କୁଳଭୂଷଣଙ୍କୁ ମିଳିବ ଦଣ୍ଡାଦେଶ ବିରୋଧରେ ଆବେଦନ ଅଧିକାର

ଇସଲାମାବାଦ: ପାକିସ୍ତାନ କାରାଗାରରେ ଥିବା ପୂର୍ବତନ ଭାରତୀୟ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ଶେଷରେ ଫାଶୀ ଦଣ୍ଡାଦେଶ ବିରୋଧରେ ଆବେଦନ କରିବାର ଅଧିକାର ମିଳିଛି। ଆନ୍ତର୍ଜାତିକ ଅଦାଲତ (ଆଇସିଜେ) ରାୟକୁ କାର୍ଯ୍ୟକାରୀ କରିବା ପାଇଁ ପାକିସ୍ତାନ ସରକାର ବାଧ୍ୟବାଧକତାରେ ଆଇନ ଆଣିଛନ୍ତି। ବୁଧବାର ପାକିସ୍ତାନ ସଂସଦର ମିଳିତ ଅଧିବେଶନରେ ଏ ସଂକ୍ରାନ୍ତ ବିଧେୟକ ଗୃହୀତ ହୋଇଛି। ଏହାଦ୍ବାରା ୫୧ବର୍ଷୀୟ ଯାଦବ ନିଜ ଦଣ୍ଡାଦେଶ ବିରୋଧରେ ଅଦାଲତର ଦ୍ବାରସ୍ଥ ହୋଇପାରିବେ। ୨୦୧୭ ଏପ୍ରିଲରେ ପାକିସ୍ତାନର ଏକ ସାମରିକ ଅଦାଲତ ଯାଦବଙ୍କୁ ଗୁଇନ୍ଦାଗିରି ଓ ଆତଙ୍କବାଦ ଅଭିଯୋଗରେ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

ଏହାର ପ୍ରତିବାଦରେ ଭାରତ ଆଇସିଜେର ଦ୍ବାରସ୍ଥ ହୋଇଥିଲା। ଆଇସିଜେ ୨୦୧୯ରେ ଭାରତ ସପକ୍ଷରେ ରାୟ ଶୁଣାଇବା ସହ ଫାଶୀ ଦଣ୍ଡାଦେଶ ଉପରେ ସମୀକ୍ଷା ଓ ପୁନର୍ବିଚାର କରିବା ପାଇଁ ପାକିସ୍ତାନକୁ କହିଥିଲେ ଏବଂ ଯାଦବଙ୍କୁ ସାମରିକ ଅଦାଲତ ରାୟ ବିରୋଧରେ ଅନ୍ୟ ଅଦାଲତରେ ଆବେଦନ କରିବାର ଅଧିକାର ଦେବାକୁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ପାଳନ ପାଇଁ ପାକିସ୍ତାନ ସରକାର ଟାଳଟୁଳ ନୀତି ଅବଲମ୍ବନ କରିଆସୁଥିଲେ। ଏମିତି କି ଯାଦବଙ୍କୁ କୂଟନୈତିକ ସହାୟତା ପ୍ରଦାନ ପାଇଁ ମଧ୍ୟ ଖେଳୁଥିଲେ। ଏହା ସତ୍ତ୍ବେ ୨୦୨୦ରେ ଇମ୍ରାନ ଖାଁ ସରକାର ଆଇସିଜେ ନିର୍ଦେଶ କାର୍ଯ୍ୟକାରୀ କରିବା ପାଇଁ ‘ଆଇସିଜେ ରାୟ-୨୦୨୦’ ଅଧ୍ୟାଦେଶ ଆଣିଥିଲେ ମଧ୍ୟ ବିରୋଧୀ ଦଳ ଏହାକୁ ବିରୋଧ କରିଥିଲେ। ପରେ ଭାରତ ଓ ଆଇସିଜେ ଚାପ ଆଗରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇବା ସହ ଗତ ଜୁନ୍‌ ୧୦ରେ ନ୍ୟାସନାଲ ଆସେମ୍ବ୍ଲି (ସଂସଦ)ରେ ଏ ସଂକ୍ରାନ୍ତ ବିଧେୟକ ଆଗତ କରିଥିଲେ। ଏହା ୨୦୨୦ ମେ’ରୁ କାର୍ଯ୍ୟକାରୀ ହୋଇଥିବା ଦର୍ଶାଯାଇଛି।

Comments are closed.