ଲେମ୍ବୁର ଅଭାବୀ ବିକ୍ରି: କିଲୋକୁ ୧୦ ଟଙ୍କା ଦରରେ କିଣୁଛନ୍ତି ଛତିଶଗଡ଼ ବେପାରୀ

ବରଗଡ଼ ଜିଲା ବାରପାହାଡ଼ ଲେମ୍ବୁଚାଷୀଙ୍କ ଉପରେ କରୋନା ପାହାର

ବରଗଡ଼ (ପ୍ରବୀଣ କୁମାର ସାହୁ):  ରାଜ୍ୟରେ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେବେ ନାହିଁ, ସେମାନଙ୍କ କୃଷିଜାତ ସାମଗ୍ରୀ ଘର ମୁହଁରୁ ସରକାର କିଣିବାର ବ୍ୟବସ୍ଥା କରିବେ, ଚାଷୀମାନଙ୍କ ଆୟ ଦୁଇଗୁଣ ହେବ ପରି ବହୁ ମଧୁର ପ୍ରତିଶ୍ରୁତି ସରକାର ଦେଉଛନ୍ତି । ଏଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ମାତ୍ର ବାସ୍ତବତା ହେଉଛି ଭିନ୍ନ । ବର୍ଷର ସବୁବେଳେ ଓ ସବୁ ସମୟରେ ଚାହିଦା ରଖୁଥିବା ଲେମ୍ବୁର ଅଭାବୀ ବିକ୍ରିକୁ ସହଜରେ ଗ୍ରହଣ କରିହେଉନାହିଁ ।  ତଥାପି ଘଟଣାଟି ସଂପୂର୍ଣ୍ଣ ସତ୍ୟ ।   ରାଜଧାନୀ ଭୁବନେଶ୍ବରରେ ୧୦ ଟଙ୍କାରେ ୪ଟି ଲେମ୍ବୁ ବିକ୍ରି ହେଉଥିବାବେଳେ ବରଗଡ଼ ଜିଲାର ଉପାନ୍ତରେ ଲେମ୍ବୁ କିଲୋ ବିକ୍ରି ହେଉଛି ମାତ୍ର ୧୦ ଟଙ୍କା ଦରରେ । ବଜାର ଅଭାବରୁ ଛତିଶଗଡ଼ ବେପାରୀ ଘର ପାଖରୁ ଚାଷୀଠୁ କିଣୁଛନ୍ତି ଲେମ୍ବୁ । ପଚିସଢ଼ି ନଷ୍ଟ ହେବା ଅପେକ୍ଷା ଯାହା ମିଳୁଛି ସେତିକି ପାଇବା ପାଇଁ ଚାଷୀ ବାଧ୍ୟ ହୋଇ ଲେମ୍ବୁ ବିକୁଛି ।

ବରଗଡ଼ ଜିଲା ଅମ୍ବାଭନା ବ୍ଳକ୍‍ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ । ଏଠାରେ ଥିବା ବାରପାହାଡ଼ ଜଙ୍ଗଲ ଭିତରେ ବହୁ ଚାଷୀ ନିଜ ଅଧୀନରେ ଥିବା ଜମିରେ ଲଗାଇଛନ୍ତି ଶତାଧିକ ଲେମ୍ବୁ ଗଛ । ସବୁଠି ଓ ସବୁ ସମୟରେ  ଲେମ୍ବୁର ଚାହିଦା ବର୍ଷ ତମାମ୍‍ ରହିଥାଏ ତାକୁ ବିକ୍ରୀ କରି ସେମାନେ ବେଶ୍‍ ଭଲ ଦୁଇ ପଇସା ଆଦାୟ କରିଥାନ୍ତି। ମାତ୍ର  ଏବେ କରୋନା ପରିସ୍ଥିତି ଯୋଗୁଁ ଏହି ଅଂଚଳକୁ ବାହାର ବେପାରୀ ମାନେ ପହଞ୍ଚି ପାରୁନାହାନ୍ତି, ଫଳରେ  ସେହି ଲେମ୍ବୁକୁ ଚାଷୀମାନେ ଅତି କମ୍‍ ମୂଲ୍ୟରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି। ଗତ ସୋମବାର ଦିନ ଛତିଶଗଡ଼ ରାଜ୍ୟର କିଛି ବେପାରୀ ଭଟଲି ଅଂଚଳକୁ ପୋଟଳ କିଣିବାକୁ ଆସିଥିଲେ, ମାତ୍ର ପୋଟଳ ନପାଇବାରୁ ସେମାନେ ଅମ୍ବାଭନା ଅଂଚଳର ଏହି ଲେମ୍ବୁଚାଷୀ ମାନେ ଦୁଇଦିନ ହେଲା ଲେମ୍ବୁ ତୋଳି ବିକ୍ରୀ କରି ପାରୁନଥିବା ଖବର ପାଇ ସେଠାକୁ ଯାଇଥିଲେ। ସେଠାରେ ସେମାନେ ଲେମ୍ବୁ କିଲୋପ୍ରତି ଦଶଟଙ୍କାରେ କିଣି ନେଇଥିଲେ। 

ଲେମ୍ବୁରେ ମାତ୍ରାଧିକ ଭାବେ ଭିଟାମିନ-ସି ଥିବାରୁ ଏହାଏକ ବଡ଼ ରୋଗ ପ୍ରତିରୋଧକ ଶକ୍ତି ଭାବରେ ପରିଚିତ। କରୋନା ପ୍ରତିହତ ନିମନ୍ତେ ଭିଟାମିନ-ସିକୁ ଏକ ବଡ଼ ରୋଗ ପ୍ରତିରୋଧୀ ଶକ୍ତିବୃଦ୍ଧିର ଉପାଦାନ ବୋଲି ଗ୍ରହଣ କରାଯାଉଛି । ଲୋକମାନେ ଭିଟାମିନ ସି ବଟିକା ବଜାରରୁ କିଣି ଖାଉଛନ୍ତି । ମାତ୍ର ଲେମ୍ବୁ ଚାଷୀ ମୁଣ୍ଡରେ ହାତଦେଇ ବସିଛି ।  କରୋନା ପରିସ୍ଥିତିରେ ତାର ଚାହିଦା ବେଶୀ ହେବା ବଦଳରେ ଅତି ଶସ୍ତାରେ ବିକ୍ରୀ ହେବା ଦୁଃଖର ବିଷୟ ଅଟେ। ଏ ସଂପର୍କରେ ଜିଲା ମୂଖ୍ୟ କୃଷି ଅଧିକାରୀ ଦିନବନ୍ଧୁ ଗାନ୍ଧୀଙ୍କୁ ପଚରାଯିବାରୁ ସରକାରଙ୍କ ତରଫରୁ ଇ-ନାମ୍‍, ଓଡ଼ିହସ୍‍ ପରି ପୋର୍ଟାଲ ବ୍ୟବସ୍ଥା କରାଯାଇଛି। ଯଦି ଯେଉଁ ଚାଷୀ ଚାହିଁବେ ଏଥିରେ ତାଙ୍କଠାରେ ଲେମ୍ବୁ ଥିବା ଅନ୍‍ ଲାଇନରେ ଲେଖିଲେ ତାହା ସହଜରେ ବିକ୍ରୀ ହୋଇ ପାରୁଛି ବୋଲି କହିଥିଲେ। ମାତ୍ର ଜଙ୍ଗଲ ଭିତରେ ଥିବା ଏହି ଚାଷୀ ମାନେ ଯାହାଙ୍କ ପାଖରେ ମୋବାଇଲ ଫୋନ୍‍ ଟିଏ ନାହିଁ ସେହିଚାଷୀ ମାନଙ୍କ ପାଖକୁ ସରକାରଙ୍କ ଏପରି ଡ଼ିଜିଟାଲ ବ୍ୟବସ୍ଥା ଗୁଡ଼ିକ କେମିତି ପହଞ୍ଚିବ ତାହା ସବୁଠାରୁ ବଡ଼ ପ୍ରଶ୍ନ।