ବର୍ଷିୟାନ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ

ଭୁବନେଶ୍ବର: ଓଲିଉଡର ବର୍ଷିୟାନ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ସୋମବାର ସକାଳ ପ୍ରାୟ ୩ଟା ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ବିଧବା ପତ୍ନୀ ଆଦିତ୍ୟପ୍ରଭା ପ୍ରସାଦ ଖୁଣ୍ଟିଆ, ଦୁଇ ଝିଅ ଏବଂ ଜଣେ ପୁଅ ରହିଛନ୍ତି।

ପୂର୍ଣ୍ଣ ଖୁଣ୍ଟିଆ ୧୯୪୭ ମସିହା ଡିସେମ୍ବର ୨୭ ତାରିଖରେ କଟକର ବକ୍ସି ବଜାରର ଯାଚକ ଲେନରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ପୂର୍ଣ୍ଣ ଖୁଣ୍ଟିଆ ଅନେକ ଓଡ଼ିଆ ସିନେମା ଏବଂ ଆଲବମରେ ସଙ୍ଗୀତ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି। ‘ଟିକେ ହସ ଟିକେ ଲୁହ’ ଏବଂ ‘ମହୁଆ’ ଭଳି ଉଚ୍ଚକୋଟିର ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସେ ଲୋକଲୋଚନକୁ ଆସିଥିଲେ।

Comments are closed.