ହାଇକୋର୍ଟ ଖୋଲିବ କିନ୍ତୁ କୋର୍ଟ ବର୍ଜନ କରିବେ ଆଇନଜୀବୀ

କଟକ: ଗ୍ରୀଷ୍ମ ଅବକାଶ ଛୁଟି ପରେ ଆଜି ହାଇକୋର୍ଟ ଖୋଲିବ। କିନ୍ତୁ ଆଇନଜୀବୀମାନେ ମୁଖ୍ୟ ବିଚାରପତିଙ୍କ କୋର୍ଟ ସମେତ ୩ଟି କୋର୍ଟକୁ ବର୍ଜନ କରିବେ। ଓଡ଼ିଶା ହାଇକୋର୍ଟରେ ନିୟମିତ ଭାବେ ଓକିଲାତି କରୁ ନଥିବା ଆଇନଜୀବୀଙ୍କ ନାଁ ବିଚାରପତି ପଦ ପାଇଁ କଲେଜିୟମକୁ ସୁପାରିସ କରାଯିବା ଘଟଣାର ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ପ୍ରତିବାଦ କରି ଏଭଳି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବା ବେଳେ ଏବେ ୧୩ଟି ପଦବି ଖାଲି ପଡିଛି।

ଆସନ୍ତା ନଭେମ୍ବରରେ ଜଣେ ବିଚାରପତି ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ଏବେ ହାଇକୋର୍ଟରେ ପ୍ରାୟ ୧.୫୩ ଲକ୍ଷ ମାମଲା ବିଚାରାଧୀନ ରହିଛି। ବହୁ ବିଚାରପତି ପଦ ଖାଲି ପଡିଥିବା ବେଳେ ରାଜ୍ୟରେ ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ତେବେ ଓଡ଼ିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁନଥିବା ଆଇନଜୀବୀଙ୍କ ନାଁ କଲେଜିୟମ ପକ୍ଷରୁ ସୁପାରିଶ କରାଯିବା ଘଟଣା ଜଣା ପଡିବା ପରେ ଆସୋସିଏସନ୍ ପକ୍ଷରୁ ଏ ନେଇ ମୁଖ୍ୟ ବିଚାରପତିଙ୍କ ସହିତ ଆଲୋଚନା କରାଯାଇଥିଲା।

ତେବେ ଓଡ଼ିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁଥିବା ବ୍ୟକ୍ତିଙ୍କ ନାଁ ସୁପା‌ରିଶ କରାଯିବ ବୋଲି ଆସୋସିଏସନକୁ ଆଶ୍ୱାସନା ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଓଡ଼ିଶା ହାଇକୋର୍ଟରେ ନିୟମିତ ଓକିଲାତି କରୁନଥିବା ବ୍ୟକ୍ତିଙ୍କ ନାଁ କଲେଜିୟମ ସୁପାରିଶ କରିଥିବା କଥା ଆସୋସିଏସନ୍ ଜାଣିବାକୁ ପାଇଥିଲା। ପୂର୍ବରୁ ହାଇକୋର୍ଟ ବାର ଆ‌େସାସିଏସନ ପକ୍ଷରୁ ସାଧାରଣ ପରିଷଦ ବୈଠକରେ ଏହି ପ୍ରସଂଗରେ ଆଲୋଚନା କରାଯାଇ ଏଭଳି ଘଟଣାର ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତେବେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ହାଇକୋର୍ଟ ବାର୍ ଆସୋସିଏସନ୍ ସାଧାରଣ ପରିଷଦ ବୈଠକରେ ଆଲୋଚନା କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସଭାପତି ଗୋପାଳକୃଷ୍ଣ ମହାନ୍ତି ସୂଚନା ଦେଇଛନ୍ତି।

Comments are closed.