ଝୁରିବ ଓଡ଼ିଶା, ଝୁରିବ ହକି

ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋଙ୍କ ପରଲୋକ ଭାରତ ଓ ଓଡ଼ିଶା ହକି ପାଇଁ ଅପୂରଣୀୟ କ୍ଷତି। ଅଲିମ୍ପିକ୍‌ସଠୁ ଆରମ୍ଭ କରି ବିଶ୍ବକପ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ରହିଥିଲେ। ଅଲିମ୍ପିକ୍‌ସ ବ୍ରୋଞ୍ଜ, ବିଶ୍ବକପରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଓଡ଼ିଶା ହକି ପାଇଁ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ଓଡ଼ିଶା ତରଫରୁ ଖେଳିବା ସହିତ ଅଧିନାୟକ ଦାୟିତ୍ବ ମଧ୍ୟ ତୁଲାଇଥିଲେ। ଏହାଛଡ଼ା ଓଡ଼ିଶା ହକି ଆସୋସିଏସନର ଉପ ସଭାପତି ମଧ୍ୟ ରହିଥିଲେ। ତାଙ୍କ ଭଳି ଜଣେ ମହାନ୍‌ ଖେଳାଳିଙ୍କୁ ହରାଇବା କଷ୍ଟଦାୟକ।
ପ୍ରତାପ ଶତପଥୀ, ହକି ଓଡ଼ିଶା ସମ୍ପାଦକ

ମାଇକେଲ କିଣ୍ଡୋଙ୍କୁ ହରାଇବା ଆମ ପାଇଁ ଅପୂରଣୀୟ କ୍ଷତି। ସେ ଅଲିମ୍ପିକ୍‌ସ ପଦକ ବିଜୟୀ ଓ ବିଶ୍ବ ଚମ୍ପିଆନ ଦଳର ସଦସ୍ୟ ଥିଲେ। କେବଳ ଖେଳାଳି ନୁହେଁ ଜଣେ ଭଲ ପରାମର୍ଶଦାତା ମଧ୍ୟ ଥିଲେ। ଦେଶ ଓ ରାଜ୍ୟ ପାଇଁ ତାଙ୍କ ଅବଦାନ ଅବର୍ଣ୍ଣନୀୟ।
କାଳୁଚରଣ ଚୌଧୁରୀ, ବରିଷ୍ଠ ହକି ପ୍ରଶିକ୍ଷକ

ସେ ଥିଲେ ହକି କିମ୍ବଦନ୍ତୀ। ତାଙ୍କ ପ୍ରେରଣା ଓ ସଫଳତା ଆମକୁ ଅଗକୁ ବଢିବା​‌ ନେଇ ଉତ୍ସାହିତ କରିଥିଲା। ମାଇକେଲ ସାରଙ୍କୁ ହରାଇବା ଆମ ପାଇଁ ବହୁତ ବଡ କ୍ଷତି।
ଦୀପ୍‌ଗ୍ରେସ ଏକ୍କା , ଅନ୍ତର୍ଜାତୀୟ ମହିଳା ହକି ଖେଳାଳି

କିମ୍ବଦନ୍ତୀ ଖେଳାଳିମାନେ ସବୁବେଳେ ଯୁବ ପ୍ରତିଭାଙ୍କ ପାଇଁ ମାର୍ଗଦର୍ଶିକା ରହିଥାନ୍ତି। ଯାହା ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋ ସାର୍‌ ରହିଥିଲେ। କିଣ୍ଡୋ ସାର୍‌ ଯୁବ ଖେଳାଳିମାନଙ୍କୁ ସବୁବେଳେ ଉତ୍ସାହିତ କରିଥାନ୍ତି। ତାଙ୍କ ସମ୍ପର୍କରେ ଆସିବା ମାତ୍ରେ କିଛି ନାଁ କିଛି ପରାମର୍ଶ ଦେଇଥାନ୍ତି। ଯାହା ମୋ କ୍ଷେତ୍ରରେ ଅନେକ ଥର ହୋଇଛି। ତାଙ୍କ ପରଲୋକ ବହୁତ କଷ୍ଟଦାୟକ।
ବୀରେନ୍ଦ୍ର ଲାକ୍ରା, ଅନ୍ତର୍ଜାତୀୟ ହକି ଖେଳାଳି

ମାଇକେଲ କିଣ୍ଡୋଙ୍କ ପରଲୋକ ଭାରତୀୟ ହକି ପାଇଁ ଅପୂରଣୀୟ କ୍ଷତି। ସେ ୩ଟି ବିଶ୍ବକପ ଓ ଗୋଟିଏ ଅଲିମ୍ପିକ୍‌ସରେ ଭାରତ ପାଇଁ ପଦକ ହାସଲ କରିଛନ୍ତି। ୧୯୭୧ ବିଶ୍ବକପରେ ବ୍ରୋଞ୍ଜ,୧୯୯୩ ବିଶ୍ବକପରେ ରୌପ୍ୟ ଓ ୧୯୭୫ ବିଶ୍ବକପରେ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏହାଛଡ଼ା ୧୯୭୨ ଅଲିମ୍ପିକ୍‌ସରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ଭାରତ ସହ ଓଡ଼ିଶା ହକିର ବିକାଶରେ ତାଙ୍କର ମଧ୍ୟ ଯଥେଷ୍ଟ ଅବଦାନ ରହିଛି।
ଅମୂଲ୍ୟାନନ୍ଦ ବିହାରୀ, ବରିଷ୍ଠ ହକି ପ୍ରଶିକ୍ଷକ

ଭାରତୀୟ ହକି ଜଣେ କିମ୍ବଦନ୍ତୀଙ୍କୁ ହରାଇଲା। ମାଇକେଲ ସାରଙ୍କ ପ୍ରେରଣା ମୋ ପାଇଁ ଆଗକୁ ବଢିବାରେ ବେଶ ସହାୟକ ହୋଇଛି। ଖେଳାଳିମାନଙ୍କୁ ସବୁବେଳେ ନିଷ୍ଠା ଓ ଏକାଗ୍ରତାର ସହିତ ଖେଳିବା ନେଇ ପରାମର୍ଶ ଦେଉଥିଲେ। ଆଜି ତାଙ୍କ ପରଲୋକ ଖବର ଶୁଣି ବହୁତ କଷ୍ଟ ଲାଗୁଛି।
ଜ୍ୟୋତି ସୁନୀତା କୁଲୁ, ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି

କିଣ୍ଡୋ ସାରଙ୍କ ପରାମର୍ଶ କେବେ ବି ମୁଁ ଭୁଲି ପାରିବି ନାହିଁ। ତାଙ୍କ ସହିତ ଆଲୋଚନା କରିବା ଓ ହକି ଖେଳ ବିଷୟରେ କିଛି ପରାମର୍ଶ ପାଇଁ ଆଗ୍ରହୀ ରହିଥାଏ। ଖେଳାଳିମାନଙ୍କୁ ଭଲ ହକି ଖେଳାଳି କିଭଳି ହେବେ ସେ ନେଇ ପରାମର୍ଶ ଦେବାକୁ ପଛାଉ ନଥିଲେ।
ଦୀପ୍‌ସାନ ତିର୍କୀ, ଅନ୍ତର୍ଜାତୀୟ ହକି ଖେଳାଳି

ମାଇକେଲ କିଣ୍ଡୋଙ୍କୁ ଭେଟି ତାଙ୍କଠାରୁ କିଛି ହକି ପରାମର୍ଶ ମୁଁ ଅନେକ ଥର ହାସଲ କରିଛି। ତାଙ୍କ ପରାମର୍ଶ ନିଶ୍ଚିତ ଜଣେ ଯୁବ ହକି ଖେଳାଳିଙ୍କୁ ଉତ୍ସାହିତ କରିବ। ଜଣେ କିମ୍ବଦନ୍ତୀ ହକି ଖେଳାଳି ନଥିଲେ ଜଣେ ଶାନ୍ତ ଓ ସ୍ବାଭାବର ବ୍ୟକ୍ତି ଥିଲେ। ତାଙ୍କୁ ହରାଇବା ବହୁତ କଷ୍ଟଦାୟକ
ଅମିତ ରୋହିଦାସ, ଅନ୍ତର୍ଜାତୀୟ ହକି ଖେଳାଳି

୧୯୭୫ ବିଶ୍ବକପ୍‌ର ସେହି ସେମିଫାଇନାଲ
୧୯୭୫ରେ ପୁରୁଷ ହକି ବିଶ୍ବକପ୍‌ ମାଲେସିଆ ରାଜଧାନୀ କୁଆଲା ଲୁମ୍ପୁରରେ ଖେଳା ଯାଇଥିଲା। ଡିଫେଣ୍ଡର ଭାବେ ମାଇକେଲ କିଣ୍ଡୋ ପୂରା ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ। ସେମିଫାଇନାଲରେ ଭାରତ ଫେଭରିଟ୍‌ ଥି​‌େ​‌ଲ ହେଁ ଆୟୋଜକ ମାଲେସିଆ ୨-୧ ଗୋଲ୍‌ରେ ଆଗୁଆ ଥିଲା। ମ୍ୟାଚ୍‌ ଅଳ୍ପ ସମୟ ବାକିଥିବା ବେଳେ ଦଳର ମ୍ୟାନେଜର ତଥା ହକି କିମ୍ବଦନ୍ତୀ ବଲ୍‌ବୀର ସିଂହ ପଡ଼ିଆକୁ ଅସ୍‌ଲମ ଶେର ଖାଁଙ୍କୁ ପଠାଇବାର ନିଷ୍ପତ୍ତି ନେଇଥିଲେ। ପ୍ରଥମ ସୁରଜିତ ସିଂହଙ୍କ ସ୍ଥାନରେ ଅସ୍‌ଲମ୍‌ଙ୍କୁ ପଠାଇବାର ନିଷ୍ପତ୍ତି ନେଇଥିଲେ ହେଁ ପରେ ମାଇକେଲ କିଣ୍ଡୋଙ୍କ ସ୍ଥାନରେ ଅସ୍‌ଲମଙ୍କୁ ପଠାଇଥିଲେ। ଏହାକୁ ବେଶ୍‌ ଖେଳୁଆଡ଼ ଭାବେ କିଣ୍ଡୋ ନେଇଥିଲେ। କିଛି ସମୟ ପରେ ଅସ୍‌ଲମ ଶେର୍ ଖାଁ ଗୋଲ୍‌ ସ୍କୋରକରି ସ୍କୋର୍‌କୁ ୨-୨ କରିଥିଲେ। ପରେ ହୋଇଥିବା ଅତିରିକ୍ତ ସମୟରେ ଗୋଲ୍‌ଦେଇ ହରଚରଣ ସିଂହ ଦଳକୁ ଫାଇନାଲରେ ପହଞ୍ଚାଇଥିଲେ। ସେମିଫାଇନାଲର ପ୍ରଦର୍ଶନ ଭିତ୍ତିରେ ଅସ୍‌ଲମ ପାକିସ୍ତାନ ବିପକ୍ଷ ଫାଇନାଲ ଖେଳିଥିଲେ ଏବଂ କିଣ୍ଡୋ ବାହାରେ ବସିଥିଲେ। ତେବେ ଏହାକୁ ନେଇ ମାଇକେଲ କିଣ୍ଡୋଙ୍କ ମନରେ ଅବଶୋଷ ଥିଲା। ପ୍ରଥମଥର ପାଇଁ ଭାରତୀୟ ଦଳ ବିଶ୍ବ ଚମ୍ପିଆନ୍‌ ହେବାର ଗୌରବ ଲାଭ କରିଥିବା ବେଳେ ଏହି ଦଳର ସଦସ୍ୟ ଥିବା ମାଇକେଲ କିଣ୍ଡୋ ତାଙ୍କ ମୃତ୍ୟୁ ପର୍ୟ୍ୟନ୍ତ ଜଣେ ବିଶ୍ବ ଚମ୍ପିଆନ୍ ଭାବେ ଗର୍ବରେ ବଞ୍ଚିଥିଲେ।

୩ ବିଶ୍ବକପ୍‌ରେ ୩ ପୃଥକ୍ ପଦକ
ମାଇକେଲ୍ କିଣ୍ଡୋ ହେଉଛନ୍ତି ଏପରି ଜଣେ ଖେଳାଳି; ଯିଏ କ୍ରମାଗତ ୩ଟି ହକି ବିଶ୍ବକପ୍‌ରେ ଭାରତ ପାଇଁ ଖେଳିଛନ୍ତି ଏବଂ ୩ଟି ବିଶ୍ବକପ୍‌ରେ ଭାରତ ୩ଟି ପୃଥକ୍ ପଦକ ଜିତିପାରିଛି। ୧୯୭୧ରେ ହକି ବିଶ୍ବକପ୍‌ ସ୍ପେନ୍‌ର ବାର୍ସେଲୋନାରେ ଖେଳା ଯାଇଥିବା ବେଳେ ମାଇକେଲ କିଣ୍ଡୋ ଏହି ଦଳର ସଦସ୍ୟ ଥିଲେ। ସେମିଫାଇନାଲରେ ପାକିସ୍ତାନଠାରୁ ପରାସ୍ତ ହୋଇଥିବା ଭାରତ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ କେନିୟାକୁ ୨-୧ ଗୋଲ୍‌ରେ ହରାଇଥିଲା। ୧୯୭୩ରେ ହକି ବିଶ୍ବକପ୍‌ ନେଦରଲାଣ୍ଡ୍‌ସର ଆମଷ୍ଟଲଭିନ୍‌ରେ ଖେଳା ଯାଇଥିବା ବେଳେ ଏହି ବିଶ୍ବକପ୍‌ରେ ମଧ୍ୟ କିଣ୍ଡୋ ଖେଳିଥିଲେ। ଏହି ବିଶ୍ବକପ୍‌ରେ ଫାଇନାଲରେ ଆୟୋଜକ ନେଦରଲାଣ୍ଡ୍‌ସଠାରୁ ହାରି ଭାରତ ରୌପ୍ୟପଦକ ଜିତିଥିଲା। ୧୯୭୫ରେ କୁଆଲା ଲୁମ୍ପୁର ବିଶ୍ବକପ୍‌ରେ ଭାରତ ପ୍ରଥମ ଏବଂ ଏକମାତ୍ର ବିଶ୍ବକପ୍‌ ଜିତିଥିଲା। ଏହି ବିଶ୍ବକପ୍‌ରେ ମଧ୍ୟ କିଣ୍ଡୋ ଖେଳିଥିଲେ। ଫାଇନାଲରେ ପାକିସ୍ତାନକୁ ୨-୧ ଗୋଲ୍‌ରେ ହରାଇ ଭାରତ ଚମ୍ପିଆନ୍ ହୋଇଥିଲା।

ଅଲିମ୍ପିକ୍‌ସରେ ୩ଟି ଗୋଲ୍‌
୧୯୭୨ ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ସ ଜର୍ମାନୀର ମ୍ୟୁନିକ୍‌ରେ ଖେଳା ଯାଇଥିଲା। ଏହି ବିଶ୍ବକପ୍‌ରେ ଭାରତ ବ୍ରୋଞ୍ଜ୍‌ ପଦକ ପାଇଥିଲା। ଏହି ଦଳର ପ୍ରମୁଖ ସଦସ୍ୟ ଥିଲେ ମାଇକେଲ କିଣ୍ଡୋ। କେବଳ କିଣ୍ଡୋ ଭାରତୀୟ ଦଳର ରକ୍ଷଣଭାଗ ଦାୟିତ୍ବରେ ନଥିଲେ; ଏହି ଅଲିମ୍ପିକ୍‌ସରେ କିଣ୍ଡୋ ୩ଟି ଗୋଲ୍‌ ମଧ୍ୟ ସ୍କୋର୍ କରିଥିଲେ। ଏହି ୩ଟି ଗୋଲ୍‌ ଲିଗ୍ ପର୍ୟ୍ୟାୟରେ ଇଂଲଣ୍ଡ, ମେକ୍ସିକୋ ଓ ନ୍ୟୁଜିଲାଣ୍ଡ ବିପକ୍ଷ​‌େ​ର ମାଇକେଲ କିଣ୍ଡୋ ଗୋଲ୍‌ ଦେଇଥିଲେ। ସେମିଫାଇନାଲରେ ପାକିସ୍ତାନଠାରୁ ଭାରତ ପରାସ୍ତ ହୋଇଥିଲା। ବ୍ରୋଞ୍ଜ୍ ପଦକ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ବିପକ୍ଷରେ ଭାରତ ୨-୧ ଗୋଲ୍‌ରେ ଜିତି ବ୍ରୋଞ୍ଜ୍‌ପଦକ ଜିତିଥିଲା।

ଭୁବନେଶ୍ବର ବିଶ୍ବକପ୍‌ ଦେଖି ନ ପାରିବାର ଅବଶୋଷ ଥିଲା
୨୦୧୮ରେ ଭୁବନେଶ୍ବରରେ ପ୍ରଥମଥର ପାଇଁ ପୁରୁଷ ହକି ବିଶ୍ବକପ୍ ଆୟୋଜନ ହୋଇଥିଲା। ରାଜ୍ୟ ସରକାର ପକ୍ଷରୁ ତାଙ୍କୁ ଆମନ୍ତ୍ରଣ କରା ଯାଇଥିଲେ ମଧ୍ୟ ରାଉରକେଲାରେ ଥାଇ ମଧ୍ୟ ଅସୁସ୍ଥତା କାରଣରୁ ମାଇକେଲ୍ କିଣ୍ଡୋ ଏହି ବିଶ୍ବକପ୍‌ ଦେଖିବାକୁ ଭୁବ‌େ​‌ନଶ୍ବର ଆସି ପାରିନଥିଲେ। ୧୯୭୫ ପରେ ଓଡ଼ିଶାମାଟିରେ ଭାରତ ୨ୟ ଥର ପାଇଁ ବିଶ୍ବକପ୍‌ ଜିତୁ ବୋଲି ସେ ଆଶା ରଖିଥିଲେ। ଏହି ବିଶ୍ବକପ୍‌ର ସମସ୍ତ ମ୍ୟାଚ୍‌ ସେ ଟିଭିରେ ଦେଖିଥିଲେ ନିଶ୍ଚୟ। ଏହି ବିଶ୍ବକପ୍‌ ସମୟରେ ଓଡ଼ିଶା ସରକାର ୧୯୭୫ରେ ଭାରତୀୟ ଏକମାତ୍ର ବିଶ୍ବକପ୍‌ ଜିତାଇଥିବା ଦଳର ଖେଳାଳିଙ୍କୁ ଡାକି ସମ୍ବର୍ଦ୍ଧନା ଦେଇଥିଲେ ଏବଂ ମାଇକେଲ୍‌ କିଣ୍ଡୋଙ୍କୁ ମଧ୍ୟ ଡକା ଯାଇଥିଲା। ତେବେ ଅସୁସ୍ଥତା ଯୋଗୁଁ ଆସି ପାରିନଥିଲେ। ୧୯୭୫ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ଅଧିକାଂଶ ଖେଳାଳି ଭୁବନେଶ୍ବର ଆସି ସମ୍ବର୍ଦ୍ଧିତ ହୋଇଥିଲେ ମଧ୍ୟ କିଣ୍ଡୋ ଆସି ପାରିନଥିଲେ। ଉକ୍ତ ବିଶ୍ବକପ୍‌ରେ ତାଙ୍କର ସାଥୀ ଖେଳାଳି ଭୁବନେଶ୍ବରରେ ପହଞ୍ଚିବା ମାତ୍ରେ ମାଇକେଲ୍‌ କିଣ୍ଡୋଙ୍କୁ ଖୋଜିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ।

ବିଜୟରେ ମିଳୁଥିଲା କରତାଳି ଓ ଫୁଲମାଳ

ନିକଟରେ ଏକ ସାକ୍ଷାତ୍‌କାରରେ ମାଇକେଲ କିଣ୍ଡୋ କହିଥିଲେ, ଆମେ କୌଣସି ପୁରସ୍କାର ପାଇଁ ଖେଳୁନଥିଲୁ; ସଉକ୍ ପାଇଁ ଖେଳୁଥିଲୁ। ଆମେ ମ୍ୟାଚ୍ ଜିତିଲେ ଫୁଲମାଳ ଓ କିଛି ସେକେଣ୍ଡ୍‌ର କରତାଳି ମିଳୁଥିଲା। ଏହାପରେ ବସ୍ କିମ୍ବା ସାଇକେଲ ରିକ୍‌ସାରେ ଆମେ ଘରକୁ ଚାଲି ଯାଉଥିଲୁ। ପରଦିନ ଖାଇବା ସନ୍ଧାନରେ ଆମେ କାମରେ ଲାଗି ଯାଉଥିଲୁ। ଆମେ ଗର୍ବ ପାଇଁ ଖେଳୁଥିଲୁ। ଆମେ ତାରକା ନ ଥିଲୁ; ହେଲେ ଆମେ ନିଜକୁ ତାରକା ମନେ କରୁଥିଲୁ। ଆମର ଜୀବନଶୈଳୀ ମଧ୍ୟବିତ୍ତ ଥିଲା। ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଯୋଗଦେବା ପରେ କାର୍ କିଣିଥିଲି। କାରଣ ଆମକୁ ଇନ୍ଧନ ପାଇଁ ଅତିରିକ୍ତ ପଇସା ମିଳୁଥିଲା। ମୁଁ ଏକ ଶସ୍ତା କାର୍ କିଣିଥିଲି।

ମୁଖ୍ୟମନ୍ତ୍ରୀଙ୍କ ଶୋକ
ହକି କିମ୍ବଦନ୍ତୀ ତଥା ଅର୍ଜୁନ ପୁରସ୍କାର ବିଜେତା ମାଇକେଲ କିଣ୍ଡୋଙ୍କ ବିୟୋଗରେ ମୁଁ ମର୍ମାହତ। ସେ ଆଦିବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ ଏବଂ ୧୯୭୫ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଉଛି।

ଦିଲୀପ ତିର୍କୀଙ୍କ ଶୋକ
କ୍ରୀଡ଼ାରେ କୃତିତ୍ବ ପାଇଁ ହକି କିମ୍ବଦନ୍ତୀ ମାଇକେଲ କିଣ୍ଡୋ ସର୍ବଦା ମନେପଡ଼ିବେ। ସେ ଦେଶ ପାଇଁ ଅନେକ ଗର୍ବ ଓ କୃତିତ୍ବ ଆଣିଥିଲେ। ସେ ଜଣେ ଚମତ୍କାର ହକି ଖେଳାଳି ଥିଲେ; ଏଥିରେ ସନ୍ଦେହ ନାହିଁ। ସେ ଜଣେ ବଡ଼ ପ୍ରେରଣାଦାତା ଥିଲେ। ତାଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କୁ ପ୍ରତି ସମବେଦନା ଜଣାଉଛି।

Comments are closed.