ୍ତଙ୍କ ପକ୍ଷରୁ ଜାରି ନୋଟିସର କୌଣସି ଉତ୍ତର ଦେଇ ନାହାନ୍ତି ବରିଷ୍ଠ ଆଇଏଏସ୍ ହେମନ୍ତ ଶର୍ମା । ଆଜି (ଅଗଷ୍ଟ ୭) ହେମନ୍ତଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ଲୋକାୟୁକ୍ତ ନିର୍ଦେଶ ଦେଇଥିଲେ ହେଁ ଶ୍ରୀ ଶର୍ମାଙ୍କ ପକ୍ଷରୁ କୌଣସି ଉତ୍ତର ଲୋକାୟୁକ୍ତଙ୍କ ନିକଟରେ ପହଞ୍ଚି ନାହିଁ କିମ୍ବା ସେ ବ୍ୟକ୍ତିଗତ ଭାବରେ ହାଜର ହୋଇ ନାହାନ୍ତି । ଏହା ସତ୍ବେ ଲୋକାୟୁକ୍ତ ତାଙ୍କୁ ଆଉ ସୁଯୋଗ ଦେଇଛନ୍ତି ଏବଂ ଆସନ୍ତା ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ​‌ତାଙ୍କର ପକ୍ଷ ରଖିବାକୁ ନିର୍ଦେଶ ଦେଇଛନ୍ତି । ଏହି ଅବଧି ମଧ୍ୟରେ ଶ୍ରୀ ଶର୍ମା ତାଙ୍କର ପକ୍ଷ ନ ରଖିଲେ ଆଇନ ଅନୁସାରେ ଲୋକାୟୁକ୍ତ ମାମଲାର ତଦନ୍ତ ଆରମ୍ଭ କରିବେ ବୋଲି କହିଛନ୍ତି ।

ରାଜ୍ୟରେ ପିପିଇ ଓ ମାସ୍କ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କଂଗ୍ରେସ ନେତା ସୁଦର୍ଶନ ଦାସ ଅଭିଯୋଗ କରିବା ସହ ଏହାର ତଦନ୍ତ ନିମନ୍ତେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ । ସେତେବେଳେ ଏହି କ୍ରୟ କମିଟିରେ ସଦସ୍ୟ ଥିବା ତଥା ସାମଗ୍ରୀ କିଣାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ବରିଷ୍ଠ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଏଥିରେ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା । ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରଙ୍କୁ ନିଶାଣ କରିଥିଲେ ଓ ରାଜନୈତିକ ବାଦବିବାଦ ତୀବ୍ର ହୋଇଥିଲା । ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କରୋନା ସାମଗ୍ରୀ କିଣାରେ କୌଣସି ଅନିୟମିତତା ହୋଇ ନାହିଁ ବୋଲି ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହାପରେ ସରକାର ଶ୍ରୀ ଶର୍ମାଙ୍କୁ କ୍ରୟ କମିଟିରୁ ବାଦ ଦେଇଥିଲେ ।

 

Comments are closed.