ଆଇନ ସଚେତନତା ସପ୍ତାହ ଉଦ୍‍ଯାପିତ

ଆଠଗଡ : ଆଠଗଡ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଅମୃତ ମହୋତ୍ସବ ଉପଲକ୍ଷେ ଅକ୍ଟୋବର ୨ ରୁ ୮ତାରିଖ ପର୍ଯ୍ୟନ୍ତ ଆଇନ ସଚେତନତା ସପ୍ତାହ ଜେନାପଦାଠାରେ ଉଦ୍‍ଯାପିତ ହୋଇଯାଇଛି । ଜେନାପଦା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଉଦ୍‍ଯାପନୀ ଦିବସରେ ଆୟୋଜିତ ଆଇନ ସଚେତନତା ଶିବିରକୁ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‍ ଅରବିନ୍ଦ ପଟ୍ଟନାୟକ, ଦେଶର ଆଇନ ବିଷୟରେ ପ୍ରତ୍ୟେକ ନାଗରିକ ଜାଣିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଆଇନସେବା ସମିତିର କାର୍ଯ୍ୟଶୈଳୀ ଓ ଉପକାରିତା ସଂପର୍କରେ ଶ୍ରୀ ପଟ୍ଟନାୟକ ବିସ୍ତୃତ ଭାବରେ ବୁଝାଇଥିଲେ । ଏହି ଆଲୋଚନା ଚକ୍ରରେ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ନବନିତା ଦାଶ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‍ ସୌମ୍ୟ ଶଙ୍କର ମହାନ୍ତ ସମ୍ମାନିତ ବକ୍ତାବାବେ ଯୋଗ ଦେଇ ଆଇନସେବା ସମିତି ଦ୍ୱାରା ସାଧାରଣ ଲୋକ ବିଶେଷକରି ଗରିବ ଶ୍ରେଣୀ, ମହିଳା, ଶିଶୁ ଓ ଶ୍ରମିକ କିପରି ମାଗଣାରେ ଆଇନ ସେବା ପାଇପାରିବେ ସେ ସମ୍ପର୍କରେ ବୁଝାଇବା ସହ ଆଇନର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ଆଇନଜୀବୀ ପ୍ରାଣକୃଷ୍ଣ ଦାଶ, ଅଦ୍ୱୈତ ଚରଣ ପଣ୍ଡା, ପ୍ରସନ୍ନ କୁମାର ରାଉତ, ସୁଶାନ୍ତ କୁମାର ମିଶ୍ର, ଯଶୋବନ୍ତ ବାରିକ, ସରୋଜ ପଟ୍ଟନାୟକ, ସୁବାସ ଚନ୍ଦ୍ର ସାହୁ, ପ୍ରତାପ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସମ୍ବିଧାନରେ ଥିବା ଆଇନ, ନାଗରିକ ମାନଙ୍କ ଅଧିକାର ସଂପର୍କରେ କହିବା ସହ ଆଇନସେବା ସମିତିର କାର୍ଯ୍ୟଧାରା ଉପରେ ଅବତାରଣା କରିଥିଲେ। ଏହି ଆଇନସେବା ସପ୍ତାହ ମଧ୍ୟରେ ତାଲୁକ ଆଇନସେବା ସମିତି ପକ୍ଷରୁ ରାସରସିକପୁର ସରସ୍ୱତୀ ଶିଶୁ ମନ୍ଦିର, ଆଙ୍କୁଲା କଲ୍ୟାଣ ମଣ୍ଡପ ସମସରପୁର ଗ୍ରାମପଞ୍ଚାୟତ, ରାଧାବଲ୍ଲଭପୁର ଆଦି ସ୍ଥାନରେ ଆଇନ ସଚେତନତା ଶିବିରମାନ ଆୟୋଜିତ ହୋଇଯାଇଛି। ପାରାଲିଗାଲ୍‍ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ରାଧାକିଶୋରପୁର ଓ ବଡଭୂଇଁ ଗ୍ରାମରେ ମଧ୍ୟ ଆଲୋଚନା ଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଆଇନସେବା ସମିତିର ସହାୟିକା ରାଜଶ୍ରୀ ମହଲା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Comments are closed.