ଆଜିର ସମାଧାନ ଆସନ୍ତାକାଲିର ସମସ୍ୟା ନ ହେଉ – ସୀତାରମଣ

କରୋନା ମହାମାରୀ ଜନିତ ଲକ୍‌ଡାଉନ ଯୋଗୁଁ ଦେଶର ଅର୍ଥନୀତିରେ ଯେଉଁ ମାନ୍ଦାବସ୍ଥା ସୃଷ୍ଟି ହୋଇଛି ତାହାର ମୁକାବିଲା କରି ଅର୍ଥନୀତିକୁ ସୁଧାରିବା ପାଇଁ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୭୩ ହଜାର କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି । ଉପଭୋକ୍ତାଙ୍କ ଖର୍ଚ୍ଚ ବୃଦ୍ଧି ଉଦ୍ଦେଶ୍ୟରେ ଏହି ପ୍ୟାକେଜ କେନ୍ଦ୍ରିତ। ଏହି ଘୋଷଣା କରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ସରକାରୀ ଏବଂ ସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କର ଜମା ବୃଦ୍ଧି ପାଇଛି, ତେଣୁ ଏହି ବର୍ଗର ଲୋକମାନଙ୍କୁ ପ୍ରୋତ୍ସାହିତ କରି ବଜାରରେ ଚାହିଦା ସୃଷ୍ଟି କରିବା ଜରୁରୀ। ଏହାଦ୍ୱାରା ଯେଉଁମାନଙ୍କ ପାଖରେ ନଗଦ ନାହିଁ ସେମାନେ ଉପକୃତ ହୋଇପାରିବେ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଜିର ସମାଧାନ ସୂତ୍ର ଆସନ୍ତାକାଲିର ସମସ୍ୟା ନ ହେଉ। ସରକାର ଏହି ନୀତିରେ ବିଶ୍ୱାସ କରନ୍ତି। ଅଧିକରୁ ଅଧିକ ଆର୍ଥିକ ପ୍ରୋତ୍ସାହନ ଦେଇ ନିଜର ଋଣ ବୋଝକୁ ଅଣାୟତ୍ତ କରିବାକୁ ସରକାର ଚାହାନ୍ତି ନାହିଁ। ଆହୁରି ମଧ୍ୟ ମୁଦ୍ରାସ୍ଫୀତି ବୃଦ୍ଧିପାଇଁ ସାଧାରଣ ଲୋକଙ୍କ ନିମନ୍ତେ ଯେପରି ବୋଝ ନ ହୁଏ ସେଥିପ୍ରତି ସରକାର ତତ୍ପର ଅଛନ୍ତି ବୋଲି ସେ କହିଛନ୍ତି।

Comments are closed.