ହସ୍ପିଟାଲ ଛାତରୁ ଖସି ପଡ଼ିଲା ସ୍ଲାବ୍, ଅଳ୍ପକେ ବର୍ତ୍ତିଲେ ଡାକ୍ତର ଓ କର୍ମଚାରୀ

ଲାଞ୍ଜିଗଡ଼: ଭଙ୍ଗା ଦଦରା ତଥା ଦୀର୍ଘ ଦିନର ପୁରୁଣା କୋଠାକୁ ହସ୍ପିଟାଲ ପକ୍ଷରୁ ମରାମତି କାର୍ଯ୍ୟ ଜାରି ରହିଥିବାବେଳେ ନିୟମିତ ଭାବେ ମଧ୍ୟ ରୋଗୀ ଦେଖା ଚାଲିଥିଲା। ଆଜି ହସ୍ପିଟାଲରେ ରୋଗୀ ଦେଖା ଚାଲିଥିବାବେଳେ ହଠାତ୍ ଛାତ ଉପରୁ ସ୍ଲାବ୍‌ଟି ଖସି ପଡ଼ିଥିଲା। ଡାକ୍ତର ଓ କର୍ମଚାରୀଙ୍କ ସହ ରୋଗୀ ଓ ସେମାନଙ୍କ ସହାୟକଙ୍କ ଭିଡ଼ ଲାଗି ରହିଥିବା ହସ୍ପିଟାଲ ଭିତରେ ଖଣ୍ଡଖଣ୍ଡ ହୋଇ ସ୍ଲାବ ଖଣ୍ଡ ଖସି ପଡ଼ିଥିଲା। ସ୍ଲାବ ଖସି ପଡୁଥିବାଦେଖି ପ୍ରାଣ ବିକଳରେ ସମସ୍ତେ ବାହାରକୁ ଦୌଡ଼ି ପଳାଇଯିବାରେ ସଫଳ ହୋଇଥିଲେ। ଫଳରେ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, କର୍ମଚାରୀ ଓ ରୋଗୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ ଲାଞ୍ଜିଗଡ଼ ରୋଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ପୂର୍ବାହ୍ନ ୧୧.୩୦ ସମୟରେ ଡାକ୍ତରମାନେ ରୋଗୀ ଚିକିତ୍ସା କରୁଥିବା ସମୟରେ ହଠାତ୍ ହସ୍ପିଟାଲ କୋଠରୀର ଛାତ ଉପରୁ ସ୍ଲାବ ଖସି ପଡ଼ିଥିଲା। ଛାତରୁ ସ୍ଲାବ ଓ ପ୍ଲାଷ୍ଟର ଖସିବା ଦେଖି ଡାକ୍ତର, କର୍ମଚାରୀ ଓ ରୋଗୀ ଭୟରେ ବାହାରକୁ ଚାଲି ଆସିଥିଲେ। ଫଳରେ ଏକ ବଡ଼ ଧରଣର ବିପଦରୁ ରକ୍ଷା ପାଇଯାଇଥିବା ଜଣାପଡ଼ିଛି।


ଦୀର୍ଘ ବର୍ଷ ହେଲା ଭଙ୍ଗାଦଦରା ଘରେ ହସ୍ପିଟାଲ ଚାଲିଥିବାବେଳେ ଏଇ ନିକଟରେ ନୂତନ ସ୍ବାସ୍ଥ୍ୟ କେନ୍ଦ୍ର ପାଇଁ ଭବ୍ୟ କୋଠାଘର ନିର୍ମାଣ ସରିଛି । ତେବେ ପ୍ରାୟ ବର୍ଷେ ହେଲା ଏହା ନିର୍ମାଣ ଶେଷ ହୋଇଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତାନ୍ତର କରାଯାଇନାହିଁ। ଫଳରେ ବାଧ୍ୟ ବାଧ୍ୟକତାରେ ପୁରୁଣା କୋଠାରେ ରୋଗୀ ଦେଖା ଚାଲିଛି। ପୁରୁଣା କୋଠା ବହୁଦିନ ହେଲା ଶୋଚନୀୟ ଓ ବିପଦସଂକୁଳ ଅବସ୍ଥାରେ ଥିଲେ ସୁଦ୍ଧା ଏଥିପ୍ରତି ସ୍ବାସ୍ଥ୍ୟ ବିଭାଗର ପଦସ୍ତ ଅଧିକାରୀମାନଙ୍କ ନଜର ନ ପଡ଼ିବା ପରିତାପର ବିଷୟ।
ଆଜିର ଏହି ଅଘଟଣ ପରେ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିବା ସହିତ ସ୍ବାସ୍ଥ୍ୟ ବିଭାଗର ପାରିବା ପଣିଆକୁ ସମାଲୋଚନା କରିଛନ୍ତି। ଏପରିକି ଯୁବସମାଜସେବୀ ସୁଶୀଲ କୁମାର ବାଗ ଏହି ଘଟଣା ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ସଚିବ, କଳାହାଣ୍ଡି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଟ୍ବିଟ କରି ଅବଗତ କରିଛନ୍ତି। ସେହିପରି ଘଟଣା ଘଟିବା ପରେ ଲାଞ୍ଜିଗଡ଼ ରୋଡ଼ ସରପଞ୍ଚ ଟଙ୍କଧର ମାଝୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ମେଡ଼ିକାଲ ଅଫିସର ଡା.ଭବାନୀଶଙ୍କର ଲେଙ୍କା ଘଟଣା ସଂପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିବା ପ୍ରକାଶ କରିଛନ୍ତି। ଏହାସହିତ ନବନିର୍ମିତ ହସ୍ପିଟାଲ କୋଠାକୁ ତୁରନ୍ତ ହସ୍ତାନ୍ତର ପାଇଁ ସେ ଉପରସ୍ତ ଅଧିକାରୀଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି।

Comments are closed.