ଉତ୍ତମ ମାନର ଶିକ୍ଷାର ବିକାଶ ପାଇଁ ଶ୍ରମମନ୍ତ୍ରୀଙ୍କ ଆହ୍ୱାନ

କୁନ୍ତରା ମହାବିଦ୍ୟାଳୟରେ ଏକାଡେମିକ କୋଠା ପାଇଁ ଭୂମିପୂଜା

କୁଚିଣ୍ଡା : କୁନ୍ତରା ଗୋକୂଳ ପାର୍ବତୀ ମହାବିଦ୍ୟାଳୟର ବ୍ୟୟବହୁଳ ଏକାଡେମିକ କୋଠା ନିର୍ମାଣ ସକାଶେ ମାନ୍ୟବର ଶ୍ରମ ଓ ଗ୍ରାମଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଭୂମି ପୂଜନ ଉତ୍ସବ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସମାବେଶରେ ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା ବିକାଶର ମାପଦଣ୍ଡ ହେବ ବୋଲି ଗୁରୁତ୍ୱାରୋପ କରିଥିଲେ ।

କୁଚିଣ୍ଡା ଉପଖଣ୍ଡର ଦ୍ୱିତୀୟ ବଡ ମହାବିଦ୍ୟାଳୟ ଭାବେ କୁନ୍ତରା ଗୋକୂଳ ପାର୍ବତୀ ମହାବିଦ୍ୟାଳୟ ପରିଚିତ। ଉକ୍ତ ବିଦ୍ୟାଳୟର ସାମଗ୍ରିକ ବିକାଶ ସକାଶେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ୨କୋଟି ୨୯ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏକାଡେମିକ କୋଠା ନିର୍ମାଣ ସକାଶେ ଅନୁଦାନ ମିଳିଛି। ଏହାର ନିର୍ମାଣ ସକାଶେ ଆଜି ମାନ୍ୟବର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କୁନ୍ତରା ଗସ୍ତ କରି ଆନୁଷ୍ଠାନିକ ଭାବେ ଭୂମି ପୂଜନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ଶ୍ରୀ ସିଂ ଉଦବୋଧନ ଦେଇ ଉତ୍ତମ ଶିକ୍ଷା ଉତ୍ତମ ବିଦ୍ୟାର୍ଥୀ ତିଆରି କରି ପାରିବ। ତେଣୁ ଶିକ୍ଷକ, ଶିକ୍ଷୟିତ୍ରୀ ଭଲ ହେଲେ ଛାତ୍ରଛାତ୍ରୀମାନେ ଉତ୍ତମ ଓ ଦକ୍ଷପୂର୍ଣ୍ଣ ହେବେ ଏବଂ ଶିକ୍ଷାର ମହତ୍ୱ ସଫଳ ହେବ ବୋଲି ଗରୁତ୍ୱାରୋପ କରିଥିଲେ। ଏଥିରେ କୁଚିଣ୍ଡା ବିଧାୟକ କିଶୋର ନାଏକ ତାଙ୍କ ବିଧାୟକ ପାଣ୍ଠିର ସହାୟତାରେ ଛାତ୍ରୀ କମନ ରୁମ ପ୍ରତିଷ୍ଠା ପାଇଁ ପ୍ରକାଶ କରିବା ସହ ଭୂମି ପୂଜନ ମଧ୍ୟ କରିଥିଲେ। ଉତ୍ସବରେ କଲେକ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ମେହେର ଅଧ୍ୟକ୍ଷତା କରିଥିଲେ। ସଂପ୍ରତି କରୋନା କଟକଣା ଯୋଗୁଁ ସାମାଜିକ ଦୂରତା ରଖି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉତ୍ସବରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Comments are closed.