ଗଛରେ ପିଟିହେଲା ଟ୍ରକ: ଡ୍ରାଇଭର ଆହତ, ହେଲ୍ପର ଗୁରୁତର

ଲାଞ୍ଜିଗଡ଼: ଆଜି ଦିନ ୧୨ଟା ସମୟରେ ଲାଞ୍ଜିଗଡ ପୋଖରୀବନ୍ଧ ଛକରୁ ଭବାନୀପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ବୋରଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ୭୦୯ ଟ୍ରକ୍ ଏକ ଗଛରେ ପିଟି ହୋଇଯିବାରୁ ଟ୍ରକଟିର ସାମ୍ନାପଟ ଚେପା ହୋଇଯାଇଛି। ଏଥିରେ ଚାଳକ ଜଣକ ଆହତ ହୋଇଥିବା ବେଳେ ତାଙ୍କ ସହଯୋଗୀ ଗୁରୁତର ହୋଇପଡିଛନ୍ତି। ୭୦୯ ଟ୍ରକଟି ରାୟଗଡା ପଟୁ ଭବାନୀପାଟଣା ଯାଉଥିବା ବେଳେ ଆଜି ଦିନ ତମାମ ଝିପିଝିପି ବର୍ଷା ଓ କୋହଲା ପାଗ ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡିଛି।

ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ବିଶ୍ୱନାଥପୁର ପୁଲିସ ପକ୍ଷରୁ ଏଏସ୍‌ଆଇ ବୁଦ୍ଧେଶ୍ୟାମ ମାଝୀଙ୍କ ନେତୃତ୍ୱରେ ପୁଲିସବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଚାଳକଙ୍କ ସହଯୋଗୀ ଚେପା ହୋଇଥିବା ଟ୍ରକ ଭିତରେ ଫସି ରହିଥିଲେ। ତାଙ୍କୁ ଲାଞ୍ଜିଗଡସ୍ଥିତ ଅଗ୍ନିଶମ ବିଭାଗର ସହାୟତାରେ ଟ୍ରକ ଭିତରୁ ବାହାର କରାଯିବା ପରେ ଅତ୍ୟନ୍ତ ଗୁରୁତର ଭାବେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଟ୍ରକ ଉପରୁ ଚାଳକ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଲା ବୋଲି କୁହାଯାଉଛି। ତେବେ ଖବର ପାଇବାକ୍ଷଣି ବିଶ୍ୱନାଥପୁର ପୁଲିସ, ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ। ସ୍ଥାନୀୟ ଲୋକେ ପୁଲିସ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

Comments are closed.