ମୋତିଆବିନ୍ଦୁ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ହାତ ବଢାଇଲା ବେଦାନ୍ତ

୩୭ ରୋଗୀ ଚିକିତ୍ସା ପାଇଁ ସୋନପୁର ଗଲେ

ଲାଞ୍ଜିଗଡ଼ :  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ତଥା ରାୟଗଡା ଜିଲ୍ଲାରେ ଦୀର୍ଘ ବର୍ଷ ହେଲା ଗ୍ରହଣଖଣ୍ଡିଆ ଓ ମୋତିଆବିନ୍ଦୁ ରୋଗୀମାନଙ୍କୁ ଚିକିତ୍ସା ଓ ଅସ୍ତ୍ରୋପଚାର ପାଇଁ ସହାୟତାର ହାତ ବଢାଇ ଆସୁଛି ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ । ଏହିକ୍ରମରେ ଆଜି କଳାହାଣ୍ଡି ତଥା ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ୩୭ଜଣ ମୋତିଆବିନ୍ଦୁ ରୋଗୀଙ୍କୁ ଚିହ୍ନଟ ଓ ପ୍ରାଥମିକ ଚିକିତ୍ସା ପରେ ସୋନପୁରସ୍ଥିତ ମହାନଦୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ପାଇଁ ପଠାଯାଇଛି । ରୋଗୀଙ୍କ ଚିକିତ୍ସା ଓ ଅସ୍ତ୍ରୋପଚାରର ସମୁଦାୟ ଖର୍ଚ୍ଚ ବେଦାନ୍ତ ଲିମିଟେଡ ବହନ କରୁଥିବାବେଳେ ଲାଞ୍ଜିଗଡ ବ୍ଲକର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବାର ଅନନ୍ୟ ଉଦାହରଣ ପାଲଟିଥିବା ବେଦାନ୍ତ ହସ୍ପିଟାଲର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହ ଆୟୋଜିତ ହେଉଥିବା ଜଣାପଡିଛି । ବେଦାନ୍ତ ହସ୍ପିଟାଲ ତରଫରୁ ୩୭ ଜଣ ରୋଗୀଙ୍କୁ ଚିହ୍ନଟ ଓ ପଞ୍ଜୀକରଣ କରାଯିବା ପରେ ଆଜି ସଂପୃକ୍ତ ରୋଗୀମାନଙ୍କୁ ସୋନପୁରସ୍ଥିତ ମହାନଦୀ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଥିବାବେଳେ ଏଥିପାଇଁ ବେଦାନ୍ତ ହସ୍ପିଟାଲ ପରିସରରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡର ମୁଖ୍ୟ ଅପରେସନ ଅଧିକାରୀ ଅନୁରାଗ ତିୱାରୀ ଯୋଗ ଦେଇ ଅସ୍ତ୍ରୋପଚାର ପାଇଁ ଯାଉଥିବା ରୋଗୀମାନଙ୍କୁ ଶୁଭେଚ୍ଛା ଓ ଆରୋଗ୍ୟ କାମନା କରିଥିଲେ ।
ସେହିପରି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷା ତୁଳସୀ ନାଏକ, ବରିଷ୍ଠ ନାଗରିକ ଚନ୍ଦ୍ରଧ୍ୱଜ ପେସନିଆ, ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ସିଏସ୍‌ଆର୍ ବିଭାଗର ଦିଲିପ ପ୍ରଜାପତି, ଶ୍ରୀମୁଖ ଅଗସ୍ତି ପ୍ରମୁଖ ଯୋଗ ଦେଇଥିଲେ । ବେଦାନ୍ତ ହସ୍ପିଟାଲ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମକୁ ଡା. ପ୍ରଶାନ୍ତ ପରମାଣିକ ଓ ଅଶୋକ ଖୁରା ପରିଚାଳନା କରିଥିଲେ । ଏହି ଅବସରରେ ସମସ୍ତ ରୋଗୀଙ୍କୁ କମ୍ବଳ ମଧ୍ୟ ବଣ୍ଟନ କରାଯାଇଥିଲା । ବେଦାନ୍ତ ସିଏସ୍‌ଆର୍ ଓ ବେଦାନ୍ତ ହସ୍ପିଟାଲର ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.