ବାର୍ସେଲୋନା ଛାଡ଼ିବେ ମେସି

ବାର୍ସେଲୋନା : ସ୍ପେନ୍‍ର ପ୍ରସିଦ୍ଧ କ୍ଲବ୍‍ ବାର୍ସେଲୋନା ଓ ଆର୍ଜେଣ୍ଟିନା ଫୁଟ୍‍ବଲ ଦଳର ଷ୍ଟ୍ରାଇକର ଲିଓନେଲ ମେସି ପରସ୍ପର ପରିପୂରକ। ଦୁହେଁ ଦୁହିଁଙ୍କର ପରିଚୟ ସାଜିଛନ୍ତି। ୨୦୦୦ରେ ଜଣେ ଯୁବ ଖେଳାଳି ଭାବେ ବାର୍ସେଲୋନାରେ ଯୋଗ ଦେଇଥିଲେ ମେସି। ୨୦୨୧ ପର୍ଯ୍ୟନ୍ତ ଏହି କ୍ଲବ୍‍ ପାଇଁ ଖେଳିବାକୁ ମେସି ଚୁକ୍ତି କରିଛନ୍ତି। ହେଲେ ହଠାତ୍‍ ବାର୍ସେଲୋନା କ୍ଲବ୍‍ ଛାଡ଼ିବେ ବୋଲି ଉକ୍ତ କ୍ଲବ୍‍କ ଏକ ଫ୍ୟାକ୍ସ ବାର୍ତ୍ତାରେ ମେସି ଜଣାଇ ଦେଇଛନ୍ତି। ଦଳୀୟ କନ୍ଦଳ ଯୋଗୁଁ ମେସି ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି।

ଗତ ସପ୍ତାହରେ ୟୁଏଫା ଚମ୍ପିଆନ୍‍ସ ଲିଗ୍‍ର ଏକ ମ୍ୟାଚ୍‍ରେ ଜର୍ମାନୀର ବାୟର୍ନ ମ୍ୟୁନିକ୍‍ଠାରୁ ୨-୮ ଗୋଲ୍‍ରେ ବାର୍ସେଲୋନା ପରାସ୍ତହେବା ପରେ ଦଳର ଖେଳାଳି; ବିଶେଷକରି ମୁଖ୍ୟ ଖେଳାଳି ଲିଓନେଲ ମେସିଙ୍କୁ ବହୁତ ସମାଲୋଚନା କରାଯାଉଛି। ତାଙ୍କର ସାରା ଫୁଟ୍‍ବଲ ଜୀବନ ମେସି ବାର୍ସେଲୋନାରେ ବିତାଇଥିବା ବେଳେ ୩୩ ବର୍ଷ ବୟସରେ କ୍ଲବ୍‍ ଛାଡ଼ିବା ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି। ନିକଟରେ ରେନାଲ୍‍ଡ କୋମ୍ୟାନ୍‍ ବାର୍ସେଲୋନା କ୍ଲବ୍‍ର ପ୍ରଶିକ୍ଷକ ଦାୟିତ୍ୱ ପାଇବା ପରେ ଉରୁଗୁଏର ଲୁଇସ୍‍ ସ୍ୱାରେଜ୍‍ଙ୍କୁ ଦଳରେ ରଖିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ। ସ୍ୱାରେଜ୍‍ ହେଉଛନ୍ତି ମେସିଙ୍କର ଘନିଷ୍ଠ ବନ୍ଧୁ। ଏହା ମେସିଙ୍କୁ ବହୁତ ଆଘାତ ଦେଇଛି। ସେ ଯାହାହେଉ; କ୍ଲବ୍‍ ଛାଡ଼ିବା ଲାଗି ମେସିଙ୍କ ଫ୍ୟାକ୍ସ ପରେ ବାର୍ସେଲୋନା ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ୫ ବର୍ଷ ଲାଗି ମେସି ବାର୍ସେଲୋନାର ଯୁବ ଦଳ ପାଇଁ ଖେଳିବା ପରେ ୨୦୦୫ରୁ ଅଦ୍ୟାବଧି ବାର୍ସେଲୋନା କ୍ଳବ୍‍ ପାଇଁ ଖେଳୁଛନ୍ତି। ଅଦ୍ୟାବଧି ସେ ୪୮୫ଟି ମ୍ୟାଚ୍‍ ଖେଳି କ୍ଲବ୍‍ ଇତିହାସରେ ସର୍ବାଧିକ ୪୪୪ଟି ଗୋଲ୍‍ ସ୍କୋର୍‍ କରିଛନ୍ତି। ସେ ଆର୍ଜେଣ୍ଟିନା ପାଇଁ ୧୩୮ଟି ମ୍ୟାଚ୍‍ ଖେଳି ୭୦ଟି ଗୋଲ୍‍ ସ୍କୋର୍‍ କରିଛନ୍ତି। ମେସି ବାର୍ସିଲୋନାକୁ ୧୦ଥର ଲା ଲିଗା ଓ ୪ଥର ଚମ୍ପିଆନ୍‌ସ ଲିଗ୍‌ ଚମ୍ପିଆନ୍‌ସ ଲିଗ୍‌ ଚମ୍ପିଆନ୍‌ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିସହ ସେ ୬ଥର ବାଲାନ୍‌ ଡି’ ଓର୍‌ ଟ୍ରଫି ହାସଲ କରିଥିଲେ। ତାଙ୍କୁ ୬ଥର ୟୁରୋପିଆନ୍ ଗୋଲଡେନ୍ ଜୋତା ପୁରସ୍କାର ମିଳିଥିଲା।

Comments are closed.