ଲକ ଡାଉନରେ ସାହାରା ପାଲଟିଲା ଲାଇଫ୍ ଲାଇନ ଉଡାଣ

ସମାଜ ପୋର୍ଟାଲ ଡେସ୍କ: ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର, ଆଇଏଏଫ ଏବଂ ଘରୋଇ ବିମାନ ଚାଳକ ଦ୍ୱାରା ଜୀବନରେଖା ବା ଲାଇଫ୍ ଲାଇନ ଉଡାଣ ଅଧୀନରେ ୪୨୨ ବିମାନ ଚଳାଚଳ କରିଛି। ଏଥିରେ ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାର ଦ୍ୱାରା ୨୪୪ ବିମାନ ଚଳାଚଳ କରିଛି । ଏପର୍ୟ୍ୟନ୍ତ ପରିବହନ କରାଯାଇଥିବା ସାମଗ୍ରୀ ବା କାର୍ଗୋ ହେଉଛି ପ୍ରାୟ ୭୯୦.୨୨ ଟନ୍। ଲାଇଫ୍ ଲାଇନ ଉଡାଣ ଦ୍ୱାରା ଏ ପର୍ୟ୍ୟନ୍ତ ୪,୧୩,୫୩୮ କି.ମିରୁ ଅଧିକ ଉଡାନ କରାଯାଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ଲାଇଫ୍ ଲାଇନ ଉଡାଣ ପରିଚାଳନା କରାଯାଉଛି, ଯାହାଦ୍ୱାରା କୋଭିଡ଼-୧୯ ବିରୁଦ୍ଧରେ ଭାରତର ଲଢେଇକୁ ସମର୍ଥନ କରିବା ପାଇଁ ଦେଶର ଦୂରଦୁରାନ୍ତ ଅଂଚଳରେ ଆବଶ୍ୟକ ଚିକିତ୍ସା ସାମଗ୍ରୀ ପରିବହନ କରାଯାଉଛି।

ପୱନହଂସ ଲିମିଟେଡ଼ ସହିତ ହେଲିକପ୍ଟର ସେବାଗୁଡ଼ିକୁ ଜମ୍ମୁ ଏବଂ କଶ୍ମୀର, ଲଦ୍ଦାଖ, ଦ୍ୱୀପଗୁଡ଼ିକ ଏବଂ ପୂର୍ବୋତ୍ତର କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କାର୍ଗୋ ଏବଂ ରୋଗୀଙ୍କୁ ପରିବହନ କରୁଛି। ପୱନହଂସ ୧ ମଇ, ୨୦୨୦ ପର୍ୟ୍ୟନ୍ତ ୭,୫୨୯ କିଲୋମିଟରର ଯାତ୍ରା କରି ୨.୦୩ ଟନ କାର୍ଗୋ ପରିବହନ କରିଛନ୍ତି। ଏଥିରେ ପୂର୍ବୋତ୍ତର ଅଂଚଳ, ଦ୍ୱୀପ ଏବଂ ପାହାଡିଆ ରାଜ୍ୟଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏୟାର ଇଣ୍ଡିଆ ଏବଂ ଆଇଏଏଫ ମୁଖ୍ୟତଃ ଜମ୍ମୁ ଏବଂ କଶ୍ମୀର, ଲଦ୍ଦାଖ, ପୂର୍ବୋତ୍ତର ଏବଂ ଅନ୍ୟ ଦ୍ଵୀପାଞ୍ଚଳ ପାଇଁ ସହଯୋଗ କରିଛି।

ଘରୋଇ କାର୍ଗୋ ଅପରେଟର ସ୍ପାଇସଜେଟ୍, ବ୍ଲୁଡାଇ, ଇଣ୍ଡିଗୋ ଏବଂ ବିସ୍ତାରା ବାଣିଜ୍ୟିକ ଆଧାରରେ କାର୍ଗୋ ଉଡାଣ ଚଳାଚଳ କରୁଛନ୍ତି। ସ୍ପାଇସଜେଟ୍ ୨୪ ମାର୍ଚ୍ଚରୁ ୧ ମଇ ୨୦୨୦ ମଧ୍ୟରେ ୧୨,୭୭,୨୧୩ କିଲୋମିଟର ଯାତ୍ରା କରି ୭୩୪ କାର୍ଗୋ ଉଡାଣ କରିଛି ଏବଂ ୫,୩୨୦ ଟନ ମାଲ ପରିବହନ କରିଛ। ଏଥିମଧ୍ୟରୁ ୨୭୦ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ଉଡାଣ ଥିଲା। ବ୍ଲୁଡାଇ ୨୫ ମାର୍ଚ୍ଚରୁ ୧ ମଇ ୨୦୨୦ ମଧ୍ୟରେ ୨,୬୭,୪୧୭ କିମି ଦୂରତା ଅତିକ୍ରମ କରି ୨୪୫ କାର୍ଗୋ ଉଡାଣ କରିଛି। ଏଥିମଧ୍ୟରୁ ୧୨ଟି ଅନ୍ତରାଷ୍ଟ୍ରୀୟ କାର୍ଗୋ ଉଡାଣ ଥିଲା। ଇଣ୍ଡିଗୋ ୩ ଅପ୍ରେଲରୁ ୧ ମଇ ୨୦୨୦ ମଧ୍ୟରେ ୧,୩୬,୦୬୦ କିଲୋମିଟର ଯାତ୍ରା କରି ୮୨ କାର୍ଗୋ ଉଡାଣ କରିଛି ଏବଂ ପ୍ରାୟ ୩୯୩ ଟନ କାର୍ଗୋ ପରିବହନ କରିଛି ଯେଉଁଥିରେ ୨୭ଟି ଅନ୍ତରାଷ୍ଟ୍ରୀୟ ଉଡାଣ ରହିଛି। ଏଥିରେ ସରକାରଙ୍କ ପାଇଁ ମାଗଣାରେ ପରିବହନ ହୋଇଥିବା ଚିକିତ୍ସା ସାମଗ୍ରୀ ଯୋଗାଣ ସାମିଲ ଅଛି । ଭିସ୍ତାରା ୧୯ ଅପ୍ରେଲରୁ ୧ ମଇ ୨୦୨୦ ମଧ୍ୟରେ ୨୮,୫୯୦ କିଲୋମାଟର ଦୂର ଯାତ୍ରା କରି ୧୩୯ ଟନ ମାଲ ପରିବହନ କରିଛି, ଯେଉଁଥିରେ ୨୦ଟି କାର୍ଗୋ ଉଡାଣ ସାମିଲ ଅଛି ।

ଅନ୍ତରାଷ୍ଟ୍ରୀୟ ସ୍ତରରେ ଔଷଧ, ଚିକିତ୍ସା ଉପକରଣ ଏବଂ କୋଭିଡ଼-୧୯ ସହାୟତା ସାମଗ୍ରୀର ପରିବହନ ପାଇଁ ପୂର୍ବ ଏସିଆ ସହିତ ଏକ କାର୍ଗୋ ଏୟାର ବ୍ରିଜ ସ୍ଥାପନ କରାଯାଇଥିଲା। ଏଥିରେ ଏୟାର ଇଣ୍ଡିଆ ଦ୍ୱାରା ଅଣାଯାଇଥିବା ମେଡିକାଲ କାର୍ଗୋର ମାତ୍ରା ୮୪୨ ଟନ୍ ଥିଲା। ଉପରୋକ୍ତ ସେବା ବ୍ୟତୀତ ୧୪ ଅପ୍ରେଲରୁ ୧ ମଇ ୨୦୨୦ ପର୍ୟ୍ୟନ୍ତ ବ୍ଲୁଡାଇ ଗୁଆଙ୍ଗଝୁ ଏବଂ ସାଙ୍ଘାଇରୁ ପ୍ରାୟ ୧୧୪ ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି । ସ୍ପାଇସଜେଟ ମଧ୍ୟ ୧ ମଇ ୨୦୨୦ ପର୍ୟ୍ୟନ୍ତ ସାଙ୍ଘାଇ ଏବଂ ଗୁଆଙ୍ଗଝୁରୁ ୨୦୪ ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି ଏବଂ ୧ ମଇ ୨୦୨୦ ପର୍ୟ୍ୟନ୍ତ ହଂକଂ ଏବଂ ସିଙ୍ଗାପୁରରୁ ୧୬ ଟନ ଚିକିତ୍ସା ସାମଗ୍ରୀ ପରିବହନ କରିଛି।

Comments are closed.