ଚିରନିଦ୍ରାରେ ଆଜାଦ୍‍ ହିନ୍ଦ୍‍ ଫୌଜର ଲେଫ୍ଟନାଣ୍ଟ ମାନବତୀ ଆର୍ଯ୍ୟା

ଆଜାଦ୍‍ ହିନ୍ଦ୍‍ ଫୌଜ ରାଣୀ ଝାନସୀ ରେଜିମେଣ୍ଟର ଶେଷ ସୈନିକ

କାନପୁର: ମହାନ କ୍ରାନ୍ତିକାରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍‍ ହିନ୍ଦ୍‍ ଫୌଜର ଶେଷ ସୈନିକ ଲେଫ୍ଟନାଣ୍ଟ ମାନବତୀ ଆର୍ଯ୍ୟାଙ୍କର ଶୁକ୍ରବାର କାନପୁରରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।
ଲେଫ୍ଟନାଣ୍ଟ ମାନବତୀ ଆର୍ଯ୍ୟା ଜୀବନ୍ତ ଅବସ୍ଥାରେ ଆଜାଦ୍‍ ହିନ୍ଦ୍‍ ଫୌଜର ସୈନିକ ଭାବେ ଦେଶପାଇଁ କାର୍ଯ୍ୟ କରିଥିବା ବେଳେ ତାଙ୍କ ମୃତ ଦେହକୁ ମଧ୍ୟ ଦେଶ ପାଇଁ ଦାନ କରି ଦିଆଯାଇଛି । କାରଣ ମୃତ୍ୟୁ ପୂର୍ବରୁ ଶରୀର ଦାନ କରିବା ନେଇ ସେ ଘୋଷଣା କରିଥିଲେ। ତାଙ୍କ ପୂର୍ବରୁ ଆଜାଦ୍‍ ହିନ୍ଦ୍‍ ଫୌଜର କ୍ୟାପଟେନ ଲକ୍ଷ୍ମୀ ସେହେଗଲ ମଧ୍ୟ ଶରୀର ଦାନ କରିଥିଲେ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ୍‍ ହିନ୍ଦ୍‍ ଫୌଜ, ରାଣୀ ଝାନସୀ ରେଜିମେଣ୍ଟର ଶେଷ ସୈନିକ ଭାବେ ଲେଫ୍ଟନାଣ୍ଟ ମାନବତୀ ଆର୍ଯ୍ୟାଙ୍କୁ  ବିବେଚନା କରାଯାଉଛି।

ସୂଚନାଯୋଗ୍ୟ ମାନବତୀ ଆର୍ଯ୍ୟା ୨ଥର କଟକ ଆସିଥିଲେ । ନେତାଜୀ ଜନ୍ମସ୍ଥାନ ପରିଦର୍ଶନ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ଏଠାରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଥିଲା ।

ମାନବତୀ ଆର୍ଯ୍ୟାଙ୍କ ସଂଗ୍ରାମୀ ଜୀବନ 

କାନପୁରର ବିକାଶ ନଗରର ପତ୍ରକାରପୁରମରେ ରହୁଥିବା ମାନବତୀ ଆର୍ଯ୍ୟାଙ୍କ ପିତା ପଣ୍ଡିତ ଶ୍ୟାମତା ପ୍ରସାଦ ପାଣ୍ଡେ ମ୍ୟାଁମାର(ତତ୍କାଳୀନ ବର୍ମା)ର ମ୍ୟାକ୍ଟ୍ରିଲା ସହରରେ ଡାକ ବିଭାଗର କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ୧୯୨୦ ମସିହା ଅକ୍ଟୋବର ୩୦ ତାରିଖରେ ମାନବତୀ ଆର୍ଯ୍ୟା ଜନ୍ମ ଗ୍ରହଣ କରିଥିଲେ। ସେ ଇଣ୍ଟରମିଡିଏଟ(ଆଇଏ) ପଢୁଥିବା ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଗଲା । ତେଣୁ ପରେ ସେ ୟୁପି ବୋର୍ଡ ଅଧିନରେ ଇଣ୍ଟରମିଡିଏଟ(ଆଇଏ)ପାସ୍‍ କରିଥିଲେ। ସେହିପରି ଆଗ୍ରା ବିଶ୍ୱ ବିଦ୍ୟାଳୟ ଅଧିନରେ ବିଏ, ବିଟି ଏବଂ କାନପୁର ବିଶ୍ୱ ବିଦ୍ୟାଳୟରୁ ଏମଏ ପାସ୍‍ କରିଥିଲେ।

Pic. Courtesy : Jagran.com

ତେବେ ରେଙ୍ଗୁନରେ ପାଠ ପଢୁଥିବା ସମୟରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଆଜାଦ୍‍ ହିନ୍ଦ୍‍ ଫୌଜରେ ଯୋଗ ଦେଇଥିଲେ । ସେ ନିଜ ପିତା-ମାତାଙ୍କ ଏକମାତ୍ର ସନ୍ତାନ ଥିଲେ, ତଥାପି ଦେଶ ପାଇଁ ଳଢ଼େଇ କରିବାକୁ ସେ ଶପଥ ନେଇଥିଲେ। ନେତାଜୀଙ୍କ ରାଣୀ ଝାନସୀ ରେଜିମେଣ୍ଟରେ ତାଙ୍କୁ ଲେଫ୍ଟନାଣ୍ଟ ଦାୟୀତ୍ୱ ଦିଆଯାଇଥିଲା।
ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ ସମୟରେ ସେ ଅନେକ ଥର ନିଜ ସାହସିକତା ପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥିଲେ । ଇଂରେଜମାନେ ବର୍ମାକୁ ନିଜ ଅଧିକାରକୁ ନେବା ପରେ ତାଙ୍କୁ ବିଶ୍ୱ ଭାରତୀ ଏକାଡେମୀର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଇଂରେଜ ସରକାରଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ସେ ନିଜ ପୈତୃକ ଜିଲା ଫୈଜାବାଦର ବିକାପୁର ତହସିଲସ୍ଥିତ ବରଣ୍ଡାଡା ଗାଁକୁ ଚାଲିଯାଇଥିଲେ। ସେଠାରେ ଫରୱାର୍ଡ ବ୍ଲକର ସଦସ୍ୟତା ଗ୍ରହଣ କରି କାନପୁର ପଳାଇ ଆସିଥିଲେ। ଫରୱାର୍ଡ ବ୍ଲକର ତତ୍କାଳୀନ ମହାମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ଆର୍ଯ୍ୟାଙ୍କୁ ବିବାହ କରିଥିଲେ। ଏହାପରେ ସେ ବିଭିନ୍ନ ମାଧ୍ୟମରେ ଦେଶ ସେବାରେ ନିଜକୁ ନିୟୋଜିତ କରିଥିଲେ। ଜୀବନର ଅନ୍ତିମ ସମୟରେ ସେ ନିଜର କନିଷ୍ଠ ପୁତ୍ର ଦିନେଶ ଆର୍ଯ୍ୟାଙ୍କ ସହିତ କାନପୁରର ପତ୍ରକାରପୁରମରେ ରହୁଥିଲେ। ଶୁକ୍ରବାର(ଗତକାଲି) ସେ ସେଠାରେ ପରଲୋକ ଗମନ କରିଛନ୍ତି । ତାଙ୍କ ପୁତ୍ର ଦିନେଶ କହିଛନ୍ତି ନିଜ ପିତାଙ୍କ ସହମତିରେ ମାଆ ନିଜ ଶରୀର ଦାନ ପାଇଁ ଘୋଷଣା କରିଥିଲେ। ତେଣୁ ଶନିବାର ତାଙ୍କ ମୃତ ଶରୀରକୁ ବେଡିକାଳକୁ ଦାନ କରାଯାଇଛି।

Comments are closed.