ମା’ଲକ୍ଷ୍ମୀଙ୍କ ସହ ଯୋଡ଼ା ‘ଲାକ୍‌ମେ’ର ନାମ

ଭାରତୀୟ ଯୁବତୀ, ମହିଳାଙ୍କ ଲାକ୍‌ମେ ବ୍ରାଣ୍ଡର ପ୍ରସାଧନ ସାମଗ୍ରୀ ଉପରେ ଅତୁଟ ବିଶ୍ବାସ, ଦେଶୀ କମ୍ପାନୀ ହେବା ସହ ଏଇ କମ୍ପାନୀର ସାମଗ୍ରୀଗୁଡ଼ିକ ଦର ମଧ୍ୟ ସେଭଳି ଅଧିକ ନୁହେଁ। ଲାକ୍‌ମେ ନାମ ଉଚ୍ଚାରଣ କଲେ ଏକ ବିଦେଶୀ ଶବ୍ଦର ସ୍ପର୍ଶ ଜଣାପଡ଼େ, ପ୍ରକୃତରେ କିନ୍ତୁ ଆମ ମା’ ଲକ୍ଷ୍ମୀ ଠାକୁରାଣୀଙ୍କ ସହ ଲାକ୍‌ମେ ନାମ ଯୋଡ଼ା ହୋଇରହିଛି। ଏହାର ନାମକରଣ ପଛରେ ମଧ୍ୟ ସୁନ୍ଦର ଘଟଣାବଳୀଟିଏ ଅଛି।

୬୯ ବର୍ଷ ତଳର କଥା। ସେତେବେଳେ ସମ୍ଭ୍ରାନ୍ତ ଘରର ମହିଳାମାନେ ବିଦେଶରୁ ହିଁ ବ୍ରାଣ୍ଡେଡ୍ ଲିପ୍‌ଷ୍ଟିକ୍, ନେଲ୍‌ପଲିସ୍, କାଜଲ୍ ଇତ୍ୟାଦି ମଗାଉଥିଲେ, ଦେଶୀ ଜିନିଷ ବ୍ୟବହାରକୁ ସେମାନେ ପସନ୍ଦ କରୁନଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଦୃଷ୍ଟିକୁ ଏହା ଆସିଲା, ବ୍ୟାବସାୟିକ ଦୃଷ୍ଟିକୋଣରୁ ଭାରତ ଏଥିପାଇଁ କ୍ଷତି ସହୁଥିଲା। ସେ ସମୟର ନାମୀ ଶିଳ୍ପପତି ଜେ.ଆର.ଡି ଟାଟାଙ୍କ ସହ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଆଲୋଚନା କରିବା ସହ ଅନୁରୋଧ କଲେ, ଆପଣ ହିଁ ମହିଳାଙ୍କ ପାଇଁ ଏକ ଦେଶୀ କମ୍ପାନୀର ଶୁଭାରମ୍ଭ କରନ୍ତୁ। ଟାଟା ପରିବାରର ବୋହୂ ସିମୋନ୍ ଟାଟା ଏଇ ଯୋଜନାର ମୂଳଦୁଆ ସ୍ଥାପନା କଲେ।
ଇଉରୋପୀୟ ଝିଅ ସିମୋନ୍‌ ଏକ ପ୍ରସାଧନ ସାମଗ୍ରୀ ଆରମ୍ଭ ପୂର୍ବରୁ ଭଲଭାବେ ପୁଙ୍ଖାନୁପୁଙ୍ଖ ତଥ୍ୟ ହାସଲ କଲେ। ‘ଲାକ୍‌ମେ’ ନାମ ସେ ଦେଇଥିଲେ, ଏକ ଫରାସୀ ଅପେରାକୁ ଦେଖି ସିମୋନ୍ ଟାଟା ଏହି ନାମ ସ୍ଥିର କରିଥିଲେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଲାକ୍‌ମେ ନାମର ଭାରତୀୟ ଅର୍ଥ ହେଉଛି ମା’ ଲକ୍ଷ୍ମୀଙ୍କ ନାମ। ଟାଟା ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ ମଧ୍ୟ ଏଇ ‘ଲାକ୍‌ମେ’ ନାମକୁ ସ୍ବୀକୃତି ଦେଲା। ୧୯୫୨ରୁ ଭାରତୀୟ ବଜାରରେ ନିଜ ସ୍ଥିତିକୁ ବଜାୟ ରଖିଥିବା ଲାକ୍‌ମେ ୧୯୯୬ବେଳକୁ ଅନ୍ୟ ଏକ କମ୍ପାନୀ କିଣିନେଲା। କେବଳ ଭାରତୀୟ ବଜାର ନୁହେଁ, ବିଶ୍ବ ବଜାରରେ ମଧ୍ୟ ଲାକ୍‌ମେ ସାମଗ୍ରୀର ଆଦର ବେଶ୍ ରହିଛି।

Comments are closed.