ଜୁନ୍‌-ଜୁଲାଇରେ ପଙ୍ଗପାଳ ଆକ୍ରମଣ !

ଚାଷୀଙ୍କୁ ସତର୍କ କଲା ଓୟୁଏଟି

ଭୁବନେଶ୍ବର : ପ୍ରଥମେ କରୋନା, ତା ପରେ ଅମ୍ପନ୍ ଆଉ ଏବେ ପଙ୍ଗପାଳ ଆକ୍ରମଣ ଭୟ। ଓଡ଼ିଶା ପାଇଁ ଗୋଟିକ ପରେ ଗୋଟିଏ ଆହ୍ବାନ ମାଡ଼ି ଆସୁଛି। ଆସନ୍ତା କିଛିଦିନ ମଧ୍ୟରେ ଓଡ଼ିଶାରେ ପଙ୍ଗପାଳ ପ୍ରବେଶ କରିବାର ଆଶଙ୍କା ଜାତ ହୋଇଛି। ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥାନ (ଫାଓ) ପକ୍ଷରୁ ଓଡ଼ିଶାରେ ପଙ୍ଗପାଳଙ୍କ ପ୍ରବେଶ ସମ୍ଭାବନା ଥିବା କୁହାଯାଇଛି। ଏପରିସ୍ଥଳେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଚାଷୀଙ୍କୁ ସତର୍କ କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ତେବେ ଏଥିରେ ମୌସୁମିର ସକ୍ରିୟ ଭୂମିକା ରହିବ। ପଙ୍ଗପାଳ ଉପଦ୍ରବ ପଛରେ ଅମ୍ପନ ବାତ୍ୟାର ସମ୍ପର୍କ ରହିଛି ଏବଂ ଆଗାମୀ ଦିନରେ ବର୍ଷା ପରିସ୍ଥିତିକୁ ବଦଳାଇ ଦେଇପାରେ। ତଥାପି ଓଡ଼ିଶା ପ୍ରତି ବିପଦର ଆଶଙ୍କା ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି ।
ଫାଓ କହିଛି, ଜୁନ୍‌ରୁ ଜୁଲାଇ ୧୫ ମଧ୍ୟରେ ପଙ୍ଗପାଳ ଆକ୍ରମଣ ହୋଇପାରେ। ତେବେ ଜୁନ୍ ପରେ ଓଡିଶାକୁ ପଙ୍ଗପାଳ ଆସିବାର ଅଧିକ ସମ୍ଭାବନା ରହିଛି। ରାଜସ୍ଥାନ ଆଡ଼ୁ ଏମାନେ ଓଡ଼ିଶା ଓ ବିହାରରେ ପ୍ରବେଶ କରିବାର ସମ୍ଭାବନା ଅଛି। ପଙ୍ଗପାଳମାନେ ସହରାଞ୍ଚଳରେ ବେଶି ସମୟ ନ ରହି ଆଗକୁ ଅଗ୍ରସର ହୋଇଥାନ୍ତି। ସହରାଞ୍ଚଳରେ ଖାଦ୍ୟ ନ ଥିବାରୁ ସେମାନେ ଫସଲ ଥିବା ଚାଷ ଜମି ସନ୍ଧାନରେ ଥାନ୍ତି। ପଙ୍ଗପାଳ ମଣିଷଙ୍କୁ ଆକ୍ରମଣ କରି ନ ଥା’ନ୍ତି। ବର୍ତ୍ତମାନ ଉତ୍ତର ଓ କେନ୍ଦ୍ରୀୟ ଭାରତରେ ଥିବା ପଙ୍ଗପାଳ ମୌସୁମିର ଆଗମନ ସହିତ ରାଜସ୍ଥାନ ଆଡ଼କୁ ଅଗ୍ରସର ହେବେ। ପ୍ରଜନନ ମରୁଭୁମି ହେଉଛି ସେମାନଙ୍କର ଅନୁକୂଳ ସ୍ଥାନ। ଏହା ପରେ ପଙ୍ଗପାଳ ଓଡ଼ିଶା ଓ ବିହାର ମୁହଁା ହୋଇ ପୁନର୍ବାର ରାଜସ୍ଥାନ ପହଞ୍ଚିବା ନେଇ ଆଶଙ୍କା ବ୍ୟକ୍ତ କରିଛି ଫାଓ ।
ଓୟୁଏଟି ପୂର୍ବତନ କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଜଳବାୟୁରେ ପରିବର୍ତ୍ତନ, ବାତ୍ୟା, କାଳବୈଶାଖୀ ଆଦି ପଙ୍ଗପାଳଙ୍କୁ ସକ୍ରିୟ କରିଛି। ପବନ, ତାପମାତ୍ରା ଓ ଭାରି ବର୍ଷା ପଙ୍ଗପାଳଙ୍କୁ ସହାୟତା କରୁଛି। ପଙ୍ଗପାଳ ରାଜସ୍ଥାନରୁ ଛତିଗଡ଼ ଦେଇ ଜୁନ୍ ମାସରେ ଓଡ଼ିଶାକୁ ଆସିବା ସମ୍ଭାବନା ରହିଛି। ତେବେ ପଙ୍ଗପାଳ ଆକ୍ରମଣକୁ ନେଇ ଆତଙ୍କିତ ହେବାର କାରଣ ନାହିଁ । ଜୁଲାଇ ମାସରେ ଅଧିକାଂଶ ଜମିରେ ଫସଲ ନ ଥିବ। ଘଞ୍ଚ ଫସଲ ନ ଥିଲେ ଅନ୍ୟତ୍ର ଚାଲିଯିବେ। ସେହିପରି ଜୁଲାଇ ମାସରେ ପ୍ରବେଶ କଲେ କିଛିଟା ସମସ୍ୟା ଦେଖା ଦେଇପାରେ। ଚାଷୀମାନଙ୍କୁ କେବଳ ସଚେତନ କଲେ ହେବ ନାହିଁ। ଏକ ବର୍ଗ କିମି ମଧ୍ୟରେ ୪​‌ କୋଟି ପଙ୍ଗପାଳ ରହିଥାନ୍ତି। ତେଣୁ ସରକାରଙ୍କ ପକ୍ଷରୁ ଚାଷ ଜମିରେ ଡ୍ରୋନ୍, ଟ୍ରାକ୍ଟର କିମ୍ବା ଦମକଳ ଗାଡ଼ି ଜରିଆରେ ସାମୂହିକ କୀଟନାଶକ ସିଞ୍ଚନ କରାଯିବା ଆବଶ୍ୟକ। କୀଟନାଶକ ବ୍ୟବହାର ଓ କୀଟ ନିୟନ୍ତ୍ରଣରେ କେନ୍ଦ୍ର ସରକାରଙ୍କ ନିକଟରେ ଉପଯୁକ୍ତ ସମ୍ବଳ ରହିଛି। ତେଣୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ସହଯୋଗ କଲେ ପଙ୍ଗପାଳ ନିୟନ୍ତ୍ରଣ ଅଧିକ ଫଳପ୍ରଦ ହୋଇପାରିବ। ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଓୟୁଏଟି ପକ୍ଷରୁ କୁହାଯାଇଛି ଯେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଭୁବନେଶ୍ବର ଏକ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷ ଖୋଲାଯିବ। ଚାଷୀଙ୍କୁ ସଚେତନ କରାଯିବା ସହ ଆବଶ୍ୟକ ପରାମର୍ଶ ଦିଆଯିବ।

ଲଣ୍ଡା କରିଦେଲେ ସବୁଜ ବନାନୀ

ନୀଳଗିରି : ଦେଶ କରୋନା ବିପତ୍ତି ସହ ଲଢ଼େଇ କରୁଥିବାବେଳେ ପଞ୍ଜାବ, ହରିୟାଣା, ଗୁଜୁରାଟ, କର୍ଣ୍ଣାଟକ ଭଳି କେତେକ ରାଜ୍ୟରେ ଚାଷୀକୁଳଙ୍କୁ ଘାରିଛି ପଙ୍ଗପାଳ ଚିନ୍ତା। ପଙ୍ଗପାଳ ଭଳି ଦିଶୁଥିବା ଏକ ଝିଣ୍ଟିକା ପ୍ରଜାତିର କୀଟ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳଛି। ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଉପଖଣ୍ଡକୁ ଏହି ପଙ୍ଗପାଳ ଦଳ ଛୁଇଁ ସାରିଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି କୀଟ ଯେଉଁ ସବୁଜ ଗଛ ଲତାରେ ବସୁଛନ୍ତି କିଛି ଘଣ୍ଟା ପରେ ତାର ପତ୍ର ଖାଇ ସମ୍ପୂର୍ଣ୍ଣ ଲଣ୍ଡା କରିଦେଉଛନ୍ତି।
ଔପଦା ବ୍ଲକ କାଣ୍ଡଗରଡ଼ି ପଞ୍ଚାୟତ ଅଧୀନ ବଉଳଗଡ଼ିଆ ଅଞ୍ଚଳରେ ତଥା କୁଲଡିହା ଅଭୟାରଣ୍ୟ ପାର୍ଶ୍ବ ଜଙ୍ଗଲରେ ପଙ୍ଗପାଳମାନେ ଆତଙ୍କ ଖେଳାଇ ଦେଇଛନ୍ତି। ସହସ୍ରାଧିକ ସଂଖ୍ୟାରେ ଏହି କୀଟଦଳ ଗଛରେ ଲାଖି ରହି ପତ୍ର ଖାଇ ସଫା କରି ଦେଇଛନ୍ତି। ଏମାନେ ଯେଉଁ ଅଞ୍ଚଳରେ
ବସୁଛନ୍ତି ସେ ସ୍ଥାନରେ ସବୁଜ ବନାନୀ ଲଣ୍ଡା ହୋଇଯାଉଛି। ଏହି ଅଜବ ପ୍ରଜାତିର କୀଟ ଜଙ୍ଗଲ ପାର୍ଶ୍ବରେ ଘୂରି ବୁଲୁଥିବା ଯୋଗୁ ଅଞ୍ଚଳବାସୀଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କ ଖେଳିଯାଇଛି। ସ୍ଥାନୀୟ କେତେକ ଲୋକେ ଜଙ୍ଗଲକୁ ଶୁଖିଲା ପତ୍ର ସଂଗ୍ରହ କରିବାକୁ ଯାଇଥିବାବେଳେ ଏହି ଜାତିର କୀଟଙ୍କୁ ଦେଖି ଜଣାଇବା ପରେ ସେହି ଅଞ୍ଚଳରେ ଲୋକଗହଳି ଲାଗି ରହିଛି। ଏମାନେ କୃଷିକ୍ଷେତ୍ର ଉପରେ ପଶି ଗଲେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରାଯାଉଛି।
ଅପରପକ୍ଷରେ ଅଞ୍ଚଳବାସୀ ଭୟଭୀତ ହେବାର ନାହିଁ, ଗାଁକୁ ଆସିଲେ ଏମାନଙ୍କ ପ୍ରତି ଉଚିତ ପଦକ୍ଷେପ ନିଆଯିବ ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପଙ୍ଗପାଳ ନୁହଁନ୍ତି; ବରଂ ଏକ ପ୍ରଜାତିର ଝିଣ୍ଟିକା ବୋଲି କୃଷି ବିଭାଗ କହିଛି। ଏକକାଳୀନ ସହସ୍ରାଧିକ ସଂଖ୍ୟାରେ ଏହି କୀଟ ନୀଳଗିରିରେ ପ୍ରଥମଥର ଦେଖା ଦେଇଥିବାରୁ ଜିଲା ପ୍ରଶାସନ ଏଥିପ୍ରତି ନଜର ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.