ଲକ୍ଷ୍ନୌ-ଆରସିବି ଏଲିମିନେଟର ଲଢ଼େଇ ଆଜି

କଲକାତା: ନବାଗତ ଲକ୍ଷ୍ନୌ ସୁପରଜ୍ୟାଣ୍ଟ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଆଜି ଲଢ଼େଇ ହେବ ।  ଆଇପିଏଲର ଏଲିମିନେଟର ମ୍ୟାଚ କଲକାତାର ଇଡେନଗାର୍ଡେନରେ ଖେଳାଯିବ। ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ପଦାର୍ପଣରେ ଚମକ ଛାଡିବା ନେଇ ବିଜୟ ସହ ଆଉ ପାଦେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବାବେଳେ ଫ୍ଲାଫ ଡୁପ୍ଲେସିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଟାଇଟଲ ଲକ୍ଷ୍ୟ ନେଇ ଖେଳିବ । ବିଜୟୀ ଦଳ କ୍ବାଲିଫାୟାର-୨ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବାବେଳେ ପରାଜିତ ଦଳ ବାଦ୍‌ ପଡିବ। ଏହି ଦୃଷ୍ଟିରୁ ଉଭୟ ଦଳ ପାଇଁ ଉକ୍ତ ମ୍ୟାଚ କର ବା ମର ସଦୃଶ ହୋଇଛି।

ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ, ଡୁପ୍ଲେସିଙ୍କ ଭଳି ତାରକାଙ୍କୁ ନେଇ ଗଠିତ ବାଙ୍ଗାଲୋର ଭାଗ୍ୟ ସହାୟତା ପାଇଁ ପ୍ଲେ ଅଫରେ ପହଞ୍ଚିପାରିଛି। ମୁମ୍ବଇ ନିକଟରୁ ଦିଲ୍ଲୀ ପରାଜୟ ପରେ ବାଙ୍ଗାଲୋର ପ୍ଲେ ଅଫରେ ପହଞ୍ଚିପାରିଥିଲା। ଆରସିବି ୧୪ଟି ମ୍ୟାଚରୁ ୮ଟି ବିଜୟ, ୬ଟି ପରାଜୟ ସହ ୧୬ ପଏଣ୍ଟ ପାଇ ଟେବୁଲର ୪ର୍ଥ ସ୍ଥାନ ସହ ପ୍ଲେ ଅଫରେ ପହଞ୍ଚିଛି। ଚଳିତ ସିଜିନରେ ବିରାଟ କୋହଲି ଫର୍ମକୁ ନେଇ ସଂଘର୍ଷ କରୁଥିବାବେଳେ ଗୁଜରାଟ ଟାଇଟାନ୍‌ସ ବିପକ୍ଷ ମ୍ୟାଚରେ ୫୪ଟି ବଲରୁ ୭୧ରନ କରିବା ପରେ ଆରସିବି ଶିବିରକୁ ଉତ୍ସାହିତ କରିଛି। ସେହିପରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଳେନ ମ୍ୟାକ୍ସୱେଲ ମଧ୍ୟ ବ୍ୟାଟିଂ ଓ ବୋଲିଂରେ ସାଣିତ ପ୍ରଦର୍ଶନ କରୁଛନ୍ତି। ଅଧିନାୟକ ଡୁପ୍ଲେସି ଭଲ ଫର୍ମ​‌ରେ ରହିବା ସହ ୪୪୩ କରିଛନ୍ତି। ଫିନିସର ଭାବେ ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ଦିନେଶ କାର୍ତ୍ତିକ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଭାରତୀୟ ଟ୍ବେଣ୍ଟି୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା କାର୍ତ୍ତିକ ଆରସିବି ପାଇଁ ମ୍ୟାଚ ବିଜେତା ଭାବେ ଉଭା ହୋଇଛନ୍ତି। । ସେ ୧୪ଟି ଇନିଂସରୁ ୧୯୧. ୩୩ ପ୍ରତିଶତ ହାରରେ ୨୮୭ରନ କରିଛନ୍ତି। ବୋଲିଂରେ ଜୋସ୍‌ ହାଜେଲଉଡ୍‌, ୱାହିନ୍ଦୁ ହାସରଙ୍ଗା,ହର୍ଷାଲ ପଟେଲ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଦ୍ରୁତ ବୋଲର ମହମ୍ମଦ ସିରାଜ୍‌ ୧୩ଟି ମ୍ୟାଚରୁ ୮ଟି ୱିକେଟ ନେଇଥିବାବେଳେ ହାଜେଲଉଡ୍‌ ଓ ହାସରଙ୍ଗା ଉଭୟେ ୫୭ଟି ୱିକେଟ ନେଇଛନ୍ତି। ବ୍ୟାଟିଂ,ବୋଲିଂରେ ସନ୍ତୁଳିତ ଦଳ ରହିଥିବା ଆରସିବି ବିପକ୍ଷ ଲକ୍ଷ୍ନୌକୁ ପରାସ୍ତ କରିବା ନେଇ ଆଶା ରଖିଛି। ଅନ୍ୟପକ୍ଷରେ କ୍ବିଣ୍ଟନ ଡିକକ୍‌, ଲୋକେଶ ରାହୁଲ, ଦୀପଦ ହୁଡାଙ୍କୁ ନେଇ ଲକ୍ଷ୍ନୌ ବ୍ୟାଟିଂ ବେଶ ଶକ୍ତିଶାଳୀ ରହିଛି।

ଦୁଇ ଓପନର ଡିକକ୍‌ ଓ ରାହୁଲ ୧୦୩୯ରନ କରିଛନ୍ତି। କଲକାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ୨୧୦ରନର ଅବିଭାଜିତ ଓପନିଂ ଭାଗିଦାରୀ ଆଇପିଏଲର କୀର୍ତ୍ତିମାନ ରହିଛି। ରାହୁଲ ୧୪ଟି ମ୍ୟାଚରୁ ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ୫୩୭ରନ ଓ ଡିକକ୍‌ ଗୋଟିଏ ଶତକ ସହ ୫୦୨ରନ କରିଛନ୍ତି। ଉଭୟେ ଆରସିବି ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛନ୍ତି। ଲକ୍ଷ୍ନୌ ୧୪ଟି ମ୍ୟାଚରୁ ୯ଟି ବିଜୟ ଓ ୫ଟି ପରାଜୟ ସହ ୧୮ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନ ସହ ପ୍ଲେ ଅଫରେ ପହଞ୍ଚିଛି। ମଧ୍ୟକ୍ରମରେ ଦୀପକ ହୁଡାଙ୍କ ସମେତ ମାର୍କୋସ ଷ୍ଟୋଇନିସ, କ୍ରୁନାଲ ପାଣ୍ଡ୍ୟ​‌ା, ଆୟୁଷ ବାଦୋନୀ ଦାୟିତ୍ବ ତୁଲାଉଛନ୍ତି। ଅଲ୍‌ରାଉଣ୍ଡର ଜାସନ ହୋଲଡରଙ୍କ ସହ ବୋଲିଂରେ ଅଭେସ ଖାନ , ଦୁଷ୍ମନ୍ତ ଚାମେରା, ମୋହସିନ୍‌ ଖାନଙ୍କ ନିକଟରେ ଆରସିବି ବ୍ୟାଟିଂକୁ ଧ୍ବଂସ କରିବାର ଦକ୍ଷତା ରହିଛି। ଅଭେସ ଓ ମୋହସିନ୍‌ ଦ୍ରୁତ ବୋଲିଂରେ ଭଲ ପ୍ରଦର୍ଶନ କରୁଥିବାବେଳେ ସ୍ପିନ ବିଭାଗରେ କ୍ରୁନାଲଙ୍କ ସହ ରବି ବିଷ୍ଣୋୟି ମଧ୍ୟ ରହିଛନ୍ତି। ଉଭୟ ଦଳର ପ୍ରଦର୍ଶନ ଓ ଖେଳାଳିଙ୍କ ଦକ୍ଷତାକୁ ମାପିଲେ କେହି କାହାରିଠାରୁ କମ୍‌ ନୁହଁନ୍ତି। ମ୍ୟାଚକୁ ନେଇ ପୂର୍ବାନୁମାନ କରିବ​‌ା ଅସମ୍ଭବ ହୋଇପଡିଛି।

Comments are closed.