ତଣ୍ଟି କାଟି ଯୁବକଙ୍କୁ ହତ୍ୟା, ପୁଲିସର ଛାନବିନ ଆରମ୍ଭ

ଲାଞ୍ଜିଗଡ଼: ନିଜ ଘର ଦୁଆର ମୁହଁରେ ରାତିରେ ଶୋଇଥିବା ବେଳେ ଜଣେ ଯୁବକଙ୍କୁ ତଣ୍ଟି କାଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଲୋମହର୍ଷକ ଘଟଣାଟି ଘଟିଛି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ସିମିଳିଭଟା ଗାଁରେ। ବୁଧବାର ରାତିରେ ଖାଇପିଇ ଦୁଆରେ ଶୋଇଥିବା ଅବସ୍ଥାରେ ନୀଳମଣି ଦଣ୍ଡସେନା(୩୨) ନାମକ ଜଣେ ବ୍ୟକ୍ତିଙ୍କୁ କେହି ଅଜଣା ଦୁବୃର୍ତ୍ତ କୌଣସି ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା କରିଥିବା ଜଣାପଡିଛି। ସେ ଓ ତାଙ୍କ ସ୍ତ୍ରୀ ଚଞ୍ଚଳା ଖାଇପିଇ ଶୋଇବାକୁ ଯାଇଥିବା ବେଳେ ଚଞ୍ଚଳା ଘରେ ଶୋଇଥିବା ବେଳେ ଗରମ ଲାଗୁଥିବାରୁ ନୀଳମଣି ଦୁଆରେ ଶୋଇଥିଲେ। ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ବେଳେ ସକାଳେ ଉଠି ତାଙ୍କ ସ୍ତ୍ରୀ ଦେଖି କାନ୍ଦ ବୋବାଳି କରିବାରୁ ପାଖପଡ଼ୋଶୀ ପହଞ୍ଚି ପୁଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୁଲିସ ପହଞ୍ଚିବା ସହିତ ଛାନବିନ ଆରମ୍ଭ କରିଛି। ଏହାସହିତ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଭବାନୀପାଟଣାରୁ ମନୋଜ କୁମାର ମାଝୀଙ୍କ ନେତୃତ୍ୱରେ ଏକ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ରାୟଗଡାରୁ ପ୍ରଦୀପ କୁମାର ବାରିକଙ୍କ ନେତୃତ୍ୱରେ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏ ନେଇ ଲାଞ୍ଜିଗଡ ଥାନାରେ ୪୩/୨୦୨୧ରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ମୃତ ନୀଳମଣି ଲାଞ୍ଜିଗଡ଼ର ମୂଳ ବାସିନ୍ଦା ହୋଇଥିବାବେଳେ ଗତ ଚଉଦ ବର୍ଷ ତଳେ ଅନ୍ୟ ଜାତିର ଜଣେ ଝିଅକୁ ପ୍ରେମବିବାହ କରି ସିମିଳିଭଟାରେ ରହି ଆସୁଥିଲେ। ତାଙ୍କର ଏକ ଦେଢବର୍ଷର ଶିଶୁକନ୍ୟା ମଧ୍ୟ ରହିଛି। ବର୍ତ୍ତମାନ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବା ସହିତ ଏଥିରେ ସଂପୃକ୍ତ ଦୁବୃର୍ତ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments
Loading...