ସ୍ଥାପିତ ହେଲା ବିଶ୍ୱରତ୍ନ ବାବାସାହେବ ଡ. ଆମ୍ବେଦ କରଙ୍କ ପ୍ରତିମୂର୍ତ୍ତି 

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁରରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରାଯିବା ସହିତ ବିଶ୍ୱ ମାନବିକତାବାଦର ପ୍ରତିଷ୍ଠାତା ବିଶ୍ୱରତ୍ନ ବାବାସାହେବ ବି.ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ବାବାସାହେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଏକ ଐତିହାସିକ ନିଷ୍ପତ୍ତି । ଏକ ଐତିହାସିକ ପଦକ୍ଷେପ । ବାବାସାହେବ ଆମ୍ବେଦକର ଏକ ଦଳିତ ପରିବାରରୁ ଜନ୍ମଲାଭ କରି ସାରା ବିଶ୍ୱକୁ ନ୍ୟାୟ, ସମାନତାର ଅଧିକାର ଦେବାରେ ସେ ହେଉଛନ୍ତି ଅଗ୍ରଗଣ୍ୟ । ତେବେ ବାବାସାହେବ କେବଳ ଦଳିତଙ୍କ ଉଦ୍ଧାରକର୍ତ୍ତା ନୁହଁନ୍ତି, ସାରା ଦେଶର ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ବିଶ୍ୱର ସର୍ବବୃହତ ଗ୍ରନ୍ଥ ସମ୍ବିଧାନ ଲେଖିବା ସହିତ ଏହାକୁ ଲାଗୁ କରାଇବାରେ ସେ ଅଗ୍ରଣୀ ଭୂମିକା ତୁଲାଇଥିଲେ । ସବୁ ଜାତି ଓ ଧର୍ମର ଊର୍ଦ୍ଧ୍ୱରେ ଆମ୍ବେଦକର ଓ ଆମ୍ବେଦକରବାଦ ମାନବବାଦର ସନ୍ଦେଶ ଦେଉଥିବାରୁ ଏହାକୁ ଗ୍ରାମାଞ୍ଚଚଳରେ ପ୍ରସାର କରିବା ସହିତ ସାମ୍ବିଧାନିକ ଅଧିକାର ଜାଗ୍ରତ କରାଇବା ପାଇଁ ବାବାସାହେବଙ୍କ ପ୍ରତିମୂର୍ତ୍ତି ସହାୟକ ହେବ । ବାବାସାହେବଙ୍କ ପ୍ରତିମୂର୍ତ୍ତି ଆମକୁ ସାମ୍ବିଧାନିକ ହକ୍ ଓ ଅଧିକାରର ବାର୍ତ୍ତା ଦେବା ସହିତ ଆମକୁ ମାନବବାଦର ରାସ୍ତା ଦେଖାଇବ ବୋଲି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବାବାସାହେବଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସୋମବାର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା, ସମ୍ମାନିତ ବକ୍ତା ଭାବେ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ, ସଂପାଦକ ଶ୍ରୀବତ୍ସ ତାଣ୍ଡି, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ସମାଜସେବୀ ଶ୍ରୀଧର ପେସନିଆ, ଜିଲ୍ଲା ପରିଷଦ ସଦସ୍ୟ ପରିକ୍ଷିତ ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ମନୋହର ହରପାଲ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ସରପଞ୍ଚ ସଂଘ ସଭାପତି ସାନ୍ଦୁ ମାଝୀ, ବିଶ୍ୱନାଥପୁର ସରପଞ୍ଚ ସୁରଥ ମାଝୀ, ସମିତିସଦସ୍ୟ ଅଜିତ ପ୍ରଧାନୀ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଆଦିବାସୀ ନେତା ଚାଞ୍ଚେର ମାଝୀ, ବିଶିଷ୍ଟ ଯାଦବ ନେତା ରଘୁବୀର ନାଗ ପ୍ରମୁଖ ଯୋଗ ଦେଇଥିଲେ ।

ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ଲାଞ୍ଜିଗଡ ବ୍ଲକ ସଭାପତି ଜଗଦୀଶ ବେନିଆଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ କାର୍ଯ୍ୟକ୍ରମର ଯୁବ ପ୍ରଶାସକ ତଥା ମିଶନ ଅଗଷ୍ଟ ୧୫ର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଯୁବ ସମାଜସେବୀ ସୁଶୀଲକୁମାର ବାଗ ବିବରଣୀ ପାଠ କରିଥିଲେ । ସମାଜସେବୀ ଗୋପାଳଦାସ ମହାନନ୍ଦ ଓ ବିଭୂତି ଭୂଷଣ ତାଣ୍ଡି ସଭା ପରିଚାଳନା କରିଥିବା ବେଳେ ଲାଞ୍ଜିଗଡ ବ୍ଲକ କଂଗ୍ରେସ ସଭାପତି ହରିହର କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ ପରିଚାଳନାରେ ତରୁଣ କୁମାର ଦାସ, କିଶୋର ହରପାଲ, ପିତାମ୍ବର ହେମ୍ବ୍ରମ, ସ୍ମିତା ବିଶ୍ୱାଳ, ମନରଞ୍ଜନ ବିଶି, ଜକସନ ସାହୁ, ପଦ୍ମଲୋଚନ ସୁନା, ମହେନ୍ଦ୍ର କରୁଆଁ, ମଧୁସୂଦନ ବାଗ, ପ୍ରମୋଦ ଗୋୟଲ, ନୀର ରାଉତ, ରାଜୀବ ପୃଷ୍ଟି, ପୁରୁଷୋତ୍ତମ ପାଣି, ଗୋପବନ୍ଧୁ ପଧାନ, ମୂରଲୀ ନାଏକ, ଚନ୍ଦ୍ରମଣି ନାଏକ, ଗୀତା ହରପାଲ, ତୁଳସୀ ମାଝୀଙ୍କ ସମେତ ବିଭିନ୍ନ ସାମାଜିକ, ରାଜନୈତିକ ଓ ଯୁବ ସଂଗଠନ ତଥା ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବିଶ୍ୱନାଥପୁର ପୁଲିସ ପକ୍ଷରୁ ବୁଦ୍ଧରାମ ମାଝୀ, ବୁଦ୍ଧେଶ୍ୟାମ ମାଝୀଙ୍କ ନେତୃତ୍ୱରେ ପୁଲିସବାହିନୀ ଓ କିଶୋର କୁମାର ଘଡେଇଙ୍କ ନେତୃତ୍ୱରେ ମାଁ ହୀରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୋଭର ସ୍କାଉଟମାନେ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ । ଏହି ଅବସରରେ ପ୍ରବଳ ବର୍ଷା ସତ୍ତ୍ୱେ ଲାଞ୍ଜିଗଡ ବ୍ଲକର ୨୬ ଗୋଟି ଗ୍ରାମପଞ୍ଚାୟତ ଅଞ୍ଚଳରୁ ଦୁଇ ହଜାରରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ସାମିଲ ହୋଇଥିଲେ ।

Comments are closed.