ମଦ ପାଉଚ୍‍ ସହ ବାଇକ ଜବତ, ଜଣେ ଗିରଫ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅର୍ନ୍ତଗତ ଚାରିଛକ-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାର ଲକ୍ଷ୍ମଣପୁର ନିକଟରୁ ସୋମବାର ଅବକାରୀ ବିଭାଗ ଚଢଉ କରି ଶହେଟି ମଦ ପାଉଚ୍‍ ସହ ଗୋଟିଏ ବାଇକ୍‍ ଜବତ କରିଛି। ଏହି ଘଟଣାରେ ରାଜୁରଞନ ସିଂ(୩୯)ଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, କୁଶଙ୍ଗ ଦେଶୀ ମଦ ଭାଟିରୁ ଏକ ହିରୋ ଡିଲକ୍ସ ବାଇକ୍‍ ନଂ ଓଡି ୨୭ ବି-୪୨୯୫ ଯୋଗେ ଚାରିଛକ ଆଡକୁ ଦେଶୀ ମହୁଲି ମଦ ପାଉଚ୍‍ ଚୋରାଚାଲାଣ ହେଉଥିଲା। ହରଭଙ୍ଗା ଅବକାରୀ ବିଭାଗ ପକ୍ଷରୁ ଲକ୍ଷ୍ମଣପୁର ନିକଟରେ ବାଇକକୁ ଅଟକାଇ ଯାଂଚ ବେଳେ ଗାଡିରିୁ ୧୦୦ଟି ୨ଶହ ମିଲିଲିଟର ମଦପାଉଚ୍‍ ମିଳିଥିଲା। ଯାହାର ଓଜନ ୨୦ଲିଟର ହେବ ବୋଲି ଜଣାପଡିଛି। ଏ ନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁକରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଥାଉ କି, ଏକ ବୋଲେରୋ ଯୋଗେ କୁଶଙ୍ଗ ଅଂଚଳରୁ ବିପୁଳ ପରିମାଣରେ ଚୋରା ମଦ ପାଉଚ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ ବିଭାଗ ଛତ୍ରଙ୍ଗ ପାଖରୁ ଆଜି ଦିନଦ୍ୱିପହରରେ ଗାଡି ସହ ମଦ ଜବତ କରିଥିବା ଶୁଣିବାକୁ ମିଳୁଛି। ମାତ୍ର ପରବର୍ତୀ ସମୟରେ ବୋଲେରୋ ଗାଡି ସହ ବିପୁଳ ପରିମାଣରେ ମଦ ପାଉଚକୁ ଚପାଇ ଦେଇ ନାମକୁ ମାତ୍ର ଏକ ବାଇକ ଏବଂ କିଛି ମଦପାଉଚ ଜବତ ହୋଇଥିବା ଅବକାରୀ ବିଭାଗ ଦର୍ଶାଉଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏ ସମ୍ପର୍କକରେ ହରଭଙ୍ଗା ଅବକାରୀ ଇନିସପେକ୍ଟର ରମେଶ ମହାନ୍ତିଙ୍କୁ ପଚାରିବାରୁ ଏହା ସମ୍ପୂର୍ଣ୍ଣ ମିଛ କଥା ବୋଲି କହିଛନ୍ତି।

Comments are closed.