କୁହୁଳିଲା କ୍ଲିନ ଚିଟ ନିଆଁ, ବିବାଦରେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ରବିବାର ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ, ନିର୍ବାଚନ ଆୟୋଗ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଅନ୍ୟତମ ନିର୍ବାଚନ କମିଶନର ଅଶୋକ ଲବାସାଙ୍କ ଅଭିଯୋଗ ପତ୍ରର ଉତ୍ତର ଦେବା ଅବସରରେ କହିଛନ୍ତି ଯେ ଆୟୋଗର ସମସ୍ତ ସଦସ୍ୟଙ୍କ ମତାମତ ସମାନ ନ ହୋଇପାରେ। ଗଣମାଧ୍ୟମରେ ପ୍ରକାଶିତ ଆଚରଣ ବିଧି ସମ୍ପର୍କିତ ପ୍ରସଙ୍ଗ ସମ୍ପର୍କରେ ସେ କହିଛନ୍ତି, ଆୟୋଗର ଆଭ୍ୟନ୍ତରୀଣ କାର୍ଯ୍ୟକୁ ନେଇ ଯେଉଁ ବିବାଦ କଥା କୁହାଯାଉଛି, ତାହାକୁ ଏଡାଇ ଦିଆଯାଇ ପାରିଥାନ୍ତା।

ପ୍ରସଙ୍ଗ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ସତ୍ତ୍ୱେ ୩ଜଣିଆ ସଦସ୍ୟ ବିଶିଷ୍ଠ ନିର୍ବାଚନ ଆୟୋଗ କ୍ଲିନ ଚିଟ ଦେବା। ସୂଚନା ଅନୁଯାୟୀ, ନିର୍ବାଚନ କମିଶନର ଅଶୋକ ଲବାସା ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଏକ ପତ୍ରରେ ଅଭିଯୋଗ କରିଥିଲେ କି ଯେଉଁ ପ୍ରସଙ୍ଗରେ କୌଣସି ସଦସ୍ୟଙ୍କ ମତ ଅଲଗା ହେଉଛି, ସେ ବିଷୟରେ ଆଦେଶ ପତ୍ରରେ ଉଲ୍ଲେଖ ରହିବା ଆବଶ୍ୟକ।

ଲବାସା କହିଛନ୍ତି ଯେ ଯେଉଁଭଳି ସୁପ୍ରିମକୋର୍ଟ ବେଞ୍ଚ ଦ୍ୱାରା ଦିଆଯାଉଥିବା ଆଦେଶରେ ବିଚାରପତିମାନଙ୍କ ନିଷ୍ପତ୍ତି ଅଲଗା ଭାବେ ଦିଆଯାଇଥାଏ, ନିର୍ବାଚନ ଆୟୋଗଙ୍କ କ୍ଷେତ୍ରରେ ସେଭଳି ହେବ କଥା। ସେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ଅଳ୍ପ ସଂଖ୍ୟକ ମତ ବିଚାରକୁ ନିଆ ଯାଇନାହିଁ। ମୋଦୀ ଏବଂ ଶାହଙ୍କ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ କ୍ଷେତ୍ରରେ ନିଆଯାଇଥିବା ନିଷ୍ପତ୍ତିରେ ସେ ଅସହମତ ଥିଲେ ମଧ୍ୟ ତାଙ୍କ ମତ ବିଚାରକୁ ନିଆଯାଇନାହିଁ।

Comments are closed.