ଖାଲି ଯାହା ପେଟ ପାଇଁ, ବାଜି ଲାଗୁଛି ଅମୁଲମୂଲ ଜୀବନ

ଫୁଲବାଣୀ/କ.ନୂଆଗାଁ: ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ଦିଆଯାଉଥିବା ଟଙ୍କିକିଆ ଚାଉଳ ସଂଗ୍ରହ କରିବାକୁ ଚାଳିଛି ଜୀବନ ସହିତ ଲଢେଇ। କନ୍ଧମାଳ ଜିଲାର କ.ନୂଆଗାଁ ବ୍ଳକ ଅନ୍ତର୍ଗତ ଗୁଞ୍ଜିବାଡ଼ି ପଞ୍ଚାୟତର ୪ ଖଣ୍ଡ ଗ୍ରାମବାସୀଙ୍କ କ୍ଷେତ୍ରରେ ଏଭଳି ଦୃଶ୍ୟ ବର୍ଷାଦିନେ ରୀତିମତ ଦେଖିବାକୁ ମିଳୁଛି। କନ୍ଧମାଳ ଜିଲାର ଏଭଳି ଅନେକ ଗ୍ରାମ ଅଛି ଯେଉଁଠି ଆଜି ପର୍ୟ୍ୟନ୍ତ ସବୁଦିନିଆ ରାସ୍ତା ନାହିଁ। ମୌଳିକ ସୁବିଧାରୁ ବର୍ଷ ବର୍ଷ ଧରି ବଞ୍ଚିତ ରହିଛନ୍ତି ଗୁଞ୍ଜିବାଡ଼ି ପଞ୍ଚାୟତର ବଦାଲି, ମିନାମିଳୁ, ଶ୍ରକପାଙ୍ଗା ଓ ଡ଼ାକଲି ବଗାଡ଼ି ଆଦି ଗ୍ରାମର ୪୦ ଆଦିବାସୀ ପରିବାର।

ମୁଖ୍ୟ ସମସ୍ୟା କହିବାକୁ ଗଲେ ଏହି ସବୁ ଗ୍ରାମଗୁଡ଼ିକ ଯିବାକୁ ରାସ୍ତା ନାହିଁ। ବଗାଡି ନଦୀ ଏହି ସବୁ ଗ୍ରାମବାସୀଙ୍କ ଦୁଃଖ ସାଜିଛି। ଖରା ଓ ଶୀତ ଋତୁରେ ନଦୀର ଜଳସ୍ରୋତ କମ୍‍ ରହୁଥିବାରୁ ଲୋକେ କୌଣସି ମତେ ଯାତାୟତ କରିଥାନ୍ତି। କିନ୍ତୁ ବର୍ଷା ଦିନ ଆସିଗଲେ ଏହି ୪୦ ପରିବାର ଚିନ୍ତା ବଢିଯାଉଛି। ବର୍ଷା ଦିନେ ନଦୀର ଜଳସ୍ତର ବୃଦ୍ଧି ସହ ଗତି ପ୍ରଖର ରହୁଛି। ଗ୍ରାମବାସୀ ନଦୀର ଏ କୂଳରୁ ସେ କୂଳରେ ଥିବା ବଡ଼ ବଡ଼ ଗଛରେ ବିଦ୍ୟୁତ୍‍ ତାର ବାନ୍ଧି ତାହାରି ସାହାଯ୍ୟରେ ଯାତାୟାତ କରିଥାନ୍ତି।

ଏଭଳି ବର୍ଷ ବର୍ଷ ଧରି ସେମାନେ ଜୀବନ ସହିତ ଲଢେଇ କରି ଜୀବନ ଜୀଉଁଛନ୍ତି। ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ବାରମ୍ବାର ଦାବି ଶୂନ୍ୟରେ ମିଳେଇ ଯାଉଛି। ଖଣ୍ଡିଏ ପୋଲ ପାଇଁ ଗ୍ରାମବାସୀ ଅଭିଶପ୍ତ ଜୀବନ ବିତାଉଛନ୍ତି। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଲୋକେ ଥଣ୍ଡା ରୋଗରେ ଆକ୍ରାନ୍ତ ହେଲେ ମଧ୍ୟ ଭୟଭୀତ ଅବସ୍ଥାରେ ରହୁଛନ୍ତି। ପ୍ରତିଦିନ ନଦୀ ପାର ହୋଇ ଆବଶ୍ୟକ ଜିନିଷ ଆଣିବାକୁ ଭୟ କରୁଥିବାରୁ ରୋଗବ୍ୟାଧିରେ ପୀଡିତ ହେଲେ ନଦୀ ଜଳରେ ପ୍ରବେଶ କରି ଯାତାୟାତ କରିବାକୁ ଇଛା ପ୍ରକାଶ କରୁ ନାହାଁନ୍ତି।

ନିର୍ବାଚନ ସମୟରେ ମଧ୍ୟ ଦିଆଯାଉଛି ସ୍ଥାୟୀ ପୋଲ ପାଇଁ ନିର୍ଭର ପ୍ରତିଶୃତି। କିନ୍ତୁ ନିର୍ବାଚନ ପରେ ଆଉ କାହାର ହେଲେ ଦେଖାମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଲୋକସଂଖ୍ୟା କମ୍‍ ଦର୍ଶାଇ ପ୍ରଶାସନ ମଧ୍ୟ କୌଣସି ପ୍ରକାର ଦୃଷ୍ଟି ଦେଉନାହାନ୍ତି ବୋଲି କ୍ଷୋଭର ସହ ଗ୍ରାମବାସୀ କହିଛନ୍ତି।

Comments are closed.