ଏଣିକି ଦେଖିପାରିବେ ଉଚ୍ଚନ୍ୟାୟାଳୟ ମାମଲା ଶୁଣାଣିର ସିଧାପ୍ରସାରଣ

କଟକ: ‘ହାଇକୋର୍ଟ ଅଫ୍ ଓଡ଼ିଶା ଲାଇଭ୍ ଷ୍ଟ୍ରିମିଂ ଅଫ୍ କୋର୍ଟ ପ୍ରୋସିଡିଂସ୍ ରୁଲ୍ସ, ୨୦୨୧’ ପ୍ରଣୟନ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନୂତନ ନିୟମାବଳୀ ଅଗଷ୍ଟ ୨ରୁ କାର୍ଯ୍ୟକାରୀ ହେବ। ଫଳରେ ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣିର ସିଧା ପ୍ରସାରଣ ଲୋକେ ଦେଖି ପାରିବେ। ଏ ନେଇ ଫିଜିକାଲ, ଭର୍ଚୁଆଲ୍ ତଥା ହାଇବ୍ରିଡ୍ ବ୍ୟବସ୍ଥାରେ ଉଚ୍ଚନ୍ୟାୟାଳୟରେ ମାମଲା ଶୁଣାଣି ସମୟରେ ଓପନ କୋର୍ଟ ପ୍ରସଙ୍ଗ କାର୍ଯ୍ୟକାରୀକୁ ଅଧିକ ବ୍ୟାପକ କରିବା ଉଦ୍ଦେଶ୍ୟ ନେଇ ଏହି ନିୟମାବଳୀ କରାଯାଇଛି। ମାମଲା ଶୁଣାଣି ପ୍ରକ୍ରିୟା ସିଧା ପ୍ରସାରଣ (ଲାଇଭ ଷ୍ଟ୍ରିମିଂ) ଉଚ୍ଚନ୍ୟାୟାଳୟଙ୍କ ଦ୍ବାରା ଅନୁମତିପ୍ରାପ୍ତ ବ୍ୟକ୍ତି/କର୍ମଚାରୀ କରିବେ।

ମାମଲା ଶୁଣାଣିର ସିଧା ପ୍ରସାରଣ ସମ୍ପର୍କିତ ୱେବ୍ ଲିଙ୍କ୍ ଉଚ୍ଚନ୍ୟାୟାଳୟ ୱେବସାଇଟରେ ଏବଂ ସମ୍ପୃକ୍ତ ଖଣ୍ଡପୀଠଙ୍କ ମାମଲା ତାଲିକା(କଜ୍‌ଲିଷ୍ଟ)ରେ ପ୍ରକାଶ ପାଇବ। ପାରିବାରିକ ବିବାଦ, ଶିଶୁ, ବାଳଅପରାଧୀ, ପୋକ୍ସ ଆଇନ, କିଶୋର ନ୍ୟାୟ ଅଧିନିୟମ (ଜୁଭେନାଇଲ ଜଷ୍ଟିସ, କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲ୍‌ଡ୍ରେନ୍) ଆକ୍ଟ, ୨୦୧୫, ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଦଫା ୩୭୬ ସମେତ ଦୁଷ୍କର୍ମ ସଂକ୍ରାନ୍ତ ମାମଲା, ମହିଳାଙ୍କ ସହିତ ଲିଙ୍ଗଭେଦ ସମ୍ପର୍କିତ ହିଂସା, ସରକାରୀ ଗୋପନୀୟତା ଆଇନ୍ (ଅଫିସିଆଲ ସିକ୍ରେଟ୍ସ ଆକ୍ଟ, ୧୯୨୩ ବା ଜାତୀୟ ସୁରକ୍ଷା ସମ୍ପର୍କିତ ମାମଲା, ବନ୍ଦୀ ପ୍ରତ୍ୟକ୍ଷୀକରଣ (ହେବିୟସ କର୍ପସ), ଇନ୍ କ୍ୟାମେରା ପ୍ରୋସିଡିଂସ୍ ଓ ଅନ୍ୟ କିଛି ମାମଲାର ସିଧା ପ୍ରସାରଣକୁ ବାଦ ଦିଆଯାଇଛି।

କୌଣସି ମାମଲାର ଶୁଣାଣି ସିଧା ପ୍ରସାରଣ ପାଇଁ ଯୋଗ୍ୟ ନୁହେଁ ବୋଲି ଯଦି ଖଣ୍ଡପୀଠ ମତ ଦିଅନ୍ତି ତେବେ ଏହାକୁ ବାଦ୍‌ ଦିଆଯିବ। ଏଥି ସହ ପକ୍ଷ, ଆଇନଜୀବୀ ମାମଲାର ସିଧା ପ୍ରସାରଣ ବନ୍ଦ ରଖିବାକୁ ଅନୁରୋଧ କରି ପାରିବେ। ଯଦି ଖଣ୍ଡପୀଠ ଏପରି ଅନୁରୋଧକୁ ଉପଯୁକ୍ତ ବୋଲି ଗ୍ରହଣ କରନ୍ତି ତେବେ ସିଧା ପ୍ରସାରଣ ବନ୍ଦ ନିର୍ଦେଶ ଦେଇପାରିବେ। ନ୍ୟାୟର ସ୍ବାର୍ଥ ଦୃଷ୍ଟିରୁ ଜରୁରୀ ପରିସ୍ଥିତିରେ ମଧ୍ୟ ମାମଲା ଶୁଣାଣିର ସିଧା ପ୍ରସାରଣ ବନ୍ଦ ପାଇଁ ବିଚାରପତି ନି​‌େ​‌ର୍ଦଶ ଦେଇପାରିବେ। କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣକୁ କୌଣସି ବ୍ୟକ୍ତି ଅଧିକାର ବୋଲି ଦାବି କରି ପାରିବେ ନାହିଁ। ଲାଇଭ ଷ୍ଟ୍ରିମିଂ ଭିଡିଓର ଅନଧିକୃତ ବ୍ୟବହାର କରାଯାଇ ପାରିବ ନାହିଁ। କୋର୍ଟ ପ୍ରୋସିଡିଂର ସିଧା ପ୍ରସାରଣ କରାଯାଉଥିବା ଭିଡିଓକୁ ଅଦାଲତୀ ପ୍ରକ୍ରିୟାରେ ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବନାହିଁ। ଶୁଣାଣିର ସିଧା ପ୍ରସାରଣ ବେଳେ ଟିପ୍ପଣୀ, ମତାମତକୁ ଅଦାଲତି ପ୍ରକ୍ରିୟାର ଅଂଶ ଭାବେ ଗ୍ରହଣ କରାଯିବ ନାହିଁ। ଖଣ୍ଡପୀଠଙ୍କ ରାୟ, ନିର୍ଦେଶ ଓ ଉଚ୍ଚନ୍ୟାୟାଳୟ ରେଜିଷ୍ଟ୍ରି ପକ୍ଷରୁ ଜାରି ଏ ସମ୍ପର୍କିତ ପ୍ରମାଣିତ ପ୍ରତିଲିପିକୁ କେବଳ ପ୍ରମାଣସିଦ୍ଧ ଭାବେ ଗ୍ରହଣ କରାଯିବ। ମାମଲା ଶୁଣାଣି ପ୍ରକ୍ରିୟାରେ ଅଂଶ ଗ୍ରହଣ ବେ‌ଳେ ଶୃଙ୍ଖଳା ରକ୍ଷା କରାଯିବ ବୋଲି ଏ ସମ୍ପର୍କିତ ନିୟମାବଳୀରେ ସ୍ପଷ୍ଟ କରାଯାଇଛି।

Comments are closed.