ବେଲପାହାଡ଼ରେ ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ଉଦ୍‌ଯାପିତ

ଦର୍ଶକଙ୍କ ମନମୋହିଲା ଶିଶୁ ନାଟକ ରୀନାର ସ୍ୱପ୍ନ ଓ ଲେଙ୍ଗ୍‌ଡ଼ା ରଜା

ଲଖନପୁର : ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ତଥା ଝାରସୁଗୁଡ଼ା ଜିଲା ସଂସ୍କୃତି ପରିଷଦ ଓ ବେଲପାହାଡ଼ ମିରର ଥିଏଟରର ମିଳିତ ସହଯୋଗରେ ବେଲପାହାଡ଼ସ୍ଥିତ ଜୁବୁଲିହଲଠାରେ ଚାଲିଥିବା ରାଜ୍ୟସ୍ତରୀୟ ଶିଶୁ ନାଟକ ମହୋତ୍ସବ ମଙ୍ଗଳବାର ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥିଙ୍କ ଗହଣରେ ପ୍ରାରମ୍ଭରୁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା ସହିତ ମଂଚରେ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ଏହା ପରେ ପ୍ରଥମ ନାଟକ ବରଗଡ଼ (ଲୁ) ପଦମପୁରର କେଶରଞ୍ଜନ ପ୍ରଧାନଙ୍କ ରଚନା ଓ ନିର୍ଦ୍ଦେଶନାରେ ‘ଲେଙ୍ଗ୍‌ଡ଼ା ରଜା’ ଓ ଦ୍ୱିତୀୟ ନାଟକ ବାଲେଶ୍ୱର କଳାକାରର ରାଧାରଞ୍ଜନ ଦାଶଙ୍କ ନିର୍ଦ୍ଦେଶନା ଓ ଇଂ ଚିନ୍ନୟ ରକ୍ଷିତ୍‌ଙ୍କ ରଚନାରେ ‘ରୀନାର ସ୍ୱପ୍ନ’ ପରିବେଷିତ ହୋଇଥିଲା ।
ଏହି ଦୁଇଟି ନାଟକ ଦର୍ଶକଙ୍କ ବେଶ ମନମୋହିଥିବା ବେଳେ ଏହାକୁ ଭରପୂର ଉପଭୋଗ ମଧ୍ୟ କରିଥିଲେ । ପ୍ରଦର୍ଶିତ ‘ଲେଙ୍ଗ୍‌ଡ଼ା ରଜା’ ନାଟକର କାହାଣୀର ସାରାଂଶରେ କ୍ଷମତାଶୀଳ ଅଧିକାରୀ ପାଖରେ ସାଧୁତା ଓ ସଂବେଦନଶୀଳତାର ଅଭାବ ପ୍ରଶାସନିକ ବିଡ଼ମ୍ବନା ଏବଂ ସାମାଜିକ ବିପର୍ୟ୍ୟୟ ସୃଷ୍ଟି କରେ । ତେବେ ଜ୍ଞାନୀ ଗୁଣୀ ଶାସକ କିଭଳି ତାର ମୁକାବିଲା କରି ପାରିଛି ତାର ଅବତାରଣା କରା ହୋଇଛି ଏ ହାସ୍ୟରସାତ୍ମକ ନାଟକରେ । କୌଣସି ଏକ ରାଜ୍ୟରେ ନୂଆଁ ରାଜା ଆସିଛି ଏବଂ ତାଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ପାରିଷଦବର୍ଗ ବ୍ୟସ୍ତ ହୋଇପଡ଼ନ୍ତି । ସେମାନେ ରଜାଙ୍କ ବେଶ ପୋଷାକ, ଅଙ୍ଗରଙ୍ଗୀ ତଥା କଥାବାର୍ତାର ଅନୁକରଣ କରନ୍ତି । ଏମିତିକି ରାଜା ଛୋଟେଇ ଛୋଟେଇ ଚାଲୁଥିବାରୁ ସେମାନେ ଛୋଟେଇବା ଆରମ୍ଭ କରନ୍ତି । ରାଜାଙ୍କ ସାମନାରେ ରାଜ୍ୟର ବିଭିନ୍ନ ସମସ୍ୟା ସବୁ ପେଶ୍ କରାଯାଏ । ରାଜାଙ୍କ ମୀମାଂସାରୁ ଜଣା ପଡ଼େ ରଜା ନ୍ୟାୟବାନ ତଥା ଧୀସଂପନ୍ତି । ପରିଶେଷରେ କଣା ପଡ଼େ ଯେ ଚତୁର ରାଜା ଦରବାରରୁ ତୋଷାମଦକାରୀମାନଙ୍କୁ ଚିହ୍ନି ବିତାଡ଼ିତ କରିବା ପାଇଁ ଛୋଟେଇବାର ଅଭିନୟ କରିଥିଲେ । ଏକ ଇଂରାଜୀ ନାଟକ ଦ୍ୱାରା ଅନୁପ୍ରେରିତ ଏ ନାଟକ ଲୋକକାହାଣୀ ମାନଙ୍କର ଅବଲମ୍ବନରେ ପ୍ରସ୍ତୁତ କରାଯାଇଛି ।
ଯାହାକୁ ଶିଶୁ କଳାକାରମାନେ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ବିଭିନ୍ନ ଭୂମିକାରେ କଳାକାରଙ୍କ ମଧ୍ୟରୁ ମହିମା କଠାର, ରଶ୍ମୀ ସାହୁ, ଟିକେଶ୍ୱରୀ ସୁନା, ସୁଧର୍ମା ସୁନା, ବିକାଶ ଡନସନା, ଶୁଭାଶୁ ସରାଫ, ରାହୁଲ ନାୟକ, ମାନସ ରଣା, ସୁଧୀର ସୁନା, ସାଗରିକା ଯୋଶୀ, ଲକ୍ଷ୍ମୀ ସାହୁ, ଆଭା ସାହୁ ପ୍ରମୁଖ ଅଭିନୟ କରିଥିବା ବେଳେ ପ୍ରଚ୍ଛଦ ପଟରେ ଜଗନ୍ନାଥ ସେଠ, ରମେଶ ଗୁର୍ଲା, ପ୍ରଜାପତି ଦୀପ, ଗଜାନନ ନାଗ, ବୈଶାଖୀ ସୁନା, ବୀଣା ସାହୁ, ପ୍ରିୟା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ସେହିପରି ପ୍ରଦର୍ଶିତ ‘ରୀନାର ସ୍ୱପ୍ନ’ ନାଟକର କାହାଣୀର ସାରାଂଶରେ ଆମର ଏ ପୂଣ୍ୟଭୂମି ଉତ୍କଳ ଜନନୀ କାହିଁ କେତେ ତ୍ୟାଗୀ, ବୀରପୁତ୍ରଙ୍କୁ ଜନ୍ମ ଦେଇଛି-ବୀର ବାଳକଙ୍କୁ ଜନ୍ମ ଦେଇଛି । ବାଜି ରାଉତ ଓ ଧର୍ମପଦକୁ ଏଇ ମାଟିତ ଜନ୍ମ ଦେଇଛି ଓ ହରେଇଛି ମଧ୍ୟ । ଭବିଷ୍ୟତ ବଂଶଧରଙ୍କ ପାଇଁ ସେଇମାନେ ହିଁ ଉଦାହରଣ ଓ ପ୍ରେରଣାର ଉତ୍ସ । ଆମେ କ’ଣ ସେମାନଙ୍କର ତ୍ୟାଗ ଓ ବଳିଦାନକୁ ଭୁଲିଯାଇ ପାରିବା ? ଆଗାମୀ ପୀଢ଼ି ତାଙ୍କ ପରିତ୍ୟାଗର ପରାକାଷ୍ଠା ପ୍ରଦର୍ଶନ କରିବା ପାଇଁ ସ୍ୱପ୍ନ ଦେଖି ପାରିବନି? ଏଭଳି ଏକ ପ୍ରଶ୍ନର ଉତର ଖୋଜିବା ନାଟକ ‘ରୀନାର ସ୍ୱପ୍ନ’ କାହାଣୀ ଭିତରେ । ଯାହାକୁ ଶିଶୁ କଳାକାରମାନେ କଳାକାରମାନେ ଅତି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ବିଭିନ୍ନ ଭୂମିକାରେ ଶିଶୁ କଳାକାରଙ୍କ ମଧ୍ୟରୁ ଦେବସ୍ମିତା ମହାରଣା, ହିତେଶ ନନ୍ଦୀ, ଚନ୍ଦ୍ରାୟ ମାଝୀ, ଜୟଦେବ ମହାନ୍ତି, ଗିରିଜା ଶଙ୍କର ପ୍ରଧାନ, ଭବାନୀ ଶଙ୍କର ମହାଳିକ, ଶୁଭ୍ରଂଶୁ ରଥ, ଅବିନାଥ ଦଳେଇ, ରାଜଲକ୍ଷ୍ମୀ ବିଶ୍ୱାଳ ପ୍ରମୁଖ ଅଭିନୟ କରିଥିବା ବେଳେ ପ୍ରଚ୍ଛଦ ପଟରେ ଶ୍ରୀତମ୍‌ କୁମାର ସିଂହ, ସନ୍ତୋଷ କାମିଳା, କମଳ କିଶୋର ଗିରି, ଅମରନାଥ ଗୋଛାୟତ, ସୌମ୍ୟରଞ୍ଜନ ପ୍ରଧାନ ସହଯୋଗ କରିଥିଲେ । ଉଦ୍‌ଯାପନୀ ଅବସରରେ ଝାରସୁଗୁଡ଼ା ଆରକ୍ଷୀ ଅଧିକ୍ଷକ ବିକାଶ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୌର ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ଟିଆରଏଲ କ୍ରୋସାକି କମ୍ପାନୀର ବରିଷ୍ଠ ଅଧିକାରୀ ଏସଏ ହବିବ୍‌, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ବରିଷ୍ଠ ଅଧିକାରୀ ଭାଗଗ୍ରାହୀ ସାହୁ ପ୍ରମୁଖ ସମ୍ମାନିତ ଅତିଥିଙ୍କ ସହିତ ଆୟୋଜକ ବେଲପାହାଡ଼ ମିରର ଥିଏଟରର ନିର୍ଦ୍ଦେଶକ ସୁବାସ ପ୍ରଧାନ ପ୍ରମୁଖ ମଂଚରେ ସାମିଲ ରହିଥିଲେ । ବେଲପାହାଡ଼ ସହର ମାଟି ଏକ ଲୋକ କଳା, ନାଟ୍ୟ କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ସମ୍ପର୍ଣ୍ଣ ସହର ହୋଇଥିବା ବେଳେ ଏହି ଅଂଚଳର କଳାକାରମାନେ ଦେଶ ବିଦେଶରେ ଅନେକ
ଖାତି ଅର୍ଜନ କରିଆସୁଛନ୍ତି । ଫଳରେ ସେମାନଙ୍କ ପାଇଁ ଅଂଚଳବାସୀ ଅତି ଗର୍ବିତ ।
କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ସହିତ କଳାକାରଙ୍କ ବିକାଶ କ୍ଷେତ୍ରରେ ବର୍ତମାନ ଅନେକ ସୁଯୋଗ ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତି କରିଥିଲେ । କାର୍ୟ୍ୟକ୍ରମକୁ ସନ୍ତୋଷ ସାହୁ ଓ ଶୁଭଙ୍କିତା ରଥ ମଂଚ ପରିଚାଳାନା କରିଥିବା ବେଳେ ଶେଷରେ ଡା. ଶ୍ୟାମ ସୁନ୍ଦର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅତିଥିଙ୍କ ଗହଣରେ ମଂଚରେ ଲେଖିକା ଶିବପ୍ରିୟ ମିଶ୍ରଙ୍କ ରଚିତ ‘ପଶ୍ଚିମ ଓଡ଼ିଶାର ଜନ ଜୀବନ ଓ ଲୋକ ସଂସ୍କୃତି’ ପୁସ୍ତକକୁ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସମସ୍ତ ଦର୍ଶକଙ୍କୁ କୋଭିଡ କଟକଣାର ନିୟମ ମୁତାବକ ସାମାଜିକ ଦୂରତା ପାଳନ କରିବା, ମୁହଁରେ ମାକ୍ସ ବ୍ୟବହାର କରିବା, ହାତ ବିଶୋଧନ ପ୍ରକ୍ରିୟା ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ଆୟୋଜନରେ ମିରର ଥିଏଟର ନାଟ୍ୟ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ ସଦସ୍ୟାଗଣ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Comments are closed.