ଅସୁରକ୍ଷିତ ଶ୍ରୀଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଅସୁରକ୍ଷିତ। ମନ୍ଦିର ସୁରକ୍ଷା ଦୃଷ୍ଟିରୁ ପାଚେରି କଡ଼ରେ ଲାଗିଥିବା ତାର ଜାଲିକୁ କେହି ଦୁର୍ବୃତ୍ତ ନେଇଯାଇଛି। ଦୀର୍ଘମାସ ହେବ ମନ୍ଦିର ଉତ୍ତର ପାର୍ଶ୍ବରୁ ତାର ଜାଲି ଉଭାନ ହୋଇଯାଇଛି। ପ୍ରତ୍ନତତ୍ତ୍ବ ବିଭାଗ ପାଖରେ ଏ ନେଇ ଖବର ନାହିଁ। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏକାମ୍ରର ଆରାଧ୍ୟ ଦେବ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଅସୁରକ୍ଷିତ ହୋଇପଡ଼ିଛି। ମନ୍ଦିରକୁ ଲାଗି ଚିତ୍ରକାରିଣୀ ମନ୍ଦିର ରହିଛି। ଯାହାର ସୁରକ୍ଷା ଦାୟିତ୍ବ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର। ସେଠାରେ ବହୁ ସମୟ ଧରି ବିଭାଗୀୟ କର୍ମଚାରୀ କାର୍ଯ୍ୟ କରନ୍ତି। ଏଭଳି ପରିସ୍ଥିତିରେ ସେ ଅଞ୍ଚଳରୁ କିଏ ଓ କାହିଁକି ତାର ଜାଲି ଖୋଲି ନେଲା ନା ଚୋରି ହୋଇଯାଇଛି େସେନଇ ପ୍ରଶ୍ନବାଚୀ ସୃଷ୍ଟି େହାଇଛି। ଚୋରି ହୋଇଥିଲେ ବିଭାଗ କ’ଣ ପାଇଁ ଥାନାରେ ଅଭିଯୋଗ କରିନି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।


ଶ୍ରୀଲିଙ୍ଗରାଜ ମନ୍ଦିର ସୁରକ୍ଷା ସମ୍ପର୍କରେ ମନ୍ଦିର ସିଂହଦ୍ବାର ସାମ୍ନାରେ ପୁଲିସର ୨୪ଘଣ୍ଟିଆ ପହରା ହୋଇଥିଲେ ମଧ୍ୟ ଚତୁଃପାର୍ଶ୍ବର ବେଢ଼ା ନିଚ୍ଚା ଥିବା ଯୋଗୁଁ ଏହାର ସୁରକ୍ଷା ନେଇ ପ୍ରଶ୍ନ ଉଠିଥିଲା। ମନ୍ଦିର ପାଚେରି ଭିତରେ ପଶିଯିବାର ସମ୍ଭାବନା ରହିଥିବାରୁ ସେବାୟତ, ମନ୍ଦିର ପ୍ରଶାସନ, ପୁଲିସ କମିସନର ଓ ପ୍ରତ୍ନତତ୍ତ୍ବ ବିଭାଗର ମିଳିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ମନ୍ଦିର ବେଢ଼ାର ପଶ୍ଚିମ ଓ ଉତ୍ତର ପାର୍ଶ୍ବ ପାଚେରିକୁ ତାର ଜାଲିରେ ଆବଦ୍ଧ କରାଯିବ। ପ୍ରତ୍ନତତ୍ତ୍ବ ବିଭାଗ ଲୁହା ଖମ୍ବ ପୋତି ଦୁଇ ପାର୍ଶ୍ବକୁ ତାର ଜାଲିରେ ଆବଦ୍ଧ କରିଥିଲା। ଏବେ ପଶ୍ଚିମ ପାର୍ଶ୍ବରେ ତାର ଜାଲି ଥିବାବେଳେ ଉତ୍ତର ପାର୍ଶ୍ବର ଜାଲି ନାହିଁ।
ପ୍ରତ୍ନତତ୍ତ୍ବ ବିଭାଗର ସଂରକ୍ଷଣ ସହାୟକ ସୁଶାନ୍ତ ଗୋଚ୍ଛାୟତ କହିଛନ୍ତି, ଦୀର୍ଘଦିନ ହେବ ତାର ଜାଲି ଖୋଲି ତଳେ ପଡ଼ିଥିଲା। ଏବେ ସେଠାରେ ନାହିଁ। ହୁଏତ ନଷ୍ଟ ହୋଇଯିବା କାରଣରୁ ଗଳି ପଡ଼ିଥାଇପାରେ। ତାକୁ କିଏ ଖୋଲି ରଖିଥାଇ ପାରନ୍ତି। ଅନ୍ୟ ବିଭାଗର କର୍ମଚାରୀଙ୍କୁ ପଚାରିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ସେ କହିଛନ୍ତି। ଏଏସ୍‌ଆଇ ଅଧୀକ୍ଷକ ଅରୁଣ ମଲ୍ଲିକ କହିଛନ୍ତି, ତାର ଜାଲି କଢ଼ାଯାଇଥିବା ତାଙ୍କ ଦୃଷ୍ଟିକୁ ଆସିନି। ଏ ବିଷୟରେ ସଂରକ୍ଷଣ ସହାୟକ ସହ ଆଲୋଚନା କରିବା ପରେ କହିପାରିବେ ବୋଲି ସୂଚନା ଦେଇଛନ୍ତି।

Comments are closed.