ପୁଣି ସକ୍ରିୟ ଖଣି ମାଫିଆ, ଚୋରା ଚାଲାଣ ପାଇଁ ଗଛିତ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ଜବତ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଅଞ୍ଚଳରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଖଣି ମାଫିଆ। ଏହି ଅଞ୍ଚଳର କୁଟିଙ୍ଗା ଓ ପିପଳପଦର ପଞ୍ଚାୟତର ପାହାଡ଼ରେ ଗଛିତ ଥିବା ମାଙ୍ଗାନିଜ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇ ଲକ୍ଷାଧିକ ଟଙ୍କାର ମାଙ୍ଗାନିଜ ପଥରକୁ ଜବତ କରିଛି ଖଣି ବିଭାଗ। ଏହି ଅଞ୍ଚଳରୁ ଆନ୍ଧ୍ର ଓ ଛତିଶଗଡକୁ କିଛିଦିନ ଅନ୍ତରରେ ରାତି ଅଧିଆ ରାୟଗଡ଼ା ଓ ବନ୍ଧୁଗାଁ ହୋଇ ମାଙ୍ଗାନିଜ ପଥର ଚାଲାଣ ହୋଇଥାଏ। ଏପରିକି କେତେକ ଥର କିଛି ମାଙ୍ଗାନିଜ ବୋଝେଇ ଗାଡ଼ି ସହିତ ଚୋରା ବ୍ୟବସାୟୀ ମାନଙ୍କୁ ମଧ୍ୟ ଧରାଯାଇଥିଲା। ସମ୍ପୃକ୍ତ ଅଞ୍ଚଳର ପୁଲିସର ସହଯୋଗରେ ଏହି କାରବାର ହେଉଥିବା ଅଭିଯୋଗ ଆସିଛି। ପ୍ରାୟ ୩ ବର୍ଷ ରୁ ଊର୍ଦ୍ଧ୍ବ ହେବ କୋରାପୁଟ ଖଣି ବିଭାଗ ଖବର ପାଇ ସମ୍ପୃକ୍ତ ଅଞ୍ଚଳରେ ଗଛିତ ଥିବା ମାଙ୍ଗାନିଜ ପଥର ଗୁଡ଼ିକୁ ପୁଲିସର ସହଯୋରେ ଜବତ କରି ଆଣି ଲକ୍ଷ୍ମୀପୁର ଠାରେ ରଖିଥିଲା।

 

କରୋନା ପାଇଁ ଏହା କିଛି ମାସ ହେବ କୁଆଡ଼େ ଏହି ଚାଲାଣ ବନ୍ଦ ଥିଲା। ତେବେ କିଛି ମାସ ବ୍ୟବଧାନ ପରେ ଏହି ସବୁ ଅଞ୍ଚଳରୁ ଏଠାକାର କିଛି ମାଫିଆ ପୁଣ ଏହି କାରବାର ଚଳାଇ ଆସୁଥିଲେ। ତେବେ ସୋମବାର କୌଣସି ସୂତ୍ରରୁ ସୂଚନା ପାଇ ଖଣି ବିଭାଗ ଉପ ନିର୍ଦ୍ଦେଶକ ପିକେ ନାୟକ,ଖଣି ଅଧିକାରୀ ବି.ସୋରେନ୍, ନିରୀକ୍ଷକ ଜେ.ଦେହୁରୀ ଲକ୍ଷ୍ମୀପୁର ଥାନାରେ ପହଞ୍ଚି ପୁଲିସର ସହଯୋଗ ମାଗିଥିଲେ। ଥାନା ଅଧିକାରୀ ଶ୍ବେତପଦ୍ମା ସେଠଙ୍କ ସହିତ ଏକ ପ୍ଲାଟୁନ ଆଇଆରବି ଯବାନଙ୍କୁ ନେଇ ସଦଳବଳେ କୁଟିଙ୍ଗା ଗ୍ରାମ ଠାରୁ କିଛି ଦୂରରେ ଥିବା ପାହାଡ ତଳେ ଗଛିତ ଥିବା ମାଙ୍ଗାନିଜ ଖଣି ପାଖରେ ପହଞ୍ଚି ସେଠାରେ ଶହ ଶହ ସିମେଣ୍ଟ ବସ୍ତାରେ ଭର୍ତ୍ତି ହୋଇ ରଖାଯାଇଥିବା ମାଙ୍ଗାନିଜ ପଥର ଗୁଡ଼ିକୁ ଜବତ କରାଯାଇଥିଲା। ପରେ ତାକୁ ଏକ ଜେସିବି ମେସିନ ସାହାଯ୍ୟରେ ଦୁଇଟି ହାଇୱାରେ ଭର୍ତ୍ତି କରି ଲକ୍ଷ୍ମୀପୁର ଠାରେ ଥିବା ପ୍ରଧାନ ଇଣ୍ଡଷ୍ଟ୍ରି ନିକଟରେ ରଖାଯାଇଛି। ତେବେ ୪ ଟି ହାଇୱା ଭର୍ତ୍ତି ମାଙ୍ଗାନିଜ ଅଣାଯାଇ ରଖାଯାଇଥିବା ବିଭାଗ ସୂତ୍ରରୁ ସୂଚନା ମିଳିଛି।

Comments are closed.