ମହୁଲଗଛ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବାତେଲିମା ପଞ୍ଚାୟତ ବୋରିଙ୍ଗପଦର-ଟୁରିଗୁଡା ନୀଳଗିରି ପଡ଼ିଆର ଏକ ମହୁଲ ଗଛ ତଳୁ ସୋମବାର ଲାଞ୍ଜିଗଡ଼ ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇଥିବାବେଳେ ମୃତ ଯୁବକଙ୍କ ପତ୍ନୀଙ୍କ ଏତଲା ଆଧାରରେ ଏକ ମାମଲା ରୁଜୁ କରିଛି ।

ସୂଚନାନୁଯାୟୀ, ବାତେଲିମା ପଞ୍ଚାୟତ ବୋରିଙ୍ଗପଦର ଗାଁର କୃଷ୍ଣ ସାହୁ(୩୦) ଜଣେ ବିବାହିତ ଯୁବକ ଓ ସେ ନିଜର ଏକ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ରବିବାର ସନ୍ଧ୍ୟା ସମୟରେ ସେ ନିଜ ପୁଅ ଓ ଝିଅଙ୍କୁ ନେଇ ରାୟଗଡ଼ା ଜିଲ୍ଲା ଦହିଖାଲ ନିକଟସ୍ଥ ଡୁର୍କିଲିମା ଗାଁରେ ଥିବା ନିଜ ଶ୍ୱଶୁର ଘରକୁ ଯାଇଥିଲେ । ତେବେ ରାତିରେ ସେଠାରୁ ସେ ଆଉ ଘରକୁ ଫେରିନଥିଲେ । ଆଜି ସକାଳୁ ଗାଁ ନିକଟସ୍ଥ ନୀଳଗିରି ପଡିଆ ପାଖରେ ଥିବା ଏକ ମହୁଲ ଗଛ ତଳେ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଗାଁର କିଛି ଲୋକ ଜଙ୍ଗଲକୁ ଟୋଲ ଗୋଟାଇବାକୁ ଯାଇଥିବାବେଳେ ତାଙ୍କ ମୃତଦେହ ଦେଖି ଘରକୁ ଖବର ଦେଇଥିଲେ । ଏହାପରେ ମୃତ କୃଷ୍ଣଙ୍କ ପତ୍ନୀ ଭୂମିସୂତା ଥାନାରେ ଅଭିଯୋଗ କରିବା ପରେ ଏସ୍ଆଇ ବିପିନ କୁଲଦୀପ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ତଦନ୍ତ ଚଳାଇଥିଲେ । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସଡିପିଓ ଗୁପ୍ତେଶ୍ୱର ଭୋଇଙ୍କ ସମେତ ସାଇଣ୍ଟିଫିକ୍ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିବା ସହ ତନାଘନା ଆରମ୍ଭ କରିଛନ୍ତି । ଏ ନେଇ ଲାଞ୍ଜିଗଡ଼ ଥାନା କେସ୍ ନଂ ୨୧/୨୦୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡିଛି । ତେବେ ଏକା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଥିବାବେଳେ ଏହି ମାମଲାରେ ଏ ଯାଏଁ କାହାକୁ ଗିରଫ କରାଯାଇନାହିଁ ।

Comments are closed.