ମାନସିକ ଚାପକୁ କମ୍ କରିବ ମାଲିସ୍

କାମର ଚାପ ସହ ପାରିବାରିକ ଅଶାନ୍ତି ବଢ଼ିଲେ ହିଁ ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇଥାଏ। ବିଶେଷଜ୍ଞ ଦଳ ଏଥିରୁ ନିବୃତ୍ତ ପାଇବା ନିମନ୍ତେ ଅନେକ ଉପାୟ ବାହାର କରିଛନ୍ତି। ଇଂଲଣ୍ଡର କିଙ୍ଗଷ୍ଟନ୍ ବିଶ୍ବବିଦ୍ୟାଳୟର ଗବେଷକ ସମୂହ ମାନସିକ ଚାପଗ୍ରସ୍ତ ଲୋକଙ୍କୁ ନେଇ ଅନୁଧ୍ୟାନ କରିଥିଲେ। ଉଭୟ ପୁରୁଷ ଓ ମହିଳା ଏଥିରେ ସାମିଲ ଥିବାବେଳେ ଲକ୍‌-ଡାଉନ୍ କାରଣରୁ ଘରେ ଅଧିକାଂଶ ସମୟ ରହି ଏମାନଙ୍କ ବିରକ୍ତିଭାବ ବଢ଼ିଚାଲିଥିଲା। ବିଭିନ୍ନ ଉପଚାର କରାଯିବା ସହ ନିୟମିତ ୧୦ ମିନିଟ୍ ସେମାନଙ୍କ ମଥାକୁ ମାଲିସ୍ କରାଯାଉଥିଲା। ଏଇ ୧୦ ମିନିଟ୍ ପରେ ଅଧିକାଂଶ ମାନସିକ ଚାପଗ୍ରସ୍ତ ଲୋକଙ୍କ ବ୍ୟବହାରରେ ଏକ ପରିବର୍ତ୍ତନ ଆସୁଥିଲା। ସେମାନଙ୍କ ଚିଡ଼ଚିଡ଼ାପଣ କମ୍ ହେବା ସହ ଅଯଥାରେ କଥା କହିବାକୁ ମଧ୍ୟ ପସନ୍ଦ କରିନଥିଲେ। ୪୧ ବର୍ଷୀୟା ଏନିଙ୍କ ମଥା ମାଲିସ୍ ପରେ ତାଙ୍କ ଅନୁଭୂତିକୁ ସେ ପ୍ରକାଶ କରିଥିଲେ। ମାଲିସ୍ ପରେ ସେ ହାଲୁକା ଓ ଚାପମୁକ୍ତ ଅନୁଭବ କରିଥିଲେ। ୧ ସପ୍ତାହ ସେ ନିୟମିତ ମଥା ମାଲିସ୍ କରିବା ପରେ ସବୁ କାମକୁ ଫୂର୍ତ୍ତିର ସହ ସେ କରୁଥିବାର ତାଙ୍କ ପରିବାର ସଦସ୍ୟ କହିଛନ୍ତି। ବିଶେଷଜ୍ଞ ଦଳର ମୁଖ୍ୟ ପ୍ରଫେସର୍ ଜେନ୍ସ ପ୍ରୁସେନର୍‌ଙ୍କ ମତରେ ମାନସିକ ଚାପକୁ କମ୍ କରିବାର ସହଜ ଉପାୟ ହେଲା ପର୍ଯ୍ୟାପ୍ତ ପରିମାଣରେ ବିଶ୍ରାମ ନେବା।

Comments are closed.