କୁନ୍ଦ୍ରା ମାମଲାରେ ଶିଳ୍ପାଙ୍କ ଭାଇ ସମ୍ପୃକ୍ତ

ମୁମ୍ବଇ: ରାଜ୍‌ କୁନ୍ଦ୍ରାଙ୍କ ଦ୍ବାରା ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ ବ୍ୟବସାୟ ମାମଲାରେ ଏବେ ସୁଦ୍ଧା ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତି ସନ୍ଦେହମୁକ୍ତ ହୋଇ ନ ଥିଲେ ମଧ୍ୟ ଶିଳ୍ପାଙ୍କ ଭାଇ ମାମଲାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ଲଣ୍ଡନସ୍ଥିତ କୁନ୍ଦ୍ରାଙ୍କ କମ୍ପାନୀ କେନ୍‌ରିନ୍‌ ଲିମିଟେଡ ସହିତ ଶିଳ୍ପାଙ୍କ ଭାଇ ଅର୍ଥ କାରବାର କରୁଥିବା ପୁଲିସ ସୂଚନା ପାଇଛି। ୨୦୦୫ରେ ଶିଳ୍ପାଙ୍କ ଭାଇ ପ୍ରତିଷ୍ଠା କରିଥିବା ଈଶୁ ଗମ୍ଭୀର ଏଣ୍ଟରଟେନ୍‌ମେଣ୍ଟ ନାମକ ସଂସ୍ଥା ମାଧ୍ୟମରେ ଏହି ଅର୍ଥ କାରବାର ଚାଲିଥିଲା। ତା’ଛଡ଼ା ତାଙ୍କ ମାଲିକାନାରେ ହିଁ କେନ୍‌ରିନ୍‌ ପରିଚାଳିତ ହେଉଥିବା ପୁଲିସ କହିଛି। ମୁମ୍ବଇର ମାଲୱାନୀ ଥାନାରେ ଏ ନେଇ ହୋଇଥିବା ଅଭିଯୋଗକୁ ଏବେ ବିଧିବଦ୍ଧ ଭାବେ ତଦନ୍ତକାରୀ କ୍ରାଇମ ବ୍ରାଞ୍ଚ ପୁଲିସକୁ ହସ୍ତାନ୍ତର କରାଯାଇଛି।

ଏଥିରେ କୁନ୍ଦ୍ରାଙ୍କ କମ୍ପାନୀର ତିନି ପ୍ରଯୋଜକ ଓ ମଡେଲ ଗେହନା ବଶିଷ୍ଠ ଅଭିଯୁକ୍ତ ଅଛନ୍ତି। ଅଭିନେତ୍ରୀ ସେର୍ଲିନ ଚୋପ୍ରା ଏ ନେଇ ଅଭିଯୋଗ କରିଥିଲେ। କୁନ୍ଦ୍ରା ତାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ରରେ ଅଭିନୟ ପାଇଁ ବାଧ୍ୟ କରିଥିବା ଚୋପ୍ରା ଅଭିଯୋଗରେ ଦର୍ଶାଇଥିଲେ। ଏହାକୁ ଦ୍ବିତୀୟ ମାମଲା ଭାବେ କ୍ରାଇମ ବ୍ରାଞ୍ଚ ଗ୍ରହଣ କରିଛି। ପୁଲିସ ସୂଚନାନୁଯାୟୀ, ଈଶୁ ଗମ୍ଭୀର ଏଣ୍ଟରଟେନ୍‌ମେଣ୍ଟ ପ୍ରଯୋଜନାରେ କୁନ୍ଦ୍ରାଙ୍କ ଦ୍ବାରା ‘ଫ୍ରଡ ଇସ୍କ’ ଶୀର୍ଷକରେ ଏକ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା। ଏହି ଚଳଚ୍ଚିତ୍ର ଅଶ୍ଳୀଳ ଥିଲା ଓ ସର୍ବନିମ୍ନ ୩ଲକ୍ଷ ଟଙ୍କାରେ ଏହା ବିକ୍ରି ହୋଇଥିଲା। ସେର୍ଲିନଙ୍କ ଆଗୁଆ ଜାମିନ ଆବେଦନ ଗୁରୁବାର ଖାରଜ ହୋଇଯାଇଛି। ତାଙ୍କୁ ପୁଲିସ ଡକରାକ୍ରମେ ହାଜର ହେବାକୁ ପଡ଼ିବ। ବୟାନ ଲିପିବଦ୍ଧ ପାଇଁ ଆସନ୍ତା ସପ୍ତାହରେ ପୁଲିସ ସେର୍ଲିନଙ୍କୁ ଡାକିବ। ସାମାଜିକ ଗଣମାଧ୍ୟମରେ ସମାଲୋଚନା ନେଇ ଶିଳ୍ପା ଗୁରୁବାର ମାନହାନି ମୋକଦ୍ଦମା କରିଛନ୍ତି।

Comments are closed.