ତାମାଙ୍ଗି କୁମ୍ଭାରୀ ପଦର ଗାଁ ମୁଣ୍ଡ ପାହାଡ଼ ରେ ଭୁସ୍ଖଳନ, ଗ୍ରାମବାସୀ ଆତଙ୍କିତ

ପାହାଡ଼ ମୁଣ୍ଡରୁ ପ୍ରାୟ ଏକ କିମି ପାହାଡ଼ ଧସି ଯାଇ ଥିବାବେଳେ ଅଧ କିମି ରାସ୍ତା ବିଚ୍ଛିନ୍ନ ହୋଇଛି

ଫୁଲବାଣୀ/ବ୍ରାହ୍ମଣୀଗାଁ – କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ର ହତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି କୁମ୍ଭୀର ପଦର ଗ୍ରାମକୁ ଲାଗି ରହିଥିବା ପାହାଡ଼ ରେ ଭୁସ୍ଖଳନ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି। ଖବର ପାଇଁ ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ଭାବେଶ ମାଝୀ ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ରଞ୍ଜିତ କୁମାର କହଁର ସମେତ ତହସିଲ କାର୍ଯ୍ୟାଳୟ ର କିଛି କର୍ମଚାରୀ ଘଟଣା ସ୍ଥଳକୁ ଯାଇ ସ୍ଥିତି ର ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି।

ସୁଚନା ଅନୁଯାୟୀ ଚଳିତ ଲଗାଣ ବର୍ଷାରେ ଗାଁ ମୁଣ୍ଡରେ ଋଷିମାଳ ପାହାଡ଼ କୁ ଲାଗି ରହିଥିବା ପାହାଡ଼ ରେ ଭୁସ୍ଖଳନ ଦେଖାଦେଇଛି। ଗତ ବର୍ଷ ମଧ୍ୟ ସେହି ସମାନ ଜାଗାରେ ଭୁସ୍ଖଳନ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଆଜି ଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ନେଇ ଗ୍ରାମ ବାସୀ କହିଛନ୍ତି। ଏହି ବର୍ଷ ଅଧିକ ମାତ୍ରାରେ ଭୁସ୍ଖଳନ ହୋଇଛି ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି। ପାହାଡ଼ ମୁଣ୍ଡରୁ ପ୍ରାୟ ଏକ କିମି ପାହାଡ଼ ଧସି ଯାଇ ଥିବାବେଳେ ଅଧ କିମି ରାସ୍ତା ବିଚ୍ଛିନ୍ନ ହୋଇଛି ଯାହା ଫଳରେ ସେହି ରାସ୍ତା ଦେଇ କାଟିଙ୍ଗିଆ, ପଣସ ପଦର, ଗଞ୍ଜାମ ଜିଲ୍ଲାର ସଲିମା ଗୋଛା କୁ ଯାତାୟାତ ବନ୍ଦ ରହିଛି। ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ ବିଚ୍ଛେଦ ହୋଇଛି।

ସ୍ଥାନେ ସ୍ଥାନେ ପାହାଡ଼ ରେ ଗର୍ତ ସୃଷ୍ଟି ହୋଇଛି।ତୁହାକୁ ତୁହା ବର୍ଷା ଲାଗି ରହୁଥିବା ରୁ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି। ଏଣୁ ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭୀତ ଥିବା ବେଳେ ପ୍ରଶାସନ ପଦକ୍ଷେପ କୁ ଅନାଇ ବସିଛନ୍ତି ଗ୍ରାମ ବାସୀ । ତୁରନ୍ତ ଏହାର ପଦକ୍ଷେପ ନ ନେଲେ କେତେବେଳେ ଯେ ଏହି ଗ୍ରାମ ଭୂପୃଷ୍ଠରୁ ଲୀନ ହୋଇଯିବ ତାହା କହି ହେଉନି । କେବଳ ପାହାଡ଼ରେ ଭୁସ୍ଖଳନ ସୀମିତ ରହିନାହିଁ ମେରାମା ଛକ ଠାରୁ ତାମାଙ୍ଗି ଯିବା ଘାଟି ରାସ୍ତା ର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ହେତୁ ଫୁଲବାଣୀ ରୁ ହତିମୁଣ୍ଡା କୁ ଯାତାୟାତ କରୁଥିବା ସରକାରୀ ବସ ଚଳାଚଳ ଗତ କିଛିଦିନ ହେଲା ବନ୍ଦ ରହିଥିବା ଜଣା ପଡ଼ିଛି ।ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Comments are closed.