MEllora 950×100

୨୫ ବର୍ଷରେ ସମ୍ବଲପୁର ଲୋକ ମହୋତ୍ସବ

ଆୟୋଜକ କମିଟିର ରୂପରେଖ ପ୍ରସ୍ତୁତି

ସମ୍ବଲପୁର : ଲୋକ ମହୋତ୍ସବ-୨୦୨୩ ପାଇଁ ସମ୍ବଲପୁରର ଆୟୋଜକ କମିଟିର ବୈଠକ ଜିଲା ସଂସ୍କୃତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଂଯୋଜକ ଏବଂ ସମସ୍ତ ବିଭାଗର ଆବାହକମାନଙ୍କ ସହିତ ମହୋତ୍ସବର ନୋଡାଲ ଅଧିକାରୀ ମାନେ ସାମିଲ ହୋଇ ଆଗାମୀ ଲୋକ ମହୋତ୍ସବ ୨୫ ବର୍ଷରେ ପଦାର୍ପଣ କରୁଥିବାରୁ ଏ ନେଇ ଆଲୋଚନା ହୋଇଥିଲା । ୧୯୯୭ ମସିହାରେ ସମ୍ବଲପୁର ଠାରେ ରାଜ୍ୟର ପ୍ରଥମ ଲୋକ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ହୋଇଥିବା ଲୋକ ମହୋତ୍ସବ ଗୁଡିକର ଫଟୋ ଓ ଭିଡିଓ ସଂଗ୍ରହ କରି ତାକୁ ପ୍ରଦର୍ଶିତ ପାଇଁ ମତ ବ୍ୟକ୍ତ କରାଯାଇଥିଲା। ଚଳିତ ବର୍ଷ ପିଏଚଡି ପଡିଆ ଠାରେ ଲୋକ ମହୋତ୍ସବ ସହିତ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜିତ ହେବ। ଏଥି ସହ ହକି ବିଶ୍ୱକପ ପାଇଁ ମଧ୍ୟ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେଥିପାଇଁ ୩ଟି ଯାକ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ଆୟୋଜନ କରିବା ନିମନ୍ତେ ଏହି ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ମଧ୍ୟ ବ୍ଲକ ସ୍ତରରେ ଥିବା କଳାକାର ମାନଙ୍କୁ ଚୟନ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ମଞ୍ଚ ଓ ଅଡିଟୋରିୟମ ଆବାହକ ଭୋଲାଶଙ୍କର ମହତ୍ତମ ଚଳିତ ବର୍ଷ ହକି ବିଶ୍ୱକପର ଆୟୋଜନକୁ ଧ୍ୟାନରେ ରଖି ଏଲଇଡି ସହ କ୍ରାପ୍ଟର ମିଶ୍ରଣରେ ମଞ୍ଚ ତିଆରି ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସେହିପରି ଡକ୍ୟୁମେଣ୍ଟାରୀ ବିଭାଗର ଆବାହକ ଆଶିଷ ପ୍ରଧାନ ବିଗତ ଦିନର ତଥ୍ୟ ଓ ଫଟୋ ଗୁଡିକ କିଭଳି ପ୍ରଦର୍ଶନ କରାଯାଇ ପାରିବ, ସେ ନେଇ ମତ ରଖିଥିଲେ। ଶୋଭାଯାତ୍ରା ଏବଂ ପ୍ରଚାର କମିଟିର ରାହୁଲ ଗୁପ୍ତା ଓ ଚନ୍ଦ୍ର ଶେଖର ପାତ୍ର ଭୁବନେଶ୍ୱର, ରାଉରକେଲା ସମେତ ରାଜ୍ୟର ପ୍ରମୁଖ ସହରରେ ହୋଡିଂ ସହିତ ସମ୍ବଲପୁର ମହାନଗରର ସମସ୍ତ ୪୧ଟି ୱାର୍ଡରେ ପ୍ରଚାର ପ୍ରସାର କରାଯିବ ଏବଂ ସାମାଜିକ ଗଣମାଧ୍ୟମକୁ ବିଶେଷ ଉପଯୋଗ କରାଯିବା ପାଇଁ ମତ ପ୍ରକାଶ କରିଥିଲେ। ଦଳ କମିଟିର ଆବାହକ ସୁର୍ଯ୍ୟ ଗୁରୁ ଲୋକ ମହୋତ୍ସବକୁ ଆକର୍ଷଣୀୟ କରିବା ପାଇଁ ଦେଶର ବିଭିନ୍ନ ଲୋକ ଦଳ ସହିତ ଯୋଗାଯୋଗ କରାଯାଉଥିବା ବିଷୟରେ ସୂଚନା ଦେଇଥିଲେ। ଅଭ୍ୟର୍ଥନା କମିଟିର ଆବାହକ ମହମ୍ମଦ ସନାଉଲ୍ଲା ଓ ନନ୍ଦ କିଶୋର ସାହୁ ପ୍ରତିଷ୍ଠିତ କଳାକାର ଓ ରାଜନେତାଙ୍କୁ ଲୋକ ମହୋତ୍ସବର ଅତିଥି ରୂପେ ସାମିଲ କରିବା ପାଇଁ ତାଲିକା ଉପସ୍ଥପାନ କରିଥିଲେ। ସ୍ମରଣିକା କମିଟିର ଆବାହକ ଡ. ସତ୍ୟନାରାୟଣ ଠାକୁର ଲୋକ ସଂସ୍କୃତି ଆଧାରିତ ୨ ଶହ ପୃଷ୍ଠା ସମ୍ବଳିତ ସ୍ମରଣିକା ପ୍ରକାଶ ନିମନ୍ତେ ମତ ପ୍ରକାଶ କରିଥିଲେ। ଉଦଘୋଷକ କମିଟିର ଆବାହକ ମାନସ ମିଶ୍ର ହକି ବିଶ୍ୱକପ ଓ ଲୋକ ମହୋତ୍ସବ ପାଇଁ ସ୍ୱତନ୍ତ୍ର ଉପସ୍ଥାପକ ବ୍ୟବସ୍ଥା ପାଇଁ ମତ ପୋଷଣ କରିଥିଲେ। ଗଣମାଧ୍ୟମ କମିଟି ଆବାହକ ଭବାନୀ ଶଙ୍କର ଭୋଇ ଲୋକ ମହୋତ୍ସବର ପ୍ରଚାର ପ୍ରସାର ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ସାମିଲ କରିବା ପାଇଁ ମତ ପୋଷଣ କରିଥିଲେ । ଚଳିତ ଭର୍ଷ ଆଗ୍ରହୀ ଗଣମାଧ୍ୟମ ମାନଙ୍କୁ ମିଡିଆ ପାର୍ଟନର କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଛି।

ସେମିନାର କମିଟିର ଆବାହକ ଅତିଶ ଶତପଥୀ ୪ଟି ବିଭାଗର ଆଲୋଚନା ଓ କବିତା ପାଠ କରିବା ପାଇଁ ମତ ପୋଷଣ କରିଥିଲେ। ଉପଖଣ୍ଡ ସ୍ତରରେ ମଧ୍ୟ ଲୋକଙ୍କୁ ଯୋଡିବା ପାଇଁ ଆଲୋଚନାଚକ୍ରରେ ସାମିଲ କରିବା ପାଇଁ ସେ ମତ ଦେଇଥିଲେ। ସ୍ୱଚ୍ଛତା କମିଟି ଆବାହକ କାଳିଦାସ ପଣ୍ଡା ଲୋକ ମହୋତ୍ସବରେ ସ୍ୱଚ୍ଛତା ପାଇଁ ନିଜସ୍ୱ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ ଜନତାଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ସଚେତନ କରାଯିବ ବୋଲି କହିଥିଲେ। ଲୋକ ମହୋତ୍ସବ ୨୦୨୩ର ସଂଯୋଜକ ରଞ୍ଜନ କୁମାର ସାହୁ ଓ ଅନୁପ ତରିଆ ଏହାର ଆୟୋଜନ ପାଇଁ ସବୁ କମିଟିର ସହଯୋଗ କାମନା କରିଥିଲେ। ଏଥି ସହ ମୁଖ୍ୟ ନୋଡାଲ ଅଧିକାରୀ ପ୍ରଦୀପ ସାହୁ ଓ ସହ ନୋଡାଲ ଅଧିକାରୀ ପ୍ରଭାସ ଡନସନା ସବୁ କମିଟି ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପ୍ରଶାସନ ଓ ଜିଲା ସଂସ୍କୃତି ବିଭାଗର ପ୍ରତ୍ୟକ୍ଷ ସହଯୋଗରେ ଚଳିତ ବର୍ଷର ଲୋକ ମହୋତ୍ସବକୁ ଅଧିକ ଭବ୍ୟ ରୂପରେ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ସମସ୍ତେ ମତ ପ୍ରକାଶ ବୈଠକରେ କରିଛନ୍ତି। ଶେଷରେ ଜିଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.