କୁମାରୋତ୍ସବରେ ୩ଜଣ ପ୍ରତିଭାଧର ସମ୍ବର୍ଦ୍ଧିତ

ଆଠଗଡ : ଆଠଗଡ କୁମାରୋତ୍ସବ ସମିତି, ଆଠଗଡ ସାହିତ୍ୟ ସମାଜ, ଗଡଜାତ ପରିକ୍ରମା ଓ ଇନରହ୍ୱିଲ କ୍ଲବର ମିଳିତ ଆନୁକୁଲ୍ୟରେ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଚାନ୍ଦବାଲିଛକ ହନୁମାନ ମନ୍ଦିର ପ୍ରାଙ୍ଗଣରେ କୁମାରୋତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ କୁଆଁରୀ କନ୍ୟାମାନେ ଚଉରା ପୂଜା କରି ସେଠାରେ ‘କୁଆଁର ପୁନେଇଁ ଜହ୍ନ ଲୋ, ଫୁଲ ବଉଳ ବେଣୀ’ ଗୀତ ବୋଲି ଥିଲେ। ଏହି ଅବସରରେ କୁମାରୋତ୍ସବ ସମିତି ସଭାପତି ପୁଲିନ ମିଶ୍ରଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଓଡିଶୀ ନୃତ୍ୟାଙ୍ଗନା ତଥା ଇନରହ୍ୱିଲ କ୍ଲବର ପ୍ରାକ୍ତନ ଜିଲ୍ଲା ଅଧ୍ୟକ୍ଷା ଇନା ପୁରୋହିତ ଯୋଗଦେଇ ଆଠଗଡ ଏକ କଳା ଓ ସଂସ୍କୃତି ସଂପନ୍ନ ଅଞ୍ଚଳ ଏବଂ ଏଠାରେ କଳା, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ପ୍ରୟାସ ବେଶ ପ୍ରଶଂସନୀୟ ବୋଲି ପ୍ରକାଶ କରିଥିଲେ। ଏଥି ସହିତ ସେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଫେସର ପ୍ରଣତି ପଣ୍ଡା ଯୋଗଦେଇ କୁମାର ପୂର୍ଣ୍ଣିମାର ଆଧ୍ୟାତ୍ମିକ ପୃଷ୍ଟଭୂମି, ପାଳନର ଉଦ୍ଦେଶ୍ୟ ଓ ବିଧି ସଂପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଇନରହ୍ୱିଲ କ୍ଲବର ସଭାପତି ନିରଜ ନଳିନୀ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁମାରୋତ୍ସବ ସମିତିର ସଂପାଦିକା କଳ୍ପଲତା ଦାଶ ବିବରଣୀ ପାଠ କରିଥିଲେ।

 

ଏହି ଅବସରରେ ସାରସ୍ୱତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରେଫସର ଡଃ ବନଲତା ମହାପାତ୍ର, କଳା ଓ ଭାଷ୍କର୍ଯ୍ୟ ପାଇଁ ବାଲୁକା ଶିଳ୍ପୀ ଓମ୍‍ ପ୍ରକାଶ ବାରିକ ଏବଂ ସେବା ପାଇଁ ଜିମସାରର ସେବିକା ସୁଚିତ୍ରା ମହାନ୍ତିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ଦେଇ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ସଭା ପୂର୍ବରୁ ଗୁରୁଦତ୍ତ ନାୟକଙ୍କ ନିର୍ଦ୍ଦେଶନାରେ ରାଧାନାଥ ଦାସଙ୍କ ରଚିତ ଫୁଲ ବଉଳ ବେଣୀ ସ୍ୱାଗତ ସଙ୍ଗୀତ ସ୍ଥାନୀୟ କଳାକାରମାନେ ଗାନ କରିଥିଲେ। ଇନରହ୍ଲିଲ କ୍ଲବର ସଂପାଦିକା ରାଜେଶ୍ୱରୀ ଗୋସ୍ୱାମୀ, ବରିଷ୍ଠ ସଦସ୍ୟ ମଞ୍ଜୁଳା ଦାସ, ବୀଣାପାଣି ଦାସ, ଦୀପାଳୀ ଦାଶ, ଅଞ୍ଜନା ମିଶ୍ର, ଜସ୍ମିନ ପଟ୍ଟନାୟକ ଓ ଗାୟତ୍ରୀ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କ୍ଲବର ସିସିସି ମଞ୍ଜୁଲତା ମହାଳିକ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ସରଗମ୍‍ ନୃତ୍ୟାନୁଷ୍ଠାନର କଳାକାର ଓ ଅନ୍ୟ ସ୍ଥାନୀୟ କଳାକାର ଉଚ୍ଚ କୋଟୀର ନୃତ୍ୟ, ସଂଗୀତ ପରିବେଷଣ କରିଥିଲେ।

Comments are closed.