ଲାଥାମ୍‌ଙ୍କ ଶତକ, ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟୀ

ଖ୍ରୀଷ୍ଟଚର୍ଚ୍ଚ: ଭ୍ରମଣକାରୀ ବାଂଲାଦେଶ ଓ ଘରୋଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ମଧ୍ୟରେ ଏଠାରେ ମଙ୍ଗଳବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ଦଳ ୫ ୱିକେଟ୍‌ରେ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡ ତରଫରୁ ଅଧିନାୟକ ଟମ୍‌ ଲାଥାମ୍‌ ଅପରାଜିତ ଶତକ ହାସଲ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ହୋଇଛି।

ଦ୍ବିତୀୟ ଦିନିକିଆରେ ଟସ୍‌​‌ ଜିତି ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ବାଂଲାଦେଶକୁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୨୭୧ ରନ୍ ସଂଗ୍ରହ କରିଥିଲା। ଦଳ ତରଫରୁ ଓପନର୍‌ ତଥା ଅଧିନାୟକ ତମିମ୍‌ ଇକବାଲ୍‌ ୧୦୮ଟି ବଲ୍‌ରୁ ୧୧ଟି ଚୌକା ସହାୟତାରେ ସର୍ବାଧିକ ୭୮ ରନ୍‌ କରିଥିବା ବେଳେ ମଧ୍ୟଭାଗ ବ୍ୟାଟସମ୍ୟାନ୍ ମହମ୍ମଦ ମିଥୁନ୍‌ ୫୭ଟି ବଲ୍‌ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ଅପରାଜିତ ୭୩ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁସଫିକୁର ରହିମ୍‌ ୩୪, ସୌମ୍ୟ ସରକାର ୩୨ ରନ୍ କରିଥିଲେ।

ନ୍ୟୁଜିଲାଣ୍ଡର ବୋଲର ମିଚେଲ୍‌ ସାଣ୍ଟ୍‌ନର ୨ଟି ୱିକେଟ୍‌ ହାସଲ କରିଥିବା ବେଳେ ଟ୍ରେଣ୍ଟ ବୋଲଟ୍‌, ମ୍ୟାଟ୍‌ ହେନେରି ଓ କାଏଲ୍‌ ଜେମିସନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଥିଲେ। ଜବାବରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରି ୪୮.୨ ଓଭରରେ ୫ ୱିକେଟ୍‌ ହରାଇ ୨୭୫ ରନ୍‌ କରି ବିଜୟୀ ହୋଇଥିଲା। ଦଳ ତରଫରୁ ଅଧିନାୟକ ଲାଥାମ୍‌ ୧୦୮ଟି ବଲ୍‌ରୁ ୧୦ଟି ଚୌକା ସହାୟତାରେ ୧୧୦ ରନ୍‌ କରି ଅପରାଜିତ ରହିଥିବା ବେଳେ ଡେଭନ୍‌ କନ୍‌ୱେ ୭୨, ଜେମ୍‌ସ ନିସାମ୍‌ ୩୦ ଓ ମାର୍ଟିନ୍‌ ଗପଟିଲ୍ ୨୦ ରନ୍‌ କରିଥିଲେ। ବାଂଲାଦେଶ ବୋଲର ମୁସ୍ତାଫିଜୁର୍‌ ରହମାନ୍‌ ଓ ମେହେଦି ହସନ୍‌ ୨ଟି ଲେଖାଏଁ ୱିକେଟ୍‌ ହାସଲ କରିଥିଲେ। ଟମ୍‌ ଲାଥାମ୍‌ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

Comments are closed.