ତାମିଲନାଡ଼ୁ ନିର୍ବାଚନ ପାଇଁ ବିଜେପିର ନୂଆ ରଣନୀତି: ମାସକ ମଧ୍ୟରେ ୨୫ ବଡ଼ ନେତାଙ୍କ ଗସ୍ତ ସୂଚୀ ଚୂଡ଼ାନ୍ତ; ପ୍ରତି ସପ୍ତାହରେ ଜଣେ କେନ୍ଦ୍ରମନ୍ତ୍ରୀ

ଚେନ୍ନାଇ: ତାମିଲନାଡ଼ୁ ନିର୍ବାଚନ ଆସନ୍ତା ଏପ୍ରିଲ ଓ ମେ ମାସରେ ହେବାକୁ ଯାଉଛି । ଏଥିପାଇଁ ବିଜେପି ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ମାସକ ମଧ୍ୟରେ ଦଳର ୨୫ ଜଣ ଶୀର୍ଷସ୍ତରୀୟ ନେତା ତାମିଲନାଡ଼ୁ ଗସ୍ତ କରିବେ ଓ ନିର୍ବାଚନ ପ୍ରସ୍ତୁତି କରିବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀ, ଗୃହମନ୍ତ୍ରୀ ଅମିତ ଅନିଲଚନ୍ଦ୍ର ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ  ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ତାମିଲନାଡ଼ୁ ଗସ୍ତ କରିବେ ବୋଲି ଜଣାପଡ଼ିଛି ।

ତାମିଲନାଡ଼ୁରେ ନିର୍ବାଚନ ପ୍ରଚାର ଅଭିଯାନ ଦଳର ସଭାପତି ଜଗତ ପ୍ରକାଶ ନଡ଼୍ଡ଼ା ଆରମ୍ଭ କରିଛନ୍ତି । ମାତ୍ର କରୋନା ସଂକ୍ରମଣ ଯୋଗୁଁ ସେ ସଙ୍ଗରୋଧରେ ରହିଛନ୍ତି । ତଥାପି ସେ ସୁସ୍ଥ ହେବା ପରେ ଡ଼ିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖରେ ତାମିଲନାଡ଼ୁ ଗସ୍ତ କରିବେ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି । ସେହିପରି ସେ କପାଳେଶ୍ବର ମନ୍ଦିରରେ ପ୍ରାର୍ଥନା ପରେ ଦଳର ବିଜେପି ନେତା ଏବଂ ମୁଖ୍ୟମନ୍ତ୍ରୀ କେ.ପଲାନିସ୍ବାମୀ, ଉପମୁଖ୍ୟମନ୍ତ୍ରୀ ପନିରସେଲଭମଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

ତାମିଲନାଡ଼ୁରେ ଏଆଇଡ଼ିଏମକେ ସହ ବିଜେପି ମେଣ୍ଟ କରିଛି । ଏହା ସହ ତାମିଲ ମାନିଲା କଂଗ୍ରେସର ଜିକେ ମାସନ, ପିଏମକେର ଡ଼. ଏସ.ରାମଦାସ ସହ ଅନ୍ୟ କିଛି ଛୋଟ ଦଳର ନେତାଙ୍କୁ ମଧ୍ୟ ବିଜେପି ପକ୍ଷଭୁକ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଦ୍ବିତୀୟ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର, ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀଙ୍‌କ ସହ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମନୋହରଲାଲ ଖଟ୍ଟର ଏବଂ ସହଯୋଗୀ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ତାମିଲନାଡ଼ୁ ଗସ୍ତରେ ଯିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ।

ନୂଆ ରଣନୀତି ଅନୁସାରେ ଜାନୁଆରୀ ୫ ତାରିଖରୁ ପ୍ରତି ସପ୍ତାହରେ ଜଣେ କେନ୍ଦ୍ରମନ୍ତ୍ରୀ ତାମିଲନାଡ଼ୁ ଗସ୍ତରେ ଯିବେ । ଏହାମଧ୍ୟରେ ମୋଦୀ ଚେନ୍ନାଇ, କୋଏମ୍ବାଟୁର ଏବଂ ଅମିତ୍ ଶାହା ତ୍ରିଚି, କୋଏମ୍ବାଟୁର, ସ୍ମୃତି ଇରାନୀ ନୀଳଗିରି, ଜୟଶଙ୍କର ଥାଞ୍ଜାଭୁର ଯିବା ଚୂଡ଼ାନ୍ତ ହୋଇଛି ।

ଦକ୍ଷିଣ ଭାରତରେ ବିଜେପିର ଉପସ୍ଥିତି କମ୍ ଥିବାରୁ ଏହାକୁ ଦୃଢ଼ୀଭୂତ କରିବାକୁ ଯୋଜନା କରାଯାଇଛି । ୨୦୨୧ ନିର୍ବାଚନରେ ଦଳ ଏକ ମଜବୁତ୍ ଭିତ୍ତିଭୂମି ସ୍ଥାପନ କରି ବିରୋଧୀ ଦଳ ଭାବରେ ଉଭା ହେବ ଓ ୨୦୨୬ରେ ଶାସନ କ୍ଷମତା ଦଖଲ ଲକ୍ଷ୍ୟ ରଖି ଦଳ ପଦକ୍ଷେପ ଗ୍ରହଣ କରୁଛି ।

Comments are closed.