ଛୋଟ ଗାଁରେ ବଡ଼ ସଂକ୍ରମଣ, ପ୍ରତି ଘରୁ ୪ରୁ ୫ ଆକ୍ରାନ୍ତ

କରୋନା ବାଣ୍ଟିଦେଲେ ଛତିଶଗଡ଼ କୀର୍ତ୍ତନ ଦଳ

କୁଚିଣ୍ଡା: ସମ୍ବଲପୁର ଜିଲା କୁଚିଣ୍ଡା ସବଡିଭିଜନ ଅନ୍ତର୍ଗତ ଡିମିରିମୁଣ୍ଡା ଖୁବ ଶୀଘ୍ର ପଶ୍ଚିମ ଓଡ଼ିଶାର ଅନ୍ୟତମ କରୋନା ହଟସ୍ପଟ ପାଲଟିବାକୁ ଯାଉଛି। ମାତ୍ର ଚାରି ଦିନରେ ଏହି ଛୋଟ ଗାଁରେ ଦେଢ଼ ଶହ ଲୋକ କରୋନା ସଂକ୍ରମିତ ହେବା ଚିନ୍ତାର ବିଷୟ ​​‌ହୋଇପଡ଼ିଛି। ​‌ତେବେ ସରକାରୀ ଭାବେ ଏହି ସଂଖ୍ୟା ୪୫ ବୋଲି କୁହାଯାଉଛି। ଛତିଶଗଡ଼ର ଏକ କୀର୍ତ୍ତନ ଦଳ ଏଠାକୁ ଆସିଥିଲେ। ସେମାନଙ୍କ ଯୋଗୁଁ ଏଠାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଆଶଙ୍କା କରାଯାଉଛି। ଏହି କୀର୍ତ୍ତନ ଦଳ ଡିମିରିମୁଣ୍ଡାକୁ କୀର୍ତ୍ତନ ପରିବେଷଣ କରିବାକୁ ଆସିଥିଲେ। ଡିମିରିମୁଣ୍ଡାର ମହିଳା ସଂକୀର୍ତ୍ତନ ଦଳ ୧୫ ଦିନ ତଳେ ଛତିଶଗଡ଼ କୀର୍ତ୍ତନ କରିବାକୁ ଯାଇଥିଲେ। ସାଂସ୍କୃତିକ ବିନିମୟ ଲକ୍ଷ୍ୟରେ ଆୟୋଜିତ କାର୍ଯ୍ୟକ୍ରମ ବସ୍ତୁତଃ କରୋନା ବିନିମୟ କାର୍ଯ୍ୟକ୍ରମ ପାଲଟିଥିଲା। ଆଦିବାସୀ ଅଧ୍ୟୁଷିତ ଏହି ଗାଁର ଅନେକ ବ୍ୟକ୍ତି ୧୫ ଦିନ ତଳେ ଜ୍ୱର, କାଶରେ ପୀଡ଼ିତ ହୋଇଥିଲେ ମଧ୍ୟ କେହି ଏହାକୁ ଗୁରୁତ୍ବ ଦେଇ ନଥିଲେ। ଗତମାସ ୨୮ ଓ ୨୯ ତାରିଖ ଗାଁରେ ନାମଯଜ୍ଞ ଓ ଦୋଳଉତ୍ସବ ପାଳନ କରାଯାଇଥିଲା। ମାସ୍କ ଓ ସାମାଜିକ ଦୂରତାର ଚିହ୍ନବର୍ଣ୍ଣ ନଥିଲା। କୁଚିଣ୍ଡା ବିଧାୟକ କିଶୋର ନାଏକ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ନାମଯଜ୍ଞ ପୂର୍ଣ୍ଣାହୂତି ପଡ଼ିବାର ଦୁଇ ଦିନ ନ ଯାଉଣୁ ଏହି ଗାଁର ଅନେକ ଲୋକ ଅସୁସ୍ଥ ହୋଇପଡ଼ିଲେ। କୁଚିଣ୍ଡା ଡାକ୍ତରଖାନାରେ ପରୀକ୍ଷାରୁ ୫ ଜଣ କରୋନା ସଂକ୍ରମିତ ଥିବା ଜଣା ପଡ଼ିଥିଲା। ପର ୩ ଦିନରେ ଏହି ସଂଖ୍ୟା ୩୦ ଟପିଥିଲା। ଆଦିବାସୀ ଅଞ୍ଚଳରେ ରୋଗ ପରୀକ୍ଷାକୁ ବିଶେଷ ପ୍ରୋତ୍ସାହନ ନଥିବାରୁ ଅନେକ ପରିବାର ଡାକ୍ତର ପରାମର୍ଶ ବିନା ନିଜେ ନିଜେ ଔଷଧ କିଣି ଖାଇଥିଲେ। ଏବେ ଗାଁର ପ୍ରତି ଘରେ ୪/୫ ଜଣ କରୋନା ସଂକ୍ରମିତ​ ହେଲେଣି। ମହିଳାମାନଙ୍କ ମଧ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା ଲକ୍ଷ୍ୟ କରାଯାଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ​ହେବାରୁ ସେମାନଙ୍କୁ ବୁର୍ଲା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ଲୋକଲୋଚନକୁ ଆସିବାର ୫ ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ପ୍ରଶାସନ ତ୍ବରିତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ନଥିଲା। ଏହି କିଛି ଦିନ ମଧ୍ୟରେ ଅନେକ ଆକ୍ରାନ୍ତ ବ୍ୟାଙ୍କ ଓ ବଜାରକୁ ଯାଇଛନ୍ତି।

 

ଏ ସଂକ୍ରାନ୍ତରେ ଏକ ରିପୋର୍ଟ ‘ସମାଜ’ରେ ପ୍ରକାଶ ପାଇବା ପରେ ରବିବାର ପଞ୍ଚାୟତ କର୍ତ୍ତୃପକ୍ଷ ଡିମିରିମୁଣ୍ଡା ଗାଁର ପ୍ରବେଶ ପଥକୁ ଅବରୋଧ କରିଛି। ଗ୍ରାମବାସୀଙ୍କ ସହମତି ଓ ସହାୟତାରେ ଏହି ପଦକ୍ଷେପ ନିଆ ଯାଇଥିଲେ ମଧ୍ୟ ଜମନକିରା ବିଡିଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ବ୍ୟାରିକେଡ ହଟାଇବାକୁ ନିର୍ଦେଶ ଦେବାରୁ ବାଡ଼ ହଟାଇ ନିଆଯାଇଛି। ବିଶିଷ୍ଟ ଶ୍ରମିକ ନେତା ବିଜୟ ମହାନ୍ତି ପ୍ରଶାସନର ଏଭଳି ଅପରିଣାମଦର୍ଶୀ ପଦକ୍ଷେପ ନେଇ ଉଦବେଗ ପ୍ରକାଶ କରିବା ସହ ଏ ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇଛନ୍ତି। ଡିମିରିମୁଣ୍ଡା ପୂର୍ବତନ ସରପଞ୍ଚ ରତିକାନ୍ତ କିସାନ ମଧ୍ୟ ପ୍ରଶାସନର ଏଭଳି ପଦକ୍ଷେପକୁ ବିରୋଧ କରିଛନ୍ତି। ଆଜି ଆହୁରି ୧୦ ଜଣ କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖା ଦେଇଛି। ଡିମିରିମୁଣ୍ଡା, ଖେଣ୍ଡିବନ୍ଧ ଓ ବାମଣ୍ଡାଗଡ଼ ଆଦି ଗ୍ରାମର ଅନେକ ଲୋକ କୁଚିଣ୍ଡା ଓ ଭୋଜପୁରକୁ ବିଭିନ୍ନ କାମରେ ଆସୁଥିବାରୁ ସଂକ୍ରମଣ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି । ଆଜି ଡିମିରିମୁଣ୍ଡା ଓ ଖେଣ୍ଡିବନ୍ଧକୁ ପ୍ରଶାସନ କଣ୍ଟେନମେଣ୍ଟ ଓ ବଫର ​‌େଜାନ ଘୋଷଣା କରିଛି। ପ୍ରଭାବିତ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମନା କରି କର୍ମଚାରୀଙ୍କୁ ଛୁଟିରେ ରହିବାକୁ କୁହାଯାଇଛି।

Comments are closed.