୯ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ଅଧିକ

ଭୁବନେଶ୍ବର cust: ଓଡ଼ିଶାର ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଆଦି ୯ଟି ଜିଲାରେ ପଙ୍ଗପାଳ ଉପଦ୍ରବ ଆଶଙ୍କା ସର୍ବାଧିକ ରହିଛି। ପଙ୍ଗପାଳଙ୍କ ଗତିବିଧି ଉପରେ ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବା ସହିତ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ରାଜ୍ୟ ସରକାର ବିଭାଗୀୟ ପ୍ରଶାସନିକ ଓ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ପଙ୍ଗପାଳ ନିୟନ୍ତ୍ରଣ ପାଇଁ ଆବଶ୍ୟକ ହେଲେ ଦମକଳ ଜରିଆରେ ପ୍ରଭାବିତ ଅଞ୍ଚଳରେ ଔଷଧ ସିଞ୍ଚନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସମ୍ଭାବ୍ୟ ପଙ୍ଗପାଳ ଉପଦ୍ରବ ସମ୍ପର୍କରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ହୋଇଥିଲା। ବୈଠକ ପରେ ସୂଚନା ମିଳିଛି ଯେ ପଙ୍ଗପାଳ ଉପଦ୍ରବକୁ ନିୟନ୍ତ୍ରଣ କରିବା ପାଇଁ ଉଭୟ ରାଜ୍ୟ ଓ ଜିଲା ସ୍ତରରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ରାଜ୍ୟରେ ସାଢ଼େ ଛଅ ଲକ୍ଷ ଚାଷୀଙ୍କୁ ଏ ସଂକ୍ରାନ୍ତ ହ୍ବାଟ୍ସ ଆପ ମେ​‌େସଜ ଏବଂ ୮ଲକ୍ଷ ଚାଷୀଙ୍କୁ ଭଏସ ମେସେଜ ପଠାଯିବା ସହିତ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଚାଷୀମାନଙ୍କ ସହିତ ନିୟମିତ ସମ୍ପର୍କରେ ରହିଛି।
ଗତକାଲି ଛତିଶଗଡ଼ ଆସିଥିବା ପଙ୍ଗପାଳ ଦଳ ପୁଣି ମଧ୍ୟପ୍ରଦେଶକୁ ଫେରିଯାଇଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ତଥାପି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଅଗ୍ନିଶମ ସେବା ମହାନିର୍ଦେଶକ, ଉନ୍ନୟନ କମିଶନର, ସ୍ବତନ୍ତ୍ର ରିଲିଫ କମିଶନର, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି, କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସ୍ବତନ୍ତ୍ର ସଚିବ, କୃଷି ନିର୍ଦେଶକ ଏବଂ ଭାରତ ସରକାରଙ୍କ ସମନ୍ବିତ ରୋଗପୋକ ନିୟନ୍ତ୍ରଣ କେନ୍ଦ୍ରର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.