କୁମାର ପୂର୍ଣ୍ଣିମା ପାଳିଲେ କୁମାରୀ କନ୍ୟା

ସାରନଗରୀ ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ କୁମାର ଉତ୍ସବ ପାଳିତ ହୋଇଥାଏ। ଏହି ଦିନଟି ମା’ଗଜଲକ୍ଷ୍ମୀଙ୍କ ଜନ୍ମଦିନ ବୋଲି ମଧ୍ୟ କୁହାଯାଇଥାଏ। କାର୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କୁମାରୀ କନ୍ୟାମାନେ କାର୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା କରିଥାନ୍ତି। ଚଳିତ ବର୍ଷ କୁମାର ପୂର୍ଣ୍ଣିମାରୁ ଦକ୍ଷିଣ ରାଉରକେଲା ମଧ୍ୟ ବାଦ ପଡ଼ିନଥିବା ଦେଖିବାକୁ ମିଳିଥିଲା। ବିଶେଷକରି କୁମାରୀ କନ୍ୟାମାନେ ଏହି ପର୍ବକୁ ଆନନ୍ଦ ସହକାରେ ପାଳନ କରିଥିଲେ। ଆଜି ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳେ ଯୁବତୀମାନେ ଏକାଠି ହୋଇ ଚନ୍ଦ୍ର ଦେବତାଙ୍କ ପାଖରେ ତାଳଗୋଟମା, ଖଟାକମଳା, କଂଚାଗୁଆ, କଷି ଜହ୍ନିଭେଣ୍ଡି, ଜହ୍ନିଫୁଲ, ଖଇ, ଆଖୁ, କଇଁଥ, କଦଳୀ, ନଡ଼ିଆ ଭୋଗ ଲଗାଇଥିଲେ। ଏହି ପୂଜା କଲେ କୁମାରୀ କନ୍ୟାମାନଙ୍କୁ ଈଶ୍ୱରଙ୍କ ଆର୍ଶିବାଦ ମିଳିଥାଏ ବୋଲି ପୁରାଣ ବର୍ଣ୍ଣିତ ବିଶ୍ୱାସ ରହିଛି।

ସାରନଗରୀର ବିଭିନ୍ନ କଲୋନୀ ଓ ବସ୍ତି ଅଂଚଳରେ କୁଆଁରି କନ୍ୟାମାନେ କୁମାର ପୁର୍ଣ୍ଣିମା ଉତ୍ସବରେ ନିଜକୁ ସାମିଲ କରିଥିଲେ। ପାହାନ୍ତାରେ ଚାନ୍ଦକୁ ଆଂଜୁଳି ଟେକିବା ସହ ସନ୍ଧ୍ୟାରେ ପୂର୍ଣ୍ଣଚନ୍ଦ୍ରକୁ ବନ୍ଦାଣ କରିଥିଲେ କୁମାରୀ କନ୍ୟା। ସେହିପରି କୁମାର ପୁର୍ଣ୍ଣିମାରେ ଧନର ଆଗମନର ପରମ୍ପରା ଥିବାରୁ ବହୁ ଯୁବକ ଜୁଆ ଖେଳରେ ମଗ୍ନ ରହୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ଦକ୍ଷିଣ ରାଉରକେଲାର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେବାକୁ ଥିବା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଥିବା ସୂଚନା ମିଳିଛି।

Comments are closed.