ନିୟମିତ ନ କଲେ ଆନ୍ଦୋଳନ-ଲେଫ୍ଟଆଉଟ୍ ଗଣଶିକ୍ଷକ ମହାସଂଘ

ଭୂବନେଶ୍ୱର: ନିୟମିତ ହେବାରୁ ବଂଚିତ ରାଜ୍ୟର ୪ହଜାରରୁ ଊର୍ଦ୍ଧ୍ବ ଲେଫ୍ଟଆଉଟ୍ ଗଣଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ରାଜ୍ୟ ସରକାର ତୁରନ୍ତ ନିୟମିତ ନ କଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଲେଫ୍ଟଆଉଟ୍ ଗଣଶିକ୍ଷକ ମହାସଂଘ ସରକାରଙ୍କୁ ଚରମ ଚେତାବନୀ ଦେଇଛି। ଲେଫ୍ଟଆଉଟ୍ ଗଣଶିକ୍ଷକ ମହାସଂଘ ପକ୍ଷରୁ ଭୂବନେଶ୍ୱରସ୍ଥ ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରି ମହାସଂଘର ସଭାପତି ରାଜକିଶୋର ତ୍ରିପାଠୀ କହିଛନ୍ତି ଯେ ନିୟମିତରୁ ବଂଚିତ ଶିକ୍ଷକମାନଙ୍କୁ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ପ୍ରତିଶୃତି ଦେଇଥିଲେ ମଧ୍ୟ ଇତି ମଧ୍ୟରେ ୩ମାସ ବିତିଗଲାଣି। ଯେତିକି ବିଳମ୍ବ ହେଉଛି, ଆମ୍ଭମାନଙ୍କର ସେତିକି ଧୈର୍ଯ୍ୟଚ୍ୟୁତ ଘଟୁଛି। ଦୀର୍ଘ ୨୦ବର୍ଷରୁଊର୍ଦ୍ଧ୍ବ ସମୟ ଧରି ସ୍ୱଳ୍ପ ବେତନରେ ସେମାନେ ଶିକ୍ଷକତା କରି ଆସୁଛନ୍ତି।

ସେ ଆହୁରିମଧ୍ୟ କହିଛନ୍ତି ଯେ, ୨୦୧୬ମସିହାରେ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ୨୦୧୭ମସିହା ଅଗଷ୍ଟ ମାସରୁ ଗଣଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସରକାର ୨୨,୫୧୨ଜଣ ଗଣଶିକ୍ଷକଙ୍କ ମଧ୍ୟରୁ ୧୬,୮୦୦ଶିକ୍ଷକଙ୍କୁ ନିୟମିତ କରିଥିଲେ, ମାତ୍ର ବିନା ଓଡିଶା ଶିକ୍ଷକ ସାମର୍ଥ୍ୟ ପରୀକ୍ଷା (ଓଟିଇଟି) ଯୋଗ୍ୟତାରେ ଗଣଶିକ୍ଷକମାନଙ୍କ ନିୟମିତ ପ୍ରକ୍ରିୟାକୁ ବିରୋଧ କରି ଓଡିଶା ଉଚ୍ଚ ନ୍ୟାୟାଳୟରେ ଓଡିଶା ବିକାଶ ପରିଷଦ ଏକ ମାମଲା ୨୦୧୮ମସିହାରେ ଦାୟର କରିଥିଲେ। ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜ୍ଜୁ ହୋଇଥିବାରୁ ରାଜ୍ୟ ସରକାର ଗଣଶିକ୍ଷକଙ୍କ ନିୟମିତ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ। ତେବେ ଓଡିଶା ବିକାଶ ପରିଷଦ ନିଜର ଭୂଲ୍ ବୁଝି ପାରି ୨୦୨୧ମସିହା ଜୁଲାଇମାସରେ ଉପରୋକ୍ତ ମାମଲାକୁ ଉଚ୍ଚ ନ୍ୟାୟାଳୟରୁ ପ୍ରତ୍ୟାହାର କରି ନେଇଥିଲେ। ମାମଲା ପ୍ରତ୍ୟାହାର ହେବାର ୩ମାସ ବିତି ଯାଇଥିଲା ବେଳେ ଏବଂ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିଶୃତି ସତ୍ୱେ ନିୟମିତକରଣ ପାଇଁ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାଁନ୍ତି। ନିୟମିକକରଣରୁ ବଂଚିତ ଗଣଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଇତିମଧ୍ୟରେ ୧୬୦ଜଣ ଅବସର ଗ୍ରହଣ କରିଥିବା ବେଳେ ୨ଜଣଙ୍କ ଅକାଳ ବିୟୋଗ ଘଟିଛି।

ସରକାରୀ ତଥା ନିୟମିତ ଶିକ୍ଷକ ପାଉଥିବା ଅବସରକାଳୀନ ଭତ୍ତା ଏବଂ ଚାକିରୀରେ ଥାଇ ମୃତ୍ୟୁକାଳୀନ ସରକାରୀ ସାହାଯ୍ୟ, ସହଯୋଗ ତଥା ସୁବିଧା କିଛି ଏପର୍ଯ୍ୟନ୍ତ ସେମାନେ ପାଇନାହାଁନ୍ତି। ଏପରିକି ଦୀର୍ଘ ୨୦ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ନିୟମିତ ଶିକ୍ଷକଙ୍କ ପରି ସେମାନେ ଶିକ୍ଷକତା କରିଆସୁଥିଲେ ମଧ୍ୟ ସାମ୍ପ୍ରତିକ ମହଙ୍ଗା ଯୁଗରେ ମାସିକ ବେତନ ମାତ୍ର ୬ହଜାର ଟଙ୍କାରେ ଚଳିବା କେତେ ଯେ କଷ୍ଟକର ତାହା ସମସ୍ତେ ଜାଣନ୍ତି। ବୟସ ବଢିବା ସହ •କିରୀ କାଳ ମଧ୍ୟ ସରି ସରି ଆସୁଛି, ତେଣୁ ସରକାର ତୁରନ୍ତ ସେମାନଙ୍କୁ ନିୟମିତ ନ କଲେ ମହାସଂଘ ରାଜରାସ୍ତାକୁ ଓହ୍ଲାଇ ବାକୁ ବାଧ୍ୟ ହେବ ବୋଲି ମହାସଂଘର ସାଧାରଣ ସମ୍ପାଦକ ପବିତ୍ର କୁମାର କାର୍ଜୀ ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ଆଗରେ କହିଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ମହାସଂଘର କାର୍ଯ୍ୟକାରୀ ସଭାପତି ରଂଜନ କୁମାର ଦାନୀ, ଉପସଭାପତି ବିଶ୍ୱନାଥ ବୁରୁତି, ବିଶ୍ୱନାଥ ହରିଜନ, ଯୁଗ୍ମ ସମ୍ପାଦକ ଫଗୁଣ ପଣ୍ଡା, କୋଷାଧ୍ୟକ୍ଷ କୃଷ୍ଣ ପାଢୀଙ୍କ ସମେତ ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Comments are closed.