ଜମିଲାଣି ଦଶହରା, ଆଲୋକ ମାଳାରେ ଝଲସୁଛି ଆଠଗଡ ସହର

ଆଠଗଡ :  ମା’ ଦୁର୍ଗାଙ୍କ ଆବାହନରେ ଉତ୍ସବମୁଖର ହୋଇ ଉଠିଛି ଆଠଗଡ ସହର । ଆଠଗଡର ସହରର ସମସ୍ତ ପୂଜା କମିଟି ପକ୍ଷରୁ ସମଗ୍ର ସହର ଆଲୋକମାଳା ଓ ଆଲୋକ ତୋରଣରେ ଝଲସୁଛି । କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା ଯାତ୍ରା ଦୁଇବର୍ଷ ପରେ ଚଳିତବର୍ଷ ବେଶ ଜାକଜମକରେ ପାଳିତ ହେଉଛି । ଚଳିତବର୍ଷ ଯେଉଁ ପୂଜାମଣ୍ଡପ ଗୁଡିକରେ ସ୍ୱଚ୍ଛତା ରହିବ, ଅଗ୍ନି ନିର୍ବାପନ ପାଇଁ ବ୍ୟବସ୍ଥା ସହିତ ଭସାଣି ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହେବ ସେହି ପୂଜାମଣ୍ଡପ ଗୁଡିକ ମଧ୍ୟରୁ ଶ୍ରେଷ୍ଠ ୩ଟି ପୂଜା ମଣ୍ଡପକୁ ପୁରସ୍କୃତ କରିବା ପାଇଁ ଆଠଗଡ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାରୁ ପୂଜା ମଣ୍ଡପ ଗୁଡିକ ସେ ଦିଗରେ ସଚେତନ ହୋଇ ପ୍ରତିଯୋଗିତାମୂଳକ ମନୋଭାବ ରଖି ସେହି ଅନୁଯାୟୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ।

ସନ୍ଧ୍ୟାପରେ ପୂଜାମଣ୍ଡପରେ ପୂଜା ଦେଖିବା ପାଇଁ ପ୍ରବଳ ଜନସମାଗମ ଯୋଗୁଁ ଟ୍ରାଫିକ୍‍ ସମସ୍ୟା ସୃଷ୍ଟି ହେଉଛି । ଆଠଗଡ ପୁଲିସ ଟ୍ରାଫିକ୍‍ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରୁଥିଲେ ମଧ୍ୟ ରାସ୍ତାକଡରେ ଶହ ଶହ ସଂଖ୍ୟାରେ ଦୁଇଚକିଆ ଯାନ ରହୁଥିବାରୁ ସମସ୍ୟା ଉପୁଜୁଛି । ଆଠଗଡର ପ୍ରମୁଖ ବଜାର ଗୁଡିକ ମଧ୍ୟରେ ଦୁର୍ଗାବଜାର, ରଘୁନାଥ ବଜାର, ଲକ୍ଷ୍ମୀବଜାର, ଚାନ୍ଦବାଲିଛକ ବଜାର, ଜଗନ୍ନାଥ ବଜାର, କନ୍ତୋଲର ଦୁର୍ଗାବଜାର, କଇଁଆଛକ ବଜାର, ହାଟ ବଜାର ସମେତ ସମସ୍ତ ସାହି ଓ ବସ୍ତିରେ ମୋଟ ୩୦ରୁ ଅଧିକ ପୂଜାମଣ୍ଡପରେ ମା ଦୁର୍ଗା ଏବଂ ଶିବପାର୍ବତୀଙ୍କର ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି । ସମସ୍ତ ପ୍ରମୁଖ ବଜାର ପକ୍ଷରୁ ୨-୩ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେଉଛି ।

Comments are closed.