ସଟ୍‍ଡାଉନ୍‍’ରେ ଜୀବନ, ଖଟିଖିଆଙ୍କୁ ରୋଜଗାର ଚିନ୍ତା

ରାସ୍ତା ଉପରେ ଉଷା, ପେଟ ପାଇଁ ରିକ୍ସା

ବଲାଙ୍ଗୀର: ସପ୍ତାହନ୍ତ (ଶନିବାର ଓ ରବିବାର) ସଟ୍‍ଡାଉନ୍‍ ଯୋଗୁଁ ଶନିବାର ଦିନ ମଜୁରିଆ ଓ ଖଟିଖିଆ ଲୋକେ ଚିନ୍ତାରେ। ପ୍ରବାସୀରୁ ଗାଁ ମୁହାଁ ହେଉଥିବା ବେଳେ ବସ୍‍, ଅଟୋ ଚାଳଚଳ ସବୁ ବନ୍ଦ। ଫଳରେ ଯାତ୍ରୀମାନେ ବି ହନ୍ତସନ୍ତ ହୋଇଛନ୍ତି। ଶନିବାର ସହରର ଅତ୍ୟାବଶ୍ୟକ ସାମଗ୍ରୀ(ଔଷଧ, କ୍ଷୀର) ଭଳି ଦୋକାନକୁ ଛାଡିଦେଲେ ଅନ୍ୟ ଦୋକାନଗୁଡ଼ିକରେ ତାଲା ଝୁଲିଥିଲା। କୂଆ, କୋଇଲିଟେ ଶବ୍ଦ କରୁଥିବାର ଶୁଣାଯାଇ ନଥିଲା। ପ୍ରଥମ ଦିନ ସଟ୍‍ଡାଉନ୍‍ ଯୋଗୁଁ ବିଭିନ୍ନ ଛକରେ ମୁତୟନ ହୋଇଥିଲେ ପୁଲିସ, ଟ୍ରାଫିକ୍‍ ପୁଲିସ ସହ ହୋମାଗାର୍ଡମାନେ। ହେଲେ ଅନେକଙ୍କ ମୁହଁରେ ରହିଥିଲା ମାସ୍କ। କାଁ ଭାଁ ବାଇକ, ଚାରି ଚକିଆ ଓ ଟ୍ରକ ଚଳାଚଳ କରୁଥିଲେ ବି ପୂର୍ବ ଭଳି ଭିଡ ନଥିଲା। ଆଉ ସହରରେ ପୁଲିସ ଭ୍ୟାନ ଓ ପିସିଆର୍‍ ଗାଡି ବୁଲୁଥିବା ଦେଖାଯାଇଛି।

ପ୍ୟାଲେସ୍‍ ଲାଇନ୍‍ ଦୁର୍ଗାମଣ୍ଡପ ଛକ। ଛକର ରାସ୍ତା କଡ଼ରେ ନିଜର ଝୁଲା ସବୁ ଧରି ଏକଲା ବସିଥିଲେ ଉଷା। ତାଙ୍କ ଜୀବନ ରାସ୍ତା କଡ଼ରେ ବିତେ। ସକାଳୁ ରାତି ଯାଏ କେଉଁଠି ନା କେଉଁଠି ସେ ମୁଣ୍ଡ ଗୁଞ୍ଜିଦିଅନ୍ତି। ମାଗି ଆଣି ଖାଆନ୍ତି। ହେଲେ ଶନିବାର ସଟ୍‍ଡାଉନ୍‍ ଯୋଗୁଁ ସେ କାହାକୁ ମାଗିବେ ଓ କ’ଣ ଖାଇବେ ବୋଲି ଅସ୍ଥିର ହୋଇ ପଡୁଥିଲେ। ଉଷାଙ୍କ ଭଳି ଅନେକ ରାସ୍ତା କଡ଼ ମଣିଷ ସଟ୍‍ଡାଉନ୍‍ ଯୋଗୁଁ ବିଚଳିତ ହେଲେଣି। ସେହିପରି ଆଉଜଣେ ହେଲେ ହାତୀଶାଳପଡ଼ାର ବିକ୍ର ନାଏକ। ରିକ୍ସାରେ ସେ ପ୍ଲାଷ୍ଟିକ ସଂଗ୍ରହ କରି ଦ୍ରୁତ ଗତିରେ ଯାଉଥିଲେ। ଡାକିଲେ ଭୟଭୀତ ହୋଇ ଯାଉଥିଲେ। ବିପ୍ର ପ୍ଲାଷ୍ଟିକ୍‍ ସାମଗ୍ରୀ ସଂଗ୍ରହ କରି ବିକ୍ରି କରିବା ସହ ପରିବାର ଚଳାନ୍ତି। ଶନିବାର ସଟ୍‍ଡାଉନ୍‍, ବିକ୍ରି କରିପାରିବେ ନାହିଁ। ତଥାପି ସଂଗ୍ରହ କରି ରଖିଥିଲେ ସୋମବାର ବିକିବେ। କରୋନାରେ ଭୁକେଶୁଷେ ମରିଯାଉଛୁ କହନ୍ତି ବିପ୍ର।

Comments are closed.