ଆନ୍ଧ୍ରରେ ମଦ ଉପରେ ୭୫% ଟିକସ; ଆଜିଠାରୁ ଲାଗୁ କଲେ ସରକାର

ହାଇଦ୍ରାବାଦ: କରୋନା ମାଡ଼ରେ ମଦ ବେପାର ମାନ୍ଦାକୁ ନେଇ ବେପାରୀ ଯେତିକି ଦୁଃଖ, ତା’ଠୁ ବେଶୀ ଦୁଃଖୀ ହୋଇଛନ୍ତି ମଦୁଆ । ମଦ ଦୋକାନ କେବେ ଖୋଲିବ ସେଥିନେଇ ମଦୁଆଙ୍କ ଭାରି ଚିନ୍ତା । ଗ୍ରୀନ୍ ଜୋନରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ଅନେକ ରାଜ୍ୟ ସରକାର ଏଥିରୁ ନିବୃତ୍ତ ରହିଛନ୍ତି । କିନ୍ତୁ ଯେଉଁ ରାଜ୍ୟରେ ମଦ ଦୋକାନ ଖୋଲିଛି ସେଠି ଯେମିତି ଧାଡ଼ି ଆଉ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ସେପରି ଭିଡ଼ ଓ ଧାଡ଼ି ଖାଦ୍ୟ ପାଇଁ ଅନାହାରକ୍ଲିଷ୍ଟ ନାଇଜେରିଆରେ ବି ଦେଖିବାକୁ ମିଳିନାହିଁ । ମାଇଲ ମାଇଲ୍ ଲମ୍ବା ଧାଡ଼ି ଆଉ ସେଥିରେ ମାରପିଟ୍ । ସୋମବାର ଲକ୍ଡ଼ାଉନ ଖୋଲୁଖୋଲୁ ୫ ରାଜ୍ୟରେ ୫ଶହ କୋଟି ଟଙ୍କାରୁ ଅଧିକ ମଦ ବିକ୍ରି ହୋଇଥିବା ରିପୋର୍ଟ ମିଳିଛି । ଏକ ରିପୋର୍ଟ ଅନୁସାରେ  ଗତକାଲି ଉତ୍ତରପ୍ରଦେଶରେ ୨୨୫ କୋଟି, ମହାରାଷ୍ଟ୍ରରେ ୨ଶହ କୋଟି, ରାଜସ୍ଥାନରେ ୫୯ କୋଟି, କର୍ଣ୍ଣାଟକରେ ୪୫ କୋଟି ଏବଂ ଛତିଶଗଡ଼ରେ ୨୫ କୋଟି ଟଙ୍କାର ମଦ ବିକ୍ରି ହୋଇଥିବା ଜଣାପଡ଼ିଛି ।

ମଦର ଚାହିଦା ଓ ଲୋକଙ୍କ ମଦ୍ୟପାନ ଆଗ୍ରହରୁ ଫାଇଦା ଉଠାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ସେଠାରେ ମଦ ଉପରେ ୭୦% କରୋନା ଟ୍ୟାକ୍ସ ଲଗାଇଛନ୍ତି । ଅର୍ଥାତ୍ ୧୦୦ ଟଙ୍କା ମୂଲ୍ୟର ମଦ କିଣିବାକୁ ହେଲେ ୭୦ ଟଙ୍କା ଟିକସ ଦେବାକୁ ପଡ଼ିବ । ପୂର୍ବରୁ ଆନ୍ଧ୍ର ସରକାର ମଦ ଉପରେ ଅତିରିକ୍ତ ୨୫% ଟିକସ ଲଗାଇଥିବାବେଳେ ମଙ୍ଗଳବାର ଏଥିରେ ଆଉ ୫୦% ବୃଦ୍ଧି କରାଯାଇଛି । ଅର୍ଥାତ୍ ମଦ ଉପରେ ଆନ୍ଧ୍ର ପ୍ରଦେଶ ସରକାର ୭୫% ଟିକସ ଆଦାୟ କରିବେ ବୋଲି ନିଷ୍ପତ୍ତି ହୋଇଛି । ମୁଖ୍ୟମନ୍ତ୍ରୀ ଜଗନଙ୍କ ଏହି ନିଷ୍ପତ୍ତି ଆଜି ଅପରାହ୍ନରୁ କାର୍ଯ୍ୟକାରୀ ହେବ ବୋଲି ସ୍ବତନ୍ତ୍ର ମୁଖ୍ୟ ସଚିବ (ରାଜସ୍ବ) ରଜତ୍ ଭାର୍ଗବ କହିଛନ୍ତି ।

ଶ୍ରୀ ଭାର୍ଗବଙ୍କ ସୂଚନା ଅନୁସାରେ  ମଦ୍ୟପାନରୁ ଲୋକଙ୍କୁ ନିରୁତ୍ସାହିତ କରିବା ପାଇଁ ଦର ବୃଦ୍ଧି କରାଯାଇଛି ଏବଂ ଏହା ଆଜି ଅପରାହ୍ନରୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

Comments are closed.