ୟୁପି ସରକାରଙ୍କ ଉପରେ ଖପ୍ପା ସୁପ୍ରିମକୋର୍ଟ: ହତ୍ୟାକାରୀକୁ ଏପର୍ଯ୍ୟନ୍ତ କାହିଁକି ଗିରଫ କରାଯାଇ ନାହିଁ

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ସୁପ୍ରିମକୋର୍ଟ ଶୁକ୍ରବାର ଉତ୍ତରପ୍ରଦେଶ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଆଜି ଶୁଣାଣି ଚାଲିଥିବା ସମୟରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ତଥା ଅସହଯୋଗକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଧାନ ବିଚାରପତିଙ୍କ କଠୋର ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥିଲା। ଅଦାଲତ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୟୁପି ସରକାର ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନରେ ସେ ସନ୍ତୁଷ୍ଟ ନୁହନ୍ତି। କେଉଁ ଆଧାରରେ ହତ୍ୟାକାରୀକୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ସେ କଡ଼ା ପ୍ରଶ୍ନ କରିଛନ୍ତି। ଏବେ ଏହି ମାମଲାରେ ଅଦାଲତ ଦଶହରା ଛୁଟି ପରେ ୨୦ ଅକ୍ଟୋବରରେ ଶୁଣାଣି କରିବେ।

ବରିଷ୍ଠ ଓକିଲ ହରିଶ ସାଲଭେ ୟୁପି ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିଲେ। ସେ ମୃତ କୃଷକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କହିଛନ୍ତି ଯେ ଗୁଳି ବାଜିବା କାରଣରୁ ମୃତ୍ୟୁ ହୋଇନାହିଁ। ଏହା ଉପରେ ପ୍ରଧାନ ବିଚାରପତି କହିଛନ୍ତି ଯେ, ମୃତ୍ୟୁ ଗୁଳି ବାଜିବା କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ କିନ୍ତୁ ମାମଲା ତ ହତ୍ୟାକାଣ୍ଡ ହିଁ ନା ?

ସୁପ୍ରିମକୋର୍ଟଙ୍କୁ ହରିଶ ସାଲଭେ କହିଛନ୍ତି ଯେ, ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଏକ ନୋଟିସ ପଠାଯାଇଛି, ସେ ଆଜି ଆସିବାର ଥିଲା। କିନ୍ତୁ ସେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ଆମେ ତାଙ୍କୁ ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳ ୧୧ଟା ପର୍ଯ୍ୟନ୍ତ ସମୟ ଦେଇଛୁ। ଦାୟିତ୍ବବାନ୍‌ ସରକାର ଓ ପ୍ରଶାସନ ଏତେ ଗୁରୁତର ଅଭିଯୋଗ ଉପରେ ଏଭଳି ଭିନ୍ନ ବ୍ୟବହାର କାହିଁକି କରୁଛନ୍ତି ବୋଲି ପ୍ରଧାନ ବିଚାରପତି ପ୍ରଶ୍ନ କରିଛନ୍ତି। ଅଦାଲତ କହିଛନ୍ତି ଯେ, ୩୦୨ର ମାମଲା ହୋଇଥିବା ସତ୍ତ୍ବେ ବାକି ମାମଲାଗୁଡ଼ିକ ପରି ଗିରଫଦାରୀ କାହିଁକି କରାଯାଇ ନାହିଁ।

ଅଦାଲତ କହିଛନ୍ତି, ଘଟଣାର ପ୍ରମାଣ ଯେଭଳି ନଷ୍ଟ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ଡିଜିପିଙ୍କୁ ନିର୍ଦେଶ ଦିଆଯାଉ। କେଉଁ ଏଜେନ୍ସି ତଦନ୍ତ କରିବ ବୋଲି ମଧ୍ୟ ଅଦାଲତ ୟୁପି ସରକାରଙ୍କୁ ପଚାରିଛନ୍ତି। ଅର୍ଥାତ୍‌ ଅନ୍ୟ କୌଣସି ଏଜେନ୍ସିକୁ ତଦନ୍ତ ଭାର ଦେବାକୁ ମଧ୍ୟ ସଙ୍କେତ ଦେଇଛନ୍ତି।

ଅଦାଲତରେ ୟୁପି ସରକାର ସ୍ଥିତାବସ୍ଥା ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। ଏଥିରେ ଶବ ବ୍ୟବଚ୍ଛେଦ ରିପୋର୍ଟ ସମ୍ପର୍କରେ ଉଲ୍ଲେଖ ରହିଛି। ଏହା ମଧ୍ୟ କୁହାଯାଇଛି ଯେ, ଘଟଣାସ୍ଥଳରୁ ଦୁଇଟି ଗୁଳି ଖୋଳପା ମିଳିଛି। ଏହାବ୍ୟତୀତ ଏସଆଇଟି ଗଠନ ବିଷୟରେ କହିଥିଲେ। ଏଥିରେ ମଧ୍ୟ ଅଦାଲତ ଖପ୍ପା ହୋଇ କହିଛନ୍ତି ଯେ, ଏସଆଇଟିରେ କେବଳ ସ୍ଥାନୀୟ ପୁଲିସ ଅଧିକାରୀମାନଙ୍କୁ ରଖାଯାଇଛି।

 

 

Comments are closed.