ପୁଣି ଛୁଟିଲା ଦାଦନଙ୍କ ସୁଅ, ପଡୋଶୀ ରାଜ୍ୟ ତାମିଲନାଡୁ ଗଲେ ୫୮ ଜଣ ଯୁବତୀ

ଲୁଚା ଚୋରାରେ ଦାଦନ ଚାଲାଣ ବେଳେ ଶ୍ରମ ବିଭାଗ ହାତରେ ଧରାପଡ଼ିଲେ ଦଲାଲ

ନବରଙ୍ଗପୁର: ନବରଙ୍ଗପୁର ଜିଲାରୁ ପୁଣି ଛୁଟିଲା ଦାଦନଙ୍କ ସୁଅ। ଆଜି ପୁଣି ଲୁଚା ଚୋରାରେ ଦଲାଲଙ୍କ ସହାୟତାରେ ୨ଟି ବସ ଯୋଗେ ୫୮ ଜଣ ଯୁବତୀଙ୍କୁ ବାହାର ରାଜ୍ୟ ତାମିଲନାଡୁକୁ ଯିବାବେଳେ ଶ୍ରମବିଭାଗ ହାତରେ ଧରାପଡ଼ିଲେ ଦଲାଲ ।

କୋରନା ମହାମାରୀ ଯୋଗୁଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନେ କରୋନା ଭୟରେ ବର୍ତମାନ ପର୍ୟ୍ୟନ୍ତ ନିଜ ନିଜ ଘରକୁ ପ୍ରଶାସନ ସହାୟତାରେ ଫେରୁଥିବା ବେଳେ ବାହାର ରାଜ୍ୟ କମ୍ପାନୀମାନେ ଦଲାଲ ସହାୟତାରେ ଏହି ମହାମାରୀ ସମୟରେ ଗ୍ରାମାଞ୍ଚଳରେ ରହୁଥିବା ଯୁବତୀମାନଙ୍କୁ ଅଧିକା ଅର୍ଥ ଦେବା ଲାଳସା ଦେଖାଇ ଲୁଚା ଚୋରାରେ ଦାଦନ ଖଟାଇବାକୁ ନେଇଯାଉଥିବା ଶୁଣିବାକୁ ମିଳୁଛି । ଆଜି ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ସୀମାନ୍ତ ଇନ୍ଦ୍ରାବତୀ ବ୍ରିଜ ଆରପଟ ରାସ୍ତାରେ । ଆଜି ଅପରାହ୍ନ ସମୟରେ ତାମିଲନାଡୁ ନମ୍ବର ଥିବା ଗୋଟିଏ ବସ ଏବଂ କେରଳ ରାଜ୍ୟର ନମ୍ବର ଥିବା ଗୋଟିଏ ବସ, ଏହି ଦୁଇଗୋଟି ବସ ନବରଙ୍ଗପୁର ଜିଲ୍ଲା ଏବଂ କୋରାପୁଟ ଜିଲ୍ଲା ବଡ଼ରରେ ରଖି ଦଲାଲ ସହାୟତାରେ ବିଭିନ୍ନ ଅଟୋ ସାହାଯ୍ୟରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୁବତୀମାନଙ୍କୁ ଡାକି ଆଣି ବସରେ ସମସ୍ତଙ୍କୁ ବସାଇ ଅନ୍ୟଙ୍କୁ ଅପେକ୍ଷା କରିଥିବା ବେଳେ, କୌଣସି ମତେ ଖବର ପାଇ ନବରଙ୍ଗପୁର ଜିଲ୍ଲା ଶ୍ରମ ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଦଲାଲ ଏବଂ ଗାଡି ମାଲିକଙ୍କୁ ଡାକି ଲେବର ନେବା ସମ୍ବନ୍ଧୀୟ କାଗଜ ପତ୍ର ମାଗିଥିଲେ ।

ସେମାନଙ୍କ ପାଖରେ କୌଣସି କାଗଜ ପତ୍ର ନଥିବା ଯୋଗୁଁ କାମ କରିବାକୁ ଯାଉଥିବା ୫୮ ଜଣ ଯୁବତୀଙ୍କୁ ପଚରାଉଚରା କରି ସମସ୍ତ ଯୁବତୀଙ୍କ ଆଧାର କାର୍ଡ ସବୁ ମାଗିବା ସହ କମ୍ପାନୀ ତରଫରୁ ଆସିଥିବା ଦଲାଲଙ୍କ ପରିଚୟ ପତ୍ର ଏବଂ ଲେବର ନେବା ପାଇ ଲାଇସେନ୍ସ ନଥିବା ବେଳେ ଲାଇସେନ୍ସ ପ୍ରଦାନ କରିବା ସହ ଯୁବତୀ ମାନଙ୍କୁ କେଉଁ କମ୍ପାନୀକୁ ଏବଂ କଣ କାର୍ୟ୍ୟ କରିବେ ଇତ୍ୟାଦିର ଏକ ଏଗ୍ରିମେଣ୍ଟ କରି ସେମାନଙ୍କ ସମସ୍ତ ତଥ୍ୟ ଆଦାୟ କରିବା ପରେ ବସଟିକୁ ଛାଡିଥିଲେ। ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୋଇପାଇଙ୍କ କହିବା ଅନୁଯାଇ ବର୍ତମାନ କରୋନା ଯୋଗୁଁ ବାହାର ରାଜ୍ୟକୁ ଯାଇଥିବା ଦାଦନଙ୍କୁ ପ୍ରଶାସନ ସହାୟତାରେ ଜିଲ୍ଲାକୁ ଆଣି ସେମାନଙ୍କ ଦେଖାରଖା କରାଯାଉଛି । ବର୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକମାନଙ୍କ ମଧ୍ୟରୁ ୧୫୯୫ ଜଣ ଶ୍ରମିକ ସରକାରୀ ଭାବେ ଘରକୁ ଫେରିଛନ୍ତି । କିନ୍ତୁ ଏପଟେ ବାହାର ରାଜ୍ୟର ଦଲାଲମାନେ ଗ୍ରାମାଞ୍ଚଳର ନିରୀହ ଗରିବ ଶ୍ରେଣୀର ଲୋକଙ୍କୁ କାମ ଯୋଗାଇଦେବା କହି ଲୁଚା ଚୋରାରେ ସେମାନଙ୍କୁ ନେଇ ଯାଉଛନ୍ତି, ନବରଙ୍ଗପୁର ସୀମାରେ ପୋଲିସର କଡା ଯାଞ୍ଚ ଚାଲିଥିବା ଯୋଗୁଁ ବସ ଗୁଡିକ ନବରଙ୍ଗପୁର ସୀମାନ୍ତ କୋରାପୁଟ ଜିଲ୍ଲାରେ ରଖି ବିଭିନ୍ନ ଅଟୋ ସାହାଯ୍ୟ ରେ ଲୋକଙ୍କୁ ଆଣୁଛନ୍ତି । ଆଜି ନବରଙ୍ଗପୁର ଜିଲାରୁ ୫୮ ଜଣ ଯୁବତୀ ତାମିଲନାଡୁ ରାଜ୍ୟର ଶ୍ରୀପୁରର ଏକ ସୂତାକଳରେ କାମ କରିବାକୁ ଯାଉଥିବା ବେଳେ ଅନ୍ୟ ଏକ ବସ ରେ ବୌଦ୍ଧ ଜିଲାରୁ ୨୫ଜଣ ଯୁବକ ଯାଉଥିବା ଜଣାପଡିଛି । ଶ୍ରମ ବିଭାଗ ତରଫରୁ କମ୍ପାନୀର ସମସ୍ତ ତଥ୍ୟ ଆଦାୟ ସହ ଏଗ୍ରିମେଣ୍ଟ କରି ସେମାନଙ୍କୁ ଛାଡି ଦେଇଥିବା କହିଛନ୍ତି ଶ୍ରମ ଅଧିକାରୀ ଶ୍ରୀ ଗୋଇପାଇ ।

Comments are closed.